ବାପି ଅତ୍ୟାଚାରରେ ଯନ୍ତ୍ରୀ କଲବଲ
ଭୁବନେଶ୍ୱର : ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ, ଆଇନ୍ ଏବଂ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦପ୍ତରରେ ଆତଯାତ ହେଉଥିବା ବାପି ନାମକ ଯୁବକଙ୍କ ମାମଲତିରେ ଏବେ ଦୁଇ ବିଭାଗର ଯନ୍ତ୍ରୀ ନୟାନ୍ତ ହେଲେଣି । ବିଭାଗର ତଳୁ ଉପର ପର୍ଯ୍ୟନ୍ତ ଯନ୍ତ୍ରୀମାନେ ଏହି ବାପିଙ୍କୁ ସନ୍ତୁଷ୍ଟ କରି କରି ହାଲିଆ ହେଉଥିବା ଏବଂ ଆଉ କେତେକ ଅତିଷ୍ଠ ହୋଇ ବିଭାଗ ଛାଡି ପଳାଇବାକୁ ମସୁଧା କରୁଥିବା ନେଇ ଆଲୋଚନା ହେଉଛି ।
ହେଉଥିବା ଆଲୋଚନାର ଜଣାଯାଇଛି ଯେ ମନ୍ତ୍ରୀ ଶ୍ରୀ ଜେନାଙ୍କର ଅତ୍ୟନ୍ତ ନିକଟରେ ରହୁଥିବା ବାପି ପ୍ରତିଦିନ ବିଭିନ୍ନ ଯନ୍ତ୍ରୀଙ୍କୁ ଡାକି ବରାଦ ପରେ ବରାଦ କରିବାରେ ଲାଗିଛି । ଏଠି ଅମୁକ କାମ ପାଇଁ ପଇସା ଦରକାର, ସେଠି ସମୁକ କାମ ପାଇଁ ପଇସା ଦରକାର କହି ପ୍ରତିଦିନ କାହାଠୁ ନା କାହାଠୁ ମୋଟା ଅଙ୍କର ଅର୍ଥ ଆଦାୟ କରୁଛି । ଯିଏ କୁନ୍ଥୁ କୁନ୍ଥୁ ହେଲା କିମ୍ବା ବିଳମ୍ବ କଲା ତାକୁ ମନ୍ତ୍ରୀଙ୍କ ନାଁ ନେଇ ଧମକ ବି ମିଳୁଛି । ତେବେ ଏହି ଖବର ମନ୍ତ୍ରୀ ଶ୍ରୀ ଜେନା ଜାଣିଛନ୍ତି କି ନାହିଁ ତାହା ଯନ୍ତ୍ରୀମାନଙ୍କ ପାଇଁ ବଡ ପ୍ରଶ୍ନବାଚୀ ହୋଇଛି । କାରଣ ସଂଖ୍ୟାଧିକ ଯନ୍ତ୍ରୀ ସିଧାସଳଖ ମନ୍ତ୍ରୀଙ୍କୁ ଭେଟି ପାରନ୍ତି ନାହିଁ । ଶିବଙ୍କ ବାସୁଆ ଭଳି ଏହି ବାପି କୁଆଡେ ଯନ୍ତ୍ରୀଙ୍କୁ ସବୁ ପ୍ରକାରର ନିର୍ଦ୍ଦେଶ ଦିଅନ୍ତି ।
ନାମ ଗୋପନ ସର୍ତ୍ତରେ ଗୃହ ଓ ନଗର ଉନ୍ନୟନ ବିଭାଗରେ ଥିବା ଜଣେ ଯନ୍ତ୍ରୀ କହିଛନ୍ତି ଯେ ବାପିଙ୍କ ମାମଲତିକାରରେ ଅନେକ ଯନ୍ତ୍ରୀ ଏବେ ବିଭାଗ ଛାଡିବାକୁ ସଜବାଜ ହେଲେଣି । କାରଣ ଯେତିକି କାମ ହେଉନାହିଁ ତାହାଠାରୁ ଅଧିକ ଚାନ୍ଦାପାଇଁ ଜୁଲମ ହେଲାଣି । ସବୁଦିନେ ନୂଆ ନୂଆ ଫରମାଇସ୍ । କେତେବେଳେ ମନ୍ତ୍ରୀଙ୍କର ଦରକାର ତ ଆଉ କେତେବେଳେ ଗଣମାଧ୍ୟମ ପାଇଁ ଖର୍ଚ୍ଚର ବରାଦ । ଯେତେବେଳେ ଯାହାକୁ ପାଇଲେ ଫରମାଇସି କଲେ । ତେଣୁ ଯନ୍ତ୍ରୀମାନେ ଏଣିକି ବାପିଙ୍କ ଫୋନ୍ ଦେଖିଲେ ବାହାନା କରି ଉଠାଉନାହାନ୍ତି । ଯିଏ ବି ଉଠାଉଛନ୍ତି ସିଏ ଭୁବନେଶ୍ୱର ବାହାରେ ବୋଲି କହିବା ଆରମ୍ଭ କଲେଣି ।
ତେବେ ମାହାଙ୍ଗାର ଜଣେ ବ୍ୟକ୍ତି ନାମ ଗୋପନ ସର୍ତ୍ତରେ କହିଛନ୍ତି ଯେ ପ୍ରତାପ ଜେନାଙ୍କ ବହୁ ବଦନାମ ପଛରେ ଏହି ବାପିଙ୍କ ହାତ ରହିଛି । ମାହାଙ୍ଗା ଡବଲ ମର୍ଡର ହେଉ କିମ୍ବା ବିଜେପି ନେତା ବିକାଶ ଜେନା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ ବିଶ୍ୱାଳର ସନ୍ଦେଜନକ ଦୁର୍ଘଟଣା ଜନିତ ମୃତ୍ରୁ୍ୟ ହେଉ ଏସବୁ ପଛରେ ବାପିର ହାତ ରହିଛି । ପୁଲିସ୍ ଯଦି ସେତେବେଳେ ବିଜେପି ନେତାଙ୍କ ଦାବି ଅନୁଯାୟୀ ବାପିର ମୋବାଇଲ କଲ ରେକର୍ଡିଂ ଯାଞ୍ଚ କରିଥାନ୍ତା ତେବେ ଅନେକ ଗୁଢ ରହସ୍ୟ ପଦାକୁ ଆସିଥାନ୍ତା ଏପରିକି ବାପି ହାତରେ ହାତକଡି ପଡିବାଟା ବି ଥୟ ହୋଇଥାନ୍ତା ।
ମନ୍ତ୍ରୀ ଶ୍ରୀ ଜେନାଙ୍କ ଅଭୟରେ ବାପି ଏଭଳି ମାମଲତି କରୁଥିବା ନେଇ ଚର୍ଚ୍ଚା ହେଉଥିବାବେଳେ ଶ୍ରୀ ଜେନା ମଧ୍ୟ କୌଣସି ଅକୁହା କାରଣ ଯୋଗୁଁ ବାପିକୁ ମୁଣ୍ଡରେ ବସାଇଥିବାରୁ ଧିରେ ବଦନାମ ହେବାରେ ଲାଗିଛନ୍ତି । ବିଶେଷକରି ମାହାଙ୍ଗା ହତ୍ୟାକାଣ୍ଡ ମାମଲାରେ ଶ୍ରୀ ଜେନା ଛନ୍ଦିହୋଇ ଯିବାରୁ ତାଙ୍କୁ ବାଲେଶ୍ୱର, ତିର୍ତ୍ତୋଲ ଓ ପିପିଲି ଉପନିର୍ବାଚନରୁ ଦୂରେଇ ରଖାଯାଇଥିଲା । ଆଗାମୀ ମନ୍ତ୍ରୀମଣ୍ଡଳ ଅଦଳ ବଦଳ ବି ଶ୍ରୀ ଜେନାଙ୍କ ପାଇଁ ବଡ ବିପଦ ଆଣିବାକୁ ଯାଉଛି । ମନ୍ତ୍ରୀ ଶ୍ରୀ ଜେନାଙ୍କର କିଛି ବନ୍ଧୁଙ୍କ କହିବାକଥା ଯେ ଏବେ ଠାରୁ ଲୁଲୁ ବାବୁ ସତର୍କ ନହେଲେ ଆଗାମୀ ଦିନରେ ଖାଲି ବଦନାମ ହେବେନାହିଁ ମନ୍ତ୍ରୀ ଚଉକି ବି ଚାଲିଯାଇ ପାରେ ।