ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସଂଗ୍ରହାଳୟଠାରେ ଆଜି ଆଜାଦ୍ ହିନ୍ଦ୍ ଫୌଜ ପ୍ରତିଷ୍ଠା ଦିବସ ଅବସରରେ ଭାରତୀୟ ଜାତୀୟ ସେନାର ପ୍ରଚାର ପତ୍ର ଓ ପୋଷ୍ଟର ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି । ଏହାକୁ ଆନୁଷ୍ଠାନିକ ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶାସନ ସଚିବ ଡ. ସୁରେଶ ଚନ୍ଦ୍ର ଦଳାଇ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଛନ୍ତି ।
ବି୍ରଟିଶ ସେନାରେ ଥିବା ଭାରତୀୟ ଜବାନ୍ମାନଙ୍କୁ ବି୍ରଟିଶ ସେନା ଛାଡ଼ି ଆଜାଦ୍ ହିନ୍ଦ୍ ଫୌଜରେ ଯୋଗଦେଇ ଭାରତ-ଜାପାନ୍କୁ ସହାୟତା କରିବା ଉପରେ ପ୍ରବର୍ତ୍ତାଇବା ନିମନ୍ତେ ଉଦ୍ଦିଷ୍ଟ ପୋଷ୍ଟର, ପାମ୍ପ୍ଲେଟ୍ମାନ ଉଡ଼ାଜାହାଜ ଜରିଆରେ ବି୍ରଟିଶ କ୍ୟାମ୍ପଗୁଡ଼ିକ ଉପରେ ପକାଯାଉଥିଲା ।
ଏହା ଥିଲା ନେତାଜୀଙ୍କ ମନସ୍ତାତ୍ତ୍ୱିକ ଲଢ଼େଇର ଅଂଶବିଶେଷ ବୋଲି ଗବେଷକମାନେ ଆଖ୍ୟା ଦେଇଛନ୍ତି । ଏ ଧରଣର ପୋଷ୍ଟର ପ୍ରଦର୍ଶନୀ ଦେଶରେ ପ୍ରଥମ ହୋଇଥିବାବେଳେ ଏହା ଛାତ୍ର, ଶିକ୍ଷକ, ଗବେଷକଙ୍କ ନିମନ୍ତେ ଅନେକ ତଥ୍ୟ ଯୋଗାଇପାରିବ ।
ଏହି ଅବସରରେ ଆୟୋଜିତ ଏକ ସଂକ୍ଷିପ୍ତ ବୈଠକରେ ଶାସନ ସଚିବ ଡ. ଦଳାଇ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଏକ ବିରଳତମ ବ୍ୟକ୍ତିତ୍ୱ ଭାବେ ବର୍ଣ୍ଣନା କରି ତାଙ୍କର ‘ରକ୍ତ ଦିଅ ମୁଁ ସ୍ୱାଧୀନତା ଦେବି’ ଉକ୍ତିକୁ ଯଦି ଆମେ ସମସ୍ତେ ଉପଲବ୍ଧି କରିଥାନ୍ତେ ତେବେ ଭାରତର ଇତିହାସ ଅନ୍ୟ ପ୍ରକାର ରୂପ ନେଇଥାନ୍ତା ବୋଲି କହିଥିଲେ ।
ବିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ରଞ୍ଜନ କୁମାର ଦାସ ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ୱ, ଦେଶଭକ୍ତି, ସାହସ ଓ ପରାକ୍ରମ ବିଷୟରେ ସୂଚନା ପ୍ରଦାନ କରି ସ୍ୱାଧୀନତା ଆନ୍ଦୋଳନରେ ତାଙ୍କର ବ୍ୟକ୍ତିତ୍ୱ ଥିଲା ନିଆରା ବୋଲି ଅବତାରଣ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରୁ ବିଶିଷ୍ଟ ସଂଗ୍ରାହକ ତଥା ଇତିହାସ ଗବେଷକ ଶ୍ରୀ ଅନୀଲ ଧୀର ମଣିପୁରରେ ନେତାଜୀଙ୍କ ଅନେକ ସ୍ମୃତି ଓ ସ୍ମାରକ ଭାରତୀୟ ଜାତୀୟ ସେନାର ଜଣେ ସେନାନୀ ପାଖରେ ବ୍ୟକ୍ତିଗତ ଜିମାରେ ରହିଥିବା ଦର୍ଶାଇ କିଛି ସ୍ମାରକକୁ ଓଡ଼ିଶା ଅଣାଯିବା ପାଇଁ ସରକାରୀ ସ୍ତରରେ ଉଦ୍ୟମ ହେବାର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଏପରିକି ଆଜାଦ୍ ହିନ୍ଦ୍ ଫୌଜର ଜାତୀୟ ପତାକା ସେଠାରେ ଥିବା ଜଣାପଡ଼ିଛି । ତାକୁ କଟକସ୍ଥିତ ନେତାଜୀ ସଂଗ୍ରହାଳୟକୁ ଅଣାଯିବା ଏକ ସମ୍ମାନଜନକ ପଦକ୍ଷେପ ହେବ ବୋଲି କହିଥିଲେ ।
ଆଜିର ଏହି କାର୍ଯ୍ୟକ୍ରମକୁ ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଡ. ଭାଗ୍ୟଲିପି ମଲ୍ଲ ପରିଚାଳନା କରି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି ପ୍ରଦର୍ଶନୀରେ ୫୦ରୁ ଅଧିକ ବିରଳ ପୋଷ୍ଟର ରହିଛି ଏବଂ ଏହା ସାତଦିନ ଯାଏଁ ଦର୍ଶକଙ୍କ ନିମନ୍ତେ ପ୍ରଦର୍ଶିତ ହେବ ବୋଲି ଜଣାପଡ଼ିଛି ।
ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ହରେକୃଷ୍ଣ ମହତାବ୍ ରାଜ୍ୟ ପାଠାଗାରର ଉପନିର୍ଦ୍ଦେଶକ ଶ୍ରୀ ଲକ୍ଷ୍ମୀଧର ବେହେରା, ଶୁଚୀସ୍ମିତା ମନ୍ତ୍ରୀ ପ୍ରମୁଖ ଯୋଗଦେଇଥିଲେ । ପ୍ରାରମ୍ଭରେ ଓଡ଼ିଶା ସଂଗୀତ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ନେତାଜୀଙ୍କ ରାଷ୍ଟ୍ରୀୟ ଗାନ ‘କଦମ୍ କଦମ୍ ବଢ଼ାୟେ ଚାଲ’ ପରିବେଷଣ ସହ ଆଜାଦ୍ ହିନ୍ଦ୍ ଫୌଜର ଜାତୀୟ ସଂଗୀତ ଗାନ କରାଯାଇଥିଲା ।