ବିଦ୍ୟୁତ ଥାଇ ମଧ୍ୟ ସାତବର୍ଷ ହେଲା ଅନ୍ଧାରରେ ଗ୍ରାମବାସୀ
ଭଞ୍ଜନଗର : ଆଦିବାସୀ ଅଧୁସିତ ଅଂଚଳର ବିକାଶ ଲାଗି ସରକାର ଙ୍କ ଅନେକ ଯୋଜନା ନାମ ରେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା।ପ୍ରତ୍ୟେକ ଗାଁକୁ ସମସ୍ତ ପ୍ରକାରର ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆ ଯାଉଥିବା ବେଳେ ଏବେବି ଅନେକ ଗାଁ ରହିଛି ଯେଉଁଠି ବିକାଶ ପାଲଟିଛି ସାତ ସପନ।
ବିଦ୍ୟୁତ ସେବା ଥାଇ ମଧ୍ୟ ଡିବିରି ଆଲୁଅ ଭରସାରେ ଗ୍ରାମବାସୀ। ସାତ ବର୍ଷ ହେଲା ବିଦ୍ୟୁତ ବିଛିନ୍ନ ହୋଇ ପଡିଛି । ହେଲେ ମରାମତି ହୋଇପାରୁ ନଥିବାରୁ ଆଜି ମଧ୍ୟ କିରୋସିନ ବତୀ ରେ କଟୁଛି ଜୀବନ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବ୍ରାହ୍ମଣ ପଦର ପଂଚାୟତ ଆଦିବାସୀ ଅଧ୍ୟୁଷିତ ବାଲିଙ୍କିଆ ଗ୍ରାମ ରେ କାହିଁ କେତେ ବର୍ଷରୁ ବସବାସ କରି ଆସୁଛନ୍ତି ୨୦ଟି ଆଦିବାସୀ ପରିବାର।
ହେଲେ ସରକାରଙ୍କ ମାଳମାଳ ଯୋଜନା ଯେପରି ଏହି ଗ୍ରାମବାସୀ ଙ୍କ ପାଇଁ ସାତ ସପନ ପାଲଟିଛି। ବହୁ ଦାବି ପରେ ଗାଁକୁ ବିଜୁଳି ଆସିଥିଲା କିନ୍ତୁ ଫାଇଲିନ ବାତ୍ୟାରେ ବିଜୁଳି ଖୁଣ୍ଟ ଭାଙ୍ଗି ଯିବା ପରଠୁ ଗାଁରେ ୭ବର୍ଷ ହେବ ବିଜୁଳି ନାହିଁ। ଆଉ ସନ୍ଧ୍ୟା ହେଲେ ଡିବିରି ଭରଷା। ଜଙ୍ଗଲ ମଧ୍ୟରେ ରହୁଥିବାରୁ ବର୍ଷର ବାରମାସ ଜଙ୍ଗଲୀ ଜନ୍ତୁ ଙ୍କ ପାଦୁର୍ଭାଵ ରହିଛି । ଗାଁ ମୁଂହରେ ହାତୀ ବୋବାଳି ଛାଡୁଥିବା ବେଳେ ତାଟି କବାଟ ଦେଇ ପିଲାଛୁଆଙ୍କୁ ଧରି ଭୟରେ ରହୁଛନ୍ତି ଗ୍ରାମବାସୀ । ଶିକ୍ଷା,ସ୍ୱାସ୍ଥ୍ୟ,ଗମନାଗମନ,ପାନୀୟ ସବୁ କିଛି ଏଠି ଅପହଞ୍ଚ। ପିଲାଙ୍କ ଭବିଷ୍ୟତ ଗଢିବା ପାଇଁ ନିକଟରେ କୌଣସି ଅଙ୍ଗନବାଡ଼ି କେନ୍ଦ୍ର କିମ୍ବା ବିଦ୍ୟାଳୟ ଟିଏ ମଧ୍ୟ ନାହିଁ।
ଫଳରେ ପିଲାଙ୍କ ଭବିଷ୍ୟତ ଦୀପ ଆଲୁର ମିଞ୍ଜି ମିଞ୍ଜି ମଧ୍ୟରେ ମଳିନ ପଡିବାରେ ଲାଗିଛି। ଗାଁ କୁ ପଂହଁଚିବା ପାଇଁ ଭଲ ରାସ୍ତା ଟିଏ ମଧ୍ୟ ନାହିଁ ।ଜଙ୍ଗଲ ମଧ୍ୟରେ ଅଙ୍କା ବଙ୍କା ପଥୁରିଆ ଏକ ପାଦଚଲା ରାସ୍ତାରେ କାହିଁ ଯେଉଁ କାଳରୁ ଲୋକମାନେ ତାହାକୁ ହିଁ ରାସ୍ତା ଭାବେ ବ୍ୟବହାର କରିଆସୁଛନ୍ତି । ସେଥିରେ ଅଟୋ ଟିଏ ଯିବା ମଧ୍ୟ ସମ୍ଭବ ହେଉନାହିଁ । ୧୫ କିଲୋମିଟର ଦୂର ପଂଚାୟତ କାର୍ଯ୍ୟାଳୟ ଯାଇ ସେଠାରୁ ରାସନ ସାମଗ୍ରୀ ଆଣିବାକୁ ପଡୁଥିବା କହିଛନ୍ତି ଗ୍ରାମର ହାଡୁ ମଳିକ। ଫାଇଲିନ ବାତ୍ୟା ରେ ବିଦ୍ୟୁତ ତାର ଛିଡି ଯାଇଥିଲା ବାରମ୍ବାର ଅଭିଯୋଗ ପରେ ବିଭାଗ ପକ୍ଷରୁ ବିଦ୍ୟୁତ ସଜାଡା ଗଲା କିନ୍ତୁ କିଛି ମାସ ପରେ ପୁଣି ଖରାପ ହୋଇଗଲା ତାପରେ କେହି ମଧ୍ୟ ଶୁଣୁ ନଥିବା ବିଭାଗୀୟ କର୍ତ୍ତୃପକ୍ଷ ସମସ୍ୟା ସମାଧାନ କରୁନଥିବା
ଗ୍ରାମବାସୀ ଅଭିଯୋଗ କରିଛନ୍ତି। ରାଜନୈତିକ ଇଚ୍ଛା ଶକ୍ତିର ଅଭାବ କାରଣରୁ ଗାଁ ରେ କୌଣସି ବିକାଶ ହୋଇ ପାରୁ ନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ନେଇ ବିଡ଼ିଓ ଅନୀଲ କୁମାର ସେଠୀ କହିଛନ୍ତି ଗ୍ରାମର ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ହୋଇଛି। ତୁରନ୍ତ ଗ୍ରାମରେ ଖରାପ ହୋଇ ରହିଥିବା ବିଦ୍ୟୁତ ସେବା ଠିକ କରାଯିବା। ଏଥି ସହିତ ଉକ୍ତ ଗ୍ରାମର ରାସ୍ତାଟି ବନ ବିଭାଗ ଅଧୀନରେ ଆସୁଥିବାରୁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ଗ୍ରାମକୁ ପକା ରାସ୍ତା କରାଯାଇ ଗ୍ରାମର ସମସ୍ତ ସମସ୍ୟା ଦୂର କରାଯିବ।