ମ୍ୟାଲେରିଆ ଶୂନ୍ୟ ରାଜ୍ୟ ଦିଗରେ ଓଡ଼ିଶା
ଭୁବନେଶ୍ୱର : ମ୍ୟାଲେରିଆ ପ୍ରବଣ ରାଜ୍ୟର ବିଷାଦ ଅତିକ୍ରମ କରି ଓଡ଼ିଶା ବର୍ତ୍ତମାନ ମ୍ୟାଲେରିଆ ଶୂନ୍ୟ ରାଜ୍ୟ ଦିଗରେ ଗତି କରିବା ଆରମ୍ଭ କରିଛି । ୨୦୧୬ ରୁ ୨୦୧୯ ମସିହା ମଧ୍ୟରେ ରାଜ୍ୟରେ ମ୍ୟାଲେରିଆ ପଜିଟିଭ୍ ହାର ୯୦ ଶତକଡା କମିଛି । ଏହି ସମୟ ମଧ୍ୟରେ ମୃତ୍ୟୁ ସଂଙ୍ଖ୍ୟା ୭୭ରୁ ୯ କୁ ହ୍ରାସ ପାଇଛି ।
୨୦୨୦ ମସିହାରେ ମଧ୍ୟ ଏହି ଧାରା ବଜାୟ ରହିଛି । ମୁଖ୍ୟ ଶାସନ ସଚିବ ଶ୍ରୀ ମୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଆନ୍ତଃ-ବିଭାଗୀୟ ସମନ୍ୱୟ ବୈଠକର ଆଲୋଚନାରୁ ଏହା ଜଣାପଡିଛି । ଅନୁଷ୍ଠିତ ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ମ୍ୟାଲେରିଆ ନିରାକରଣ ସମ୍ୱନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।
ବିଗତ ବର୍ଷ ମାନଙ୍କରେ ନିଆଯାଇଥିବା ପଦକ୍ଷେପ ଏବଂ ମ୍ୟାଲେରିଆ ସ୍ଥିତି ବିଷୟ ସମୀକ୍ଷା କରି ଚଳିତ ବର୍ଷ ସମ୍ଭାବ୍ୟ ମ୍ୟାଲେରିଆ ସଂକ୍ରମଣ ପ୍ରତିରୋଧ ନିମନ୍ତେ ଆଗୁଆ ପଦକ୍ଷେପ ନେବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଶେଷତଃ ଶିଳ୍ପାଞ୍ଚଳ, ଖଣିଖାଦନ ଅଞ୍ଚଳ, ସୁଦୂର ଗ୍ରାମାଞ୍ଚଳ, ଜଙ୍ଗଲ ଅଞ୍ଚଳରେ ଥିବା ଜନବସତି ଆଦି ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ।
ସହରାଞ୍ଚଳରେ ଥିବା ଛୋଟ ଛୋଟ ସ୍ଥିର ଜଳାଶୟ ଗୁଡିକରେ ମଶା ବଂଶ ନାଶକାରୀ ତେଲ ପକାଇବା, ବିଭିନ୍ନ ଜଳାଶୟ ଓ ନଳା ଇତ୍ୟାଦିରେ ଜୀବାଣୁ ଖାଦକ ମାଛ ଛାଡିବା ସହ ମଶା ଜୀବାଣୁର ବଂଶବୃଦ୍ଧି-ଚକ୍ର ଛିନ୍ନ କରିବା ନିମନ୍ତେ ସମସ୍ତ ପ୍ରକାର ପଦକ୍ଷେପ ନେବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।
ବିଭିନ୍ନ ଶିଳ୍ପାନୁଷ୍ଠାନମାନେ ସ୍ୱତନ୍ତ୍ର ଜନସ୍ୱାସ୍ଥ୍ୟ ୟୁନିଟ୍ ପ୍ରତିଷ୍ଠା କରିବା ସହ ନିଜ ନିଜର କର୍ମଚାରୀମାନଙ୍କର ପରୀକ୍ଷଣ ଏବଂ ସଂପୃକ୍ତ ଅଞ୍ଚଳରେ ମ୍ୟାଲେରିଆ ସଂକ୍ରମଣ ନିରୀକ୍ଷଣ ଜାରି ରଖିବାକୁ କୁହାଯାଇଥିଲା । ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା କାର୍ଯ୍ୟରେ ରାଜ୍ୟର ପ୍ରାୟ ୧୦ ହଜାର ଜିଲ୍ଲା, ବ୍ଲକ୍ ଓ ପଂଚାୟତ କଳାକାର ସଂଘ ଏବଂ ୫୦୦ ପ୍ରକାର ଲୋକକଳାକୁ ସାମିଲ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା ।
ମ୍ୟାଲେରିଆ ସ୍ଥିତି ବିଷୟରେ ସଦ୍ୟତନ ତଥ୍ୟ ଉପସ୍ଥାପନ କରି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ଼ଃ ନିରଞ୍ଜନ ମିଶ୍ର କହିଥିଲେ ଯେ ୨୦୧୬ ମସିହାରେ ୪.୪୪ ଲକ୍ଷ ମ୍ୟାଲେରିଆ ପଜିଟିଭ୍ କେସ୍ ଚିହ୍ନଟ ହୋଇଥିଲା । ୭୭ ଜଣ ମ୍ୟାଲେରିଆ ରୋଗରେ ପ୍ରାଣ ହରାଇଥିଲେ । ୨୦୧୯ ମସିହା ବେଳକୁ ପଜିଟିଭ୍ ଏବଂ ମୃତ୍ୟୁ ସଂଙ୍ଖ୍ୟା ହ୍ରାସ ପାଇ ଯଥାକ୍ରମେ ୩୯,୫୫୬ ଏବଂ ୯ ରେ ପହଞ୍ଚିଥିଲା ।
୨୦୨୦ ମସିହାରେ ମଧ୍ୟ ଏହି ହ୍ରାସ ବଜାୟ ରହିଥିଲା । ୨୦୧୮ ରୁ ୨୦୧୯ ମସିହା ମଧ୍ୟରେ ସର୍ବଭାରତୀୟ ସଂକ୍ରମଣ ହାର ୧୭ % ଭାଗ କମିଥିବାବେଳେ ଓଡ଼ିଶାରେ ସଂକ୍ରମଣ ହାର ୪୦ % ଭାଗ କମିଥିଲା । ସେହିପରି ୨୦୧୬ ମସିହାରେ ବାର୍ଷିକ ପାରାସାଇଟ୍ ହାର ମାତ୍ର ୮ ଟି ଜିଲ୍ଲାରେ ୧ ରୁ ତଳେ ରହିଥିଲା । ୨୦୧୯ ମସିହା ବେଳକୁ ସ୍ଥିତିର ଘାଟି ହେତୁ ଏହି ହାର ୨୩ ଟି ଜିଲ୍ଲାରେ ୧ ରୁ ତଳେ ରହିଥିଲା ।
ଏହିସବୁ ତଥ୍ୟ ଭିତ୍ତିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓଡ଼ିଶାରେ ମ୍ୟାଲେରିଆ ନିରାକରଣ କାର୍ଯ୍ୟଧାରାକୁ ଏକ ଉତ୍ତମ ପ୍ରାମାଣିତ ପନ୍ଥା (ବେଷ୍ଟ ପ୍ରାକ୍ଟିସ୍) ଭାବେ ବିଶ୍ୱ ମ୍ୟାଲେରିଆ ବିବରଣୀ-୨୦୨୦ ରେ ସ୍ଥାନିତ କରିଛନ୍ତି । ସୂଚନାଯୋଗ୍ୟ , ମ୍ୟାଲେରିଆ ବିରୁଦ୍ଧ ଅଭିଯାନଭାବେ ରାଜ୍ୟ ସରକାର ଦୁର୍ଗମ ଅଂଚଳରେ ମ୍ୟାଲେରିଆ ନିରାକରଣ (ଦମନ) ନାମକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜାରି ରଖିଛନ୍ତି ।
ପ୍ରାପ୍ତ ସୂଚନାରୁ ଜଣାପଡିଛି, ୨୦୧୮ ରୁ ୨୦୨୦ ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୬,୦୮୮ ଟି ମ୍ୟାଲେରିଆ ନିରାକରଣ କ୍ୟାମ୍ପ୍ ଆୟୋଜନ କରାଯାଇଛି । କେନ୍ଦ୍ରୀୟ ମନ୍ତ୍ରଣାଳୟରୁ ମିଳିଥିବା ପ୍ରାୟ ୧.୫୭ କୋଟି ଜୀବାଣୁ ନାଶକ ମଶାରୀ ବଣ୍ଟନ କରାଯାଇ ଏହାର ଉପଯୁକ୍ତ ବ୍ୟବହାର ନିମନ୍ତେ ବ୍ୟାପକ ସଚେତନତା ଓ ଅନୁଧାବନ କାର୍ଯ୍ୟକ୍ରମ କରାଯାଇଛି ।
ଏହା ଫଳରେ ପ୍ରାୟ ୨.୮ କୋଟି ଲୋକଙ୍କୁ ମ୍ୟାଲେରିଆ ସଂକ୍ରମଣରୁ ସୁରକ୍ଷା ଦିଆଯାଇଛି । ଏହି ସମୟ ମଧ୍ୟରେ ୪୮,୪୫୫ ଜଣ ଆଶାକର୍ମୀଙ୍କୁ ମ୍ୟାଲେରିଆ ଚିହ୍ନଟ ଓ ଚିକିତ୍ସା ପରିଚାଳନା ବିଷୟରେ ତାଲିମ ଦିଆଯାଇ କାର୍ଯ୍ୟରେ ନିୟୋଜିତ କରାଯାଇଛି ।
ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ, ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ ପ୍ରମୁଖ ଶାସନ ସଚିବ ଦେଓରଂଜନ କୁମାର ସିଂ, ଗୃହ ଓ ନଗର ଉନ୍ନୟନ ପ୍ରମୁଖ ଶାସନ ସଚିବ ଜି.ମାଥିଭାଥାନନ୍, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ୍ଙ୍କ ସମେତ ସଂପୃକ୍ତ ବିଭାଗର ଶାସନ ସଚିବ ଓ ପ୍ରମୁଖ ଶାସନ ସଚିବମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।