ରାଉରକେଲାରେ ସ୍ଥାପନ ହେବ ସ୍ପିରୁଲିନା ଚିକି ପ୍ରସ୍ତୁତି ୟୁନିଟ୍‌

ରାଉରକେଲା : ସୁନ୍ଦରଗଡ଼ ପରେ ଏବେ ପାନପୋଷ ଉପଖଣ୍ଡରେ ସ୍ଥାପନ ହେବାକୁ ଯାଉଛି ସ୍ୱିରୁଲିନା ଚିକି ପ୍ରସ୍ତୁତି ୟୁନିଟ୍ । ଏଥିପାଇଁ ଶୁକ୍ରବାର ଦିନ ରାଉରକେଲାର ମା’ତାରିଣୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ (ଡିଏସଡବ୍ଲୁଓ) ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି ।

ମିଶନ ଶକ୍ତିର ମା’ମାନେ ତାଲିମ ନେଇ ଏଠାରେ ଚିକି ପ୍ରସ୍ତୁତ କରିବା ସହ ପାନପୋଷ ଉପଖଣ୍ଡରେ ଥିବା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ଶିଶୁଙ୍କ ପୋଷଣ ପାଇଁ ଚିକି ଯୋଗାଇ ଦେବେ । ପୋଷଣର ପାୱାର ହାଉସ୍ ଭାବେ ପରିଚିତ ସ୍ପିରୁଲିନାକୁ ସାନ ସାନ ପିଲାଙ୍କ ସୁସ୍ୱାସ୍ଥ୍ୟ ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ବ୍ୟବହାର କରାଯାଉଛି ।

ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାକ୍ରମେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପାଇଁ ଏକ ଅଭିନବ ପୋଷଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବର୍ତମାନ ସମଗ୍ର ଜିଲ୍ଲାରେ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ଶିଶୁଙ୍କୁ ସ୍ପିରୁଲିନାଯୁକ୍ତ ଚିନି ଓ ଚିକି ଖାଇବାକୁ ଦିଆଯାଉଛି ।

ବିଶେଷକରି ଜିଲ୍ଲାରେ ସ୍ପିରୁଲିନା ଚିକି ପ୍ରସ୍ତୁତି ଲାଗି ସୁନ୍ଦରଗଡ଼, ରାଉରକେଲା ଏବଂ ବଣାଇଁଠାରେ ୩ଟି କେନ୍ଦ୍ର କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ସୁନ୍ଦରଗଡ଼ ପରେ ଏବେ ରାଉରକେଲା ଠାରେ ଦ୍ୱିତୀୟ ଚିକି ପ୍ରସ୍ତୁତି ୟୁନିଟ୍ ହେବାକୁ ଯାଉଛି । ଏହି ନୂତନ ଚିକି ପ୍ରସ୍ତୁତି ୟୁନିଟ୍ ଫଳରେ ପାନପୋଷ ଉପଖଣ୍ଡରେ ଥିବା ସମସ୍ତ ଅଙ୍ଗନବାଡ଼ି ମାଧ୍ୟମରେ ୮୭ ହଜାରରୁ ଅଧିକ ଶିଶୁ ଉପକୃତ ହେବେ ।

ଅଗଷ୍ଟ ମାସରେ ସୁନ୍ଦରଗଡ଼ ଉପକଂଠର ରଙ୍ଗାଢିପାଠାରେ ଜିଲ୍ଲାର ପ୍ରଥମ ସ୍ପିରୁଲିନା ଚିକି ପ୍ରସ୍ତୁତି କେନ୍ଦ୍ର ଆରମ୍ଭ କରାଯାଇଥିଲା । ସ୍ପିରୁଲିନାଯୁକ୍ତ ବାଦାମ ଚିକି ପ୍ରସ୍ତୁତି ପାଇଁ ସ୍ଥାନୀୟ ୫ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ନେଇ ଗଠିତ ମା’ଲକ୍ଷ୍ମୀ ଆଂଚଳିକ ମଂଚର ସଦସ୍ୟାମାନଙ୍କୁ ଏଥିପାଇଁ ତାଲିମ ଦିଆଯାଇଥିଲା ।

ଏହି କେନ୍ଦ୍ରରେ ପ୍ରାୟ ୫୦ ଜଣ ମହିଳା ଚିକି ପ୍ରସ୍ତୁତ କରି ଆର୍ଥକ ଭାବେ ସଶକ୍ତ ହୋଇପାରିଛନ୍ତି । ସୁନ୍ଦରଗଡ଼ ଉପଖଣ୍ଡରେ ଥିବା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ଶିଶୁଙ୍କୁ ଘରେ ଘରେ ଏହି ଚିକି ଖାଇବାକୁ ଦିଆଯାଉଛି ।

ରାଉରକେଲାର ମା’ତାରିଣୀ ମହିା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଚିକି ପ୍ରସ୍ତୁତି ବାବଦରେ ବିଶେଷଜ୍ଞଙ୍କ ଦ୍ୱାରା ତାଲିମ ଦିଆଯିବ । ବର୍ତମାନ ରାଜ୍ୟ ବାହାରୁ ସ୍ପିରୁଲିନା ପାଉଡର ଅଣାଯାଉଛି । ଏହାକୁ କିଭଳି ବାଦାମ ଓ ଅନ୍ୟାନ୍ୟ ଉପାଦନ ସହ ମିଶାଇ ଶିଶୁଙ୍କ ପାଇଁ ଆବଶ୍ୟକ ଚିକି ପ୍ରସ୍ତୁତ କରାଯିବ ସେ ସମ୍ପର୍କରେ ସେମାନେ ପ୍ରଶିକ୍ଷଣ ନେବେ ।

ଏହି ଏମଓୟୁ ସ୍ୱାକ୍ଷର ବେଳେ ଜିଲ୍ଲା ସାମଜ ମଙ୍ଗଳ ଅଧିକାରୀ ପ୍ରଭାସିନୀ ଚକ୍ର, ଡିଏମଏଫର ଜୀବିକା ବିଶେଷଜ୍ଞ ଅଞ୍ଜନ ପଣ୍ଡା, ସଂପୃକ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତା ଓ ସଦସ୍ୟାଙ୍କ ସହିତ ଜିଲ୍ଲାର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ସୁନ୍ଦରଗଡ଼ ଜିଲ୍ଲାର ସାନ ସାନ ପିଲାଙ୍କ ପୋଷଣ ଆବଶ୍ୟକତାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଙ୍ଗନବାଡ଼ି ମାଧ୍ୟମରେ ୨୦୨୦ରୁ ସ୍ପିରୁଲିନା ଚିକି ଓ ଚିନି ବଂଟନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ପ୍ରଥମେ ପାଇଲଟ୍ କାର୍ଯ୍ୟକ୍ରମ ଭାବେ ଆରମ୍ଭ ହୋଇଥିବା ଏହି ଅଭିଯାନ ଏବେ ସମଗ୍ର ଜିଲ୍ଲାକୁ ସଂପ୍ରସାରଣ କରାଯାଇଛି । ଏହାଦ୍ୱାରା ଜିଲ୍ଲାର ମୋଟ ୩ ହଜାର ୮୦୯ ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ୧ ଲକ୍ଷ ୪୨ ହଜାରରୁ ଅଧିକ ପିଲା ଉପକୃତ ହେଉଛନ୍ତି । ୭ ମାସରୁ ୨ ବର୍ଷ ବୟସର ପିଲାଙ୍କୁ ସ୍ପିରୁଲିନାଯୁକ୍ତ ଚିକି ଖାଇବାକୁ ଦିଆଯାଉଛି ।

ସ୍ପିରୁଲିନାରେ ଭରପୁର ମାତ୍ରାରେ ଭିଟାମିନ୍ ଓ ମିନେରାଲ୍ସ ରହିଛି । ସ୍ପିରୁଲିନାଯୁକ୍ତ ଚିକି ଓ ଚିନି ଖାଇବା ଫଳରେ ପିଲାମାନଙ୍କର ଶାରୀରିକ ଓ ମାନସିକ ବିକାଶ ଘଟୁଛି । ଆଗାମୀ ଦିନରେ ଜିଲ୍ଲାରେ ସ୍ପିରୁଲିନା ଚାଷ ଲାଗି ପଦକ୍ଷେପ ନିଆଯାଉଛି । ଏଥିପାଇଁ ଚାଷୀମାନଙ୍କୁ ତାଲିମ ଓ ପ୍ରୋତ୍ସାହନ ଦେବାକୁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଛି ।

ଅଙ୍ଗନବାଡ଼ି ମାଧ୍ୟମରେ ପିଲାଙ୍କ ପୋଷଣ ପାଇଁ ସ୍ପିରୁଲିନାକୁ ବ୍ୟବହାର କରିବାରେ ସୁନ୍ଦରଗଡ଼ ଜିଲ୍ଲା ରାଜ୍ୟରେ ପ୍ରଥମ । ଏଠାରେ ସ୍ପିରୁଲିନା ଚାଷ ସହ ସ୍ପିରୁଲିନାରୁ ଚିକି ଓ ଅନ୍ୟ ପୋଷଣଜାତ ପଦାର୍ଥ ପ୍ରସ୍ତୁତି କରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି । ସୁନ୍ଦରଗଡ଼ରେ ସ୍ପିରୁଲିନାକୁ ନେଇ ପୂର୍ବ ଭାରତର ପ୍ରଥମ ‘ସେଂଟର ଅଫ୍ ଏକ୍ସିଲେନ୍ସ’ ପ୍ରତିଷ୍ଠା କରାଯିବ ।

Leave A Reply

Your email address will not be published.