ଶାସକ ଦଳର ନେତାଙ୍କ ସମ୍ପର୍କୀୟ ବୋଲି ୩ଜଣଙ୍କୁ ଡେଇଁ ପଦୋନ୍ନତି

ଭୁବନେଶ୍ୱର : ଶାସକ ଦଳର ନେତାଙ୍କ ସମ୍ପର୍କୀୟ ହୋଇଥିଲେ ଜଣେ ଅଧିକାରୀ ଜଣେ କି ଦୁଇ ଜଣ ନୁହେଁ, ଏକାଥରକେ ତିନି ତିନି ଜଣ ବରିଷ୍ଠ ଅଧିକାରୀଙ୍କୁ ଡେଇଁ ମୁଖ୍ୟ ଭିଜିଲାନ୍ସ ଅଧିକାରୀ ପଦବୀ ହାତେଇ ନେଇଛନ୍ତି । ଏଭଳି ପଦୋନ୍ନତି ହୋଇଛି ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ଓ ବାବୁ ଜଣଙ୍କ ହେଉଛନ୍ତି ଇଞ୍ଜିନିୟର ବିଜୟ ବେହେରା ।

ଶ୍ରୀ ବେହେରା ହେଉଛନ୍ତି ପୂର୍ବତନ ମନ୍ତ୍ରୀ କାଳନ୍ଦି ବେହେରାଙ୍କ ଜ୍ୱାଇଁ ଓ ବର୍ତ୍ତମାନର ବିଜେଡି ବିଧାୟକ ଚନ୍ଦ୍ରସାରଥି ବେହେରାଙ୍କ ଭିଣୋଇ । ବିଜୟଙ୍କୁ ବୋର୍ଡରେ ମୁଖ୍ୟ ଭିଜିଲାନ୍ସ ଅଧିକାରୀ ଭାବେ ନିଯୁକ୍ତି ମିଳିବାପରେ ଏଭଳି ଏହି ଚର୍ଚ୍ଚା ଆରମ୍ଭ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ ଯନ୍ତ୍ରୀ ଶ୍ରୀ ବେହେରା ୧୯୯୨-୯୩ ମସିହାରେ ଜଣେ ଷ୍ଟାଇପେଣ୍ଡାରୀ ଇଞ୍ଜିନିୟର ଭାବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ଯୋଗ ଦେଇଥିଲେ । ଏହାପରେ ୧୯୯୭ ମସିହାରେ ହୋଇଥିବା କମନ ପରୀକ୍ଷାରେ ସେ ଅକୃତକାର୍ଯ୍ୟ ହୋଇଥିଲେ । ତେବେ ରାଜ୍ୟ ସରକାର ୨୦୦୩ ମସିହାରେ ସମସ୍ତ ଷ୍ଟାଇପେଣ୍ଡାରୀ ଇଞ୍ଜିନିୟରଙ୍କୁ ନିୟମିତ କରିବା ପରେ ଯନ୍ତ୍ରୀ ଶ୍ରୀ ବେହେରା ପ୍ରଦୂଷଣ ବୋର୍ଡରେ ସ୍ଥାୟୀ ହୋଇଗଲେ ।

୨୦୦୩ ମସିହାର ନିୟମ ଅନୁଯାୟୀ ଯନ୍ତ୍ରୀ ଶ୍ରୀ ବେହେରା କେବଳ ନିୟମିତ ହେଲେ ନାହିଁ, ‘ରେଷ୍ଟ୍ରୋସ୍ପେଟିଭ’ ଫର୍ମୁଲାରେ ଯେଉଁମାନେ ୧୯୯୭ ମସିହାରେ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ସେମାନଙ୍କ ଠାରୁ ବରିଷ୍ଠ ତାଲିକାରେ ରହିଲେ । ଏହାପରେ ଦୀର୍ଘ ୧୫ବର୍ଷ ଧରି ଯନ୍ତ୍ରୀ ଶ୍ରୀ ବେହେରାଙ୍କ ହାତରେ ପଥରଖାଦାନ, ନଦୀ ବାଲି ଭଳି ଦାୟିତ୍ୱ ରହିଲା ଓ ତାଙ୍କ ଉପରେ କେହି ମୁଖିଆ ରହିଲେ ନାହିଁ । ସିଏ ସିଧାସଳଖ ଭାବେ ବୋର୍ଡର ସଦସ୍ୟ ସଚିବଙ୍କୁ ରିପୋର୍ଟ କରିଥାନ୍ତି । ଦୀର୍ଘଦିନ ଧରି ଯନ୍ତ୍ରୀ ଶ୍ରୀ ବେହେରା ଏହି ଦାୟିତ୍ୱରେ ରହିବା ଫଳରେ ଆର.ଓ ମାନଙ୍କ ସହିତ ତାଙ୍କ ସମ୍ପର୍କ ନିବିଡ ହେଲା ଓ ଆର.ଓମାନେ ତଳ ସ୍ତରରେ ଅନେକ ବେନିୟମ କାର୍ଯ୍ୟରେ ଲିପ୍ତ ହେଲେ ।

ତେବେ ବର୍ତ୍ତମାନ ଯନ୍ତ୍ରୀ ଶ୍ରୀ ବେହେରାଙ୍କୁ ମୁଖ୍ୟ ଭିଜିଲାନ୍ସ ଅଧିକାରୀ ଭାବେ ନିଯୁକ୍ତିକୁ ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାହା ହେଲା ତାଙ୍କ ଠାରୁ ଦପ୍ତରରେ ତିନି ଜଣ ବରିଷ୍ଠ ଅଧିକାରୀ ଅଛନ୍ତି । ସେମାନେ ହେଲେ ମୁଖ୍ୟଯନ୍ତ୍ରୀ ନିହାର ସାହୁ ଓ ଏ କେ ସୁଆର ଏବଂ ନିର୍ବାହୀ ଯନ୍ତ୍ରୀ ଆର.ଏନ.ପୃଷ୍ଟି । ତେବେ ଶ୍ରୀ ସୁଆରଙ୍କ ଅବସର ସମୟ ୬ମାସ ଥିବାରୁ ତାଙ୍କ ନାମ ମୁଖ୍ୟ ଭିଜିଲାନ୍ସ ଅଧିକାରୀ ତାଲିକାକୁ ଯାଇନଥିଲା ।

ହେଲେ ଅନ୍ୟ ଦୁଇ ବରିଷ୍ଠଙ୍କୁ ଟପି କିଭଳି ଯନ୍ତ୍ରୀ ଶ୍ରୀ ବେହେରା ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ପହଞ୍ଚିଗଲେ ତାହା ଚର୍ଚ୍ଚାର ବିଷୟ ହୋଇଛି । ଏହା କେବଳ ରାଜନୈତିକ ପତିଆରା ଯୋଗୁଁ ସମ୍ଭବ ବୋଲି ଦପ୍ତରରେ ଚର୍ଚ୍ଚା ଚାଲିଛି । ଏହା ମଧ୍ୟ କୁହାଯାଉଛି ଯେ ଆର.ଓମାନଙ୍କୁ ସୁରକ୍ଷା ଦେବାପାଇଁ ଉପର ସ୍ତରରେ ଏଭଳି ଷଡଯନ୍ତ୍ର ହୋଇଛି । ଏହା ଫଳରେ ଅନେକ ବରିଷ୍ଠ ଅଧିକାରୀଙ୍କ ମନୋବଳ ହ୍ରାସ ପାଇବ ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଅଧିନରେ ଥିବା ପ୍ରଦୂଷଣ ବୋର୍ଡର ଅଧ୍ୟକ୍ଷ ହେଉଛନ୍ତି ନିଜେ ମୁଖ୍ୟ ଶାସନ ସଚିବ । ଏହି ଦପ୍ତରରେ ୫-ଟି ଓ ମୋ ସରକାର ଯେଭଳି କଡାକଡି ଭାବେ କାର୍ଯ୍ୟକାରୀ ହେବ ସେଥିପାଇଁ ସେ ବାରମ୍ବାର ନିର୍ଦ୍ଦେଶ ଦେଉଛନ୍ତି । ହେଲେ ଅଧିକାଂଶ କ୍ଷେତ୍ରରେ ଯାହା ଦେଖାଯାଉଛି ଏଠାରେ ପ୍ରଶାସନର ଉଭୟ ବ୍ୟବସ୍ଥା ଫେଲ୍‍ ମାରୁଛି । ତେଣୁ ଏଠାରେ କନିଷ୍ଠମାନେ କିଭଳି ବରିଷ୍ଠମାନଙ୍କୁ ଟପି ଉପରକୁ ପଳାଉଛନ୍ତି ଓ ଜଣେ ଜଣେ ଯନ୍ତ୍ରୀଙ୍କ ହାତରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବର୍ଷ ବର୍ଷ ରହୁଛି ତାହା ତଦନ୍ତ ସାପେକ୍ଷ ବୋଲି କୁହାଯାଉଛି ।

Leave A Reply

Your email address will not be published.