ଭୁବନେଶ୍ୱର,- ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ପ୍ରଫୁଲ୍ଲ କୁମାର ମାନସିଂହଙ୍କର ଗତକାଲି ସ୍ଥାନୀୟ ଶିବନଗରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ସେ ପୁରୀର ସାମନ୍ତ ଚନ୍ଦ୍ରଶେଖର (ଏସସିଏସ) ସ୍ୱୟଂଶାସିତ କଲେଜ ଅର୍ଥନୀତି ବିଭାଗର ପ୍ରାଧ୍ୟାପକ ତଥା ମୁଖ୍ୟ ଭାବେ ଅବସର ନେଇଥିଲେ। ଗତ ୨୦୨୦ ଡିସେମ୍ବର ୧୧ରେ ପୁରୀରୁ ଭୁବନେଶ୍ୱର ଫେରୁଥିବା ବାଟରେ ସେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ସେହି ଦିନଠାରୁ ସେ ପ୍ରଥମେ ହାସପାତାଳ ଓ ପରେ ଘରେ ରହି ଚିକିତ୍ସିତ ହେଉଥିଲେ।
ଡକ୍ଟର ମାନସିଂହ ଜଣେ ଛାତ୍ରବତ୍ସଳ ଓ କର୍ତ୍ତବ୍ୟନିଷ୍ଠ ଅଧ୍ୟାପକ ଭାବେ ସୁପରିଚିତ ଥିଲେ। ସେ ଯୁକ୍ତଦୁଇ ଓ ଯୁକ୍ତତିନି ଶ୍ରେଣୀ ପାଇଁ ଇଂରାଜୀ ଓ ଓଡ଼ିଆରେ ୪ଖଣ୍ଡ ଲେଖାଏଁ ପାଠ୍ୟପୁସ୍ତକ ପ୍ରଣୟନ କରିଛନ୍ତି ଏବଂ ଏହି ପୁସ୍ତକଗୁଡିକ ଛାତ୍ରମହଲରେ ବିଶେଷ ଅଦୃତି ଲାଭ କରିଛି। ଅଧୁନାତନ ଘଟଣାବଳୀ ଉପରେ ତାଙ୍କ ରଚିତ ଅନେକ ପ୍ରବନ୍ଧ ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶ ପାଇଛି।
ପୁରୀର ସ୍ୱର୍ଗଦ୍ୱାରଠାରେ ତାଙ୍କ ଶବ ସତ୍କାର କରାଯାଇଥିଲା ଏବଂ ଏକମାତ୍ର ପୁତ୍ର ମାତୃଜ୍ୟୋତି ମୁଖାଗ୍ନି ଦେଇଥିଲେ। ଡକ୍ଟର ମାନସିଂହଙ୍କ ବିୟୋଗରେ ଓଡ଼ିଶା ସରକାରୀ କଲେଜ ଶିକ୍ଷକ ସଂଘର ପୂର୍ବତନ ସାଧାରଣ ସମ୍ପାଦକ ଡକ୍ଟର ନାରାୟଣ ମହାନ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି।
Prev Post