“ଖଦି” କେବଳ ବସ୍ତ୍ର ନୁହେଁ, ଏକ ବିଚାର

ଭୁବନେଶ୍ୱର ‘ଖଦି’ କେବଳ ବସ୍ତ୍ର ନୁହେଁ, ଏକ ବିଚାର । ଖଦି ହେଉଛି ଆମର ସ୍ୱାଭିମାନ । ଗାନ୍ଧିଜୀଙ୍କର ପ୍ରମୁଖ ଆଦର୍ଶ ମଧ୍ୟରେ ଚରଖାର ବ୍ୟବହାର ଓ ଖଦୀ ବସ୍ତ୍ର ଉତ୍ପାଦନ ଅନ୍ୟତମ ଥିଲା । ଆଜିବି ଗାନ୍ଧିଜୀଙ୍କର ସ୍ୱଦେଶୀ ଭାବନା, ଖଦୀ ବସ୍ତ୍ରର ବ୍ୟବହାର ପ୍ରାସଙ୍ଗିକତା ହୋଇ ରହିଛି । ଏବେ ବି ଆମ ରାଜ୍ୟର ଲକ୍ଷ ଲକ୍ଷ ବୁଣାକାର ହସ୍ତତନ୍ତ ବ୍ୟବହାର କରି ନିଜକୁ ଆର୍ଥିକ ସ୍ୱାବଲମ୍ବୀ କରୁଛନ୍ତି ।

ଏହି ଆଧାରରେ ସମସ୍ତଙ୍କୁ ଖଦି ପ୍ରସ୍ତୁତ ବସ୍ତ୍ର ହେଉ ବା ଖଦି ପ୍ରସ୍ତୁତ ଯେକୌଣସି ଉତ୍ପାଦ ହେଉ, ବ୍ୟବହାର କରିବାକୁ ବକ୍ତାମାନେ ଆହ୍ୱାନ ଦେଇଛନ୍ତି । ଫଳରେ ଆମ ରାଜ୍ୟର ବୁଣାକାରମାନଙ୍କୁ ସହାୟତା ମିଳିବ ଓ ସେମାନେ ଆର୍ଥିକ ସ୍ୱାବଲମ୍ବୀ ହୋଇପାରିବେ । ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ତରଫରୁ ଭୁବନେଶ୍ୱର ସ୍ଥିତ ଖଦିବୋର୍ଡ କାର୍ଯ୍ୟାଳୟର ପରିସରରେ ଆଜି ପୂର୍ବାହ୍ଣରେ ଅନୁଷ୍ଠିତ ଗାନ୍ଧି ଜୟନ୍ତୀ ସମାରୋହରେ ଯୋଗଦେଇ ବକ୍ତାମାନେ ଏହା ପ୍ରକାଶ କରିଛନ୍ତି ।

ପ୍ରାରମ୍ଭରେ ଅତିଥିମାନେ ଜାତିର ପିତା ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରାଜ୍ୟ ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ର, ସମ୍ମାନିତ ଅତିଥିଭାବେ ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ଭୁବନେଶ୍ୱର ବିଧାୟକ (ମଧ୍ୟ) ଅନନ୍ତ ନାରାୟଣ ଜେନା, ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ, ମୁଖ୍ୟ ବକ୍ତାଭାବେ ବିଶିଷ୍ଟ ଗାନ୍ଧିବାଦୀ ପ୍ରବକ୍ତା ତଥା ସ୍ତମ୍ଭକାର ପ୍ରଲ୍ଲାଦ ସିଂହ ପ୍ରମୁଖ ଯୋଗଦେଇଥିଲେ ।

ମୁଖ୍ୟ ଅତିଥି ଶ୍ରୀ ମିଶ୍ର ତାଙ୍କ ବକ୍ତବ୍ୟରେ ଜାତିରଜନକ ମହାତ୍ମାଗାନ୍ଧିଙ୍କ ସତ୍ୟ, ଅହିଂସା ଓ ସତ୍ୟାଗ୍ରହ ଉପରେ ଆଲୋକପାତ କରିବା ସହିତ ସମସ୍ତେ ଖଦି ବ୍ୟବହାର କଲେ ଗାନ୍ଧିଜୀ ସମସ୍ତଙ୍କ ଭିତରେ ବଂଚି ରହିବେ ବୋଲି ମତବ୍ୟକ୍ତ କରିଥିଲେ ।

ମୁଖ୍ୟ ବକ୍ତା ଶ୍ରୀ ସିଂହ ତାଙ୍କ ବକ୍ତବ୍ୟରେ ଗାନ୍ଧି ଦର୍ଶନ, ଆଦର୍ଶ ତଥା ଖଦୀ ଓ ଗ୍ରାମୀଣ ଅର୍ଥନୀତି ଉପରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ଖଦି ବୋର୍ଡର ଅଧ୍ୟକ୍ଷ ଶ୍ରୀ ପାଇକରାୟ କହିଲେ ଯେ, ରାଜ୍ୟରେ ଖଦି ବୋର୍ଡକୁ ୨ କୋଟି ଟଙ୍କାର ଆର୍ଥିକ ସହଯୋଗ ମିଳିଛି, ଯାହାକି ୧୭ଟି ସୋସାଇଟିର ୨୦୦୦ରୁ ଅଧିକ ବୁଣାକାରଙ୍କୁ ସହାୟତା ପ୍ରଦାନ କରିବାରେ ସହାୟକ ହେବ ।

ରାଜ୍ୟରେ ଉତ୍କଳ ଖଦି ଭବନ ସ୍ଥାପନ ପାଇଂ ମଂଜୁରୀ ଲାଭ କରିଛି । ଫଳରେ ବୁଣାକାର, କଳାକାର ଓ ଶିଳ୍ପୀମାନଙ୍କ ସାମଗ୍ରୀ ବିକ୍ରୟ ହୋଇପାରିବ । ପୁରୀରେ ଶ୍ରୀକ୍ଷେତ୍ର ଖଦି ଭବନ ସ୍ଥାପନ ପାଇଁ ମଂଜୁରୀ ଅପେକ୍ଷାରେ ରହିଛି ବୋଲି ଅଧ୍ୟକ୍ଷ ଶ୍ରୀ ପାଇକରାୟ ପ୍ରକାଶ କରିଥିଲେ ।

ଭୁବନେଶ୍ୱର (ମଧ୍ୟ)ବିଧାୟକ ଶ୍ରୀ ଜେନା, ଖଦିବୋର୍ଡର ବରିଷ୍ଠ ସଭ୍ୟା ଡଃ.ଅରୁନ୍ଧତୀ ଦେବୀ, ସଭ୍ୟ ପୂର୍ବତନ ବିଧାୟକ ଶ୍ରୀ ରବି ଲାବଣ୍ୟ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ସମାଜସେବା କାର୍ଯ୍ୟ କରୁଥିବା ତଥା ଗାନ୍ଧି ବିଚାରଧାରାରେ ବିଶ୍ୱାସ ରଖୁଥିବା ମହମ୍ମଦ ଇମ୍ରାଲ ଅଲ୍ଲୀ(ନିର୍ଦ୍ଦେଶକ,ସଲାମ ଜୀବନ), ହରପ୍ରସାଦ ମହାପାତ୍ର-ଯୁବ ସମାଜସେବୀ,ମିଶନ ରକ୍ତଦାନ, ସମାଜସେବୀ-ମନସ୍ୱିନୀ ପରିଡା,ରଶ୍ମିରଂଜନ ମାର୍ଥା, ଭାଗ୍ୟଶ୍ରୀ ରାଉତ ଏବଂ ରତ୍ନାକର ସାହୁ,ପ୍ରତିଷ୍ଠାତା-ଆଶାୟେଁ ପ୍ରମୁଖଙ୍କୁ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ଏହି ଅବସରରେ ସ୍ଥାନୀୟ କୁଷ୍ଠାଶ୍ରମର ଅନ୍ତେବାସୀମାନଙ୍କୁ ବସ୍ତ୍ର ପ୍ରଦାନ କରାଯାଇଥିଲା । ଆଶାୟେଁ ଅନୁଷ୍ଠାନ ତରଫରୁ ଗାନ୍ଧିଜୀଙ୍କ ଉପରେ ଚିତ୍ରକଳା ଅଙ୍କନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଖଦିବୋର୍ଡର ସଚିବ ଅବଦୁଲ ଅଲିମ୍ ଖାନ୍ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.