ସେବା ବସ୍ତୁ ନୁହେଁ; ଭାବ ଆଧାରିତ

ଭୁବନେଶ୍ୱର : ସେବା ହିଁ ଆଧ୍ୟାତ୍ମିକତା । ଯେଉଁମାନେ ଅନ୍ୟର ସେବାରେ ନିଜକୁ ସମର୍ପିତ କରିଛନ୍ତି; ସେମାନେ ନିଜ ଜୀବନର ସାର୍ଥକତା ପ୍ରତିପାଦନ କରିପାରିଛନ୍ତି । ସେବା ବାସ୍ତବରେ ବସ୍ତୁ ଆଧାରିତ ନୁହେଁ; ଏହା ଭାବ ଆଧାରିତ ଏବଂ ସେଣ୍ଟ ଜନ୍‌ ଆମ୍ବୁଲାନ୍ସ ଏହି ଭାବଧାରାରେ ସେବା କାର୍ଯ୍ୟକୁ ଆହୁରି ପ୍ରସାରିତ କରିବାକୁ ରାଜ୍ୟପାଳ ତଥା ସେଣ୍ଟ ଜନ୍‌ ଆମ୍ବୁଲାନ୍ସ, ଓଡ଼ିଶା ଶାଖାର ସଭାପତି ପ୍ରଫେସର ଗଣେଶୀ ଲାଲ ପରାମର୍ଶ ଦେଇଛନ୍ତି ।

ଆଜି ରାଜଭବନର ଅଭିଷେକ କକ୍ଷରେ ଅନୁଷ୍ଠିତ ସଂଗଠନର କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଅଧ୍ୟକ୍ଷତା କରି ପ୍ରଫେସର ଲାଲ ସେଣ୍ଟ ଜନ୍‌ ଆମ୍ବୁଲାନ୍ସର ସେବା କାର୍ଯ୍ୟକୁ ଆହୁରି କି୍ରୟାଶୀଳ ଓ ଫଳପ୍ରସୂ କରିବା ନିମନ୍ତେ ସମୟ ଉପଯୋଗୀ ପଦକ୍ଷେପ ନେବାକୁ କହିଥିଲେ । ପ୍ରାରମ୍ଭରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ତଥା ସେଣ୍ଟ ଜନ୍‌ ଆମ୍ବୁଲାନ୍ସ, ଓଡ଼ିଶା ଶାଖାର ଅଧ୍ୟକ୍ଷ ନବ କିଶୋର ଦାସସ୍ୱାଗତ ସୂଚନା ଦେଇଥିଲେ । ଅବୈତନିକ ସଚିବ ଡ. ସନତ କୁମାର ପଟ୍ଟନାୟକ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ ।

ପରେ ବିଭିନ୍ନ ପ୍ରସଙ୍ଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ସେଣ୍ଟ ଜନ୍‌ ଆମ୍ବୁଲାନ୍ସର କାର୍ଯ୍ୟାଳୟ ଗୃହ ନିର୍ମାଣ, ସରକାରୀ ଅନୁଦାନ ବୃଦ୍ଧି, କର୍ମଚାରୀମାନଙ୍କର ବେତନ ବୃଦ୍ଧି, ବିଦ୍ୟାଳୟଗୁଡ଼ିକରେ ପ୍ରାଥମିକ ଚିକିତ୍ସା ସେବା ପ୍ରଶିକ୍ଷଣ ଓ ପ୍ରଶିକ୍ଷାର୍ଥୀମାନଙ୍କୁ ଠିକ୍‌ ସମୟରେ ପ୍ରମାଣପତ୍ର ପ୍ରଦାନ ସଂପର୍କରେ ଆଲୋଚନା ହୋଇଥିଲା । ସେଣ୍ଟ ଜନ୍‌ ଆମ୍ବୁଲାନ୍ସ ସେବାକୁ ଆହୁରି ରୋଗୀସେବା ଅନୁକୂଳ କରିବାକୁ ବୈଠକରେ ମତପ୍ରକାଶ ପାଇଥିଲା । ରାଜ୍ୟପାଳ ପ୍ରଫେସର ଲାଲ କମିଟି ଗଠନ କରି ସମସ୍ତ ପ୍ରସଙ୍ଗ ଉପରେ ସେପେଫମ୍ବର ୩୦ ତାରିଖ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ କୁମାର ମିଶ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, ରେଡ୍‌କ୍ରସ୍‌, ଓଡ଼ିଶା ଶାଖାର ସଚିବ ସିଟିଏମ୍‌ ସୁଗୁଣା, ପୁଲିସ ଅତିରିକ୍ତ ମହାନିର୍ଦ୍ଦେଶକ ଲଳିତ ଦାସ, ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଡ. ସନ୍ତୋଷ ବାଲା ପ୍ରମୁଖ ଯୋଗଦେଇଥିଲେ । ବୈଠକରେ ପୂର୍ବ ବୈଠକର ବିବରଣୀ ଗୃହୀତ ହେବା ସହ ସଂସ୍ଥାର ଆର୍ଥିକ ବିବରଣୀ ଓ ବାର୍ଷିକ ବିବରଣୀ ଇତ୍ୟାଦି ଗୃହୀତ ହୋଇଥିଲା ।

Leave A Reply

Your email address will not be published.