ଭୁବନେଶ୍ୱର : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଆସନ ଟଳମଳ । ବେଳ ଥାଉ ଥାଉ, ପୁଣି ବଳ ଥାଉ ଥାଉ ଷ୍ଟମ୍ପିଂ ହୋଇଯିବାର ସମ୍ଭାବନା ସୃଷ୍ଟି ହୋଇଛି । ISI ମୁଖ୍ୟ ପଦରେ ନିଯୁକ୍ତିକୁ ନେଇ ସେନା ମୁଖ୍ୟ ଜେନେରାଲ୍ କାମାର୍ ଜାଭେଦ୍ ବାଜୱାଙ୍କ ସହ ତାଙ୍କର ଚାଲିଛି ଟକରା ଟକରି । ଏଭଳି ସ୍ଥିତିରେ ଦେଶକୁ ଆବଶ୍ୟକ ପଡ଼ିଛନ୍ତି, ପଳାତକ ଅପରାଧୀ ସାବ୍ୟସ୍ତ ହୋଇ ବିଦେଶରେ ଲୁଚିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ । ଶୁଣିବାକୁ ମିଳୁଛି, ଯେଉଁ ସେନା ଦିନେ ସରିଫଙ୍କ ବିରୋଧରେ ଷଡ଼ଯନ୍ତ୍ର କରି ତାଙ୍କ ପାଇଁ ଦେଶ ଛାଡ଼ିବାର ରାସ୍ତା ତିଆରି କରିଥିଲା, ସେହି ସେନା କାଳେ ଏବେ ତାଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ରେଡ୍ କାର୍ପେଟ୍ ବିଛାଇଛି ।
ସ୍ବଦେଶ ଫେରିବେ କି ନୱାଜ୍ ସରିଫ୍ ? ଇମ୍ରାନ୍ ଖାନ୍ ହେବେ କି ଷ୍ଟମ୍ପିଂ ? ପାକିସ୍ତାନ ରାଜନୀତିରେ ଏବେ ଏମିତି ଚାଲିଛି ଚର୍ଚ୍ଚା । ଶୁଣିବାକୁ ମିଳୁଛି, କାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ପାଇଁ ରେଡ୍ କାର୍ପେଟ୍ ପକାଇ ସାରିଲାଣି ପାକିସ୍ତାନୀ ସେନା । ପାକିସ୍ତାନକୁ କାଳେ ନୱାଜଙ୍କ ଆବଶ୍ୟକତା ଜରୁରୀ ହୋଇ ପଡ଼ିଛି । ତେବେ କାହିଁକି… କାହିଁକି ପାକିସ୍ତାନକୁ ଅସମୟରେ ଆବଶ୍ୟକ ପଡୁଛନ୍ତି, ଦୁର୍ନୀତି ଅଭିଯୋଗରେ ପଳାତକ ଘୋଷିତ ହୋଇ ବିଦେଶରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ ? ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କର କଣ ହୋଇଛି କି ? କାହିଁକି, ସେ ମଧ୍ୟ ଅସମୟରେ ଷ୍ଟମ୍ପିଂ ହେବାର ସମ୍ଭାବନା ସୃଷ୍ଟି ହୋଇଛି ?
ହଁ, କଥାରେ ରହିଛି କେଁ । ISI ମୁଖ୍ୟ ନିଯୁକ୍ତିକୁ ନେଇ ଏବେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏବଂ ସେନା ମୁଖ୍ୟ ଜେନେରାଲ୍ କାମାର୍ ଜାଭେଦ୍ ବାଜୱାଙ୍କ ମଧ୍ୟରେ ଟକରା ଟକରି ପରିସ୍ଥିତି । ପାକିସ୍ତାନ ଗୁଇନ୍ଦା ସଂସ୍ଥା ISIର ବର୍ତ୍ତମାନ ମୁଖ୍ୟ ବା ମହାନିର୍ଦ୍ଦେଶକ ଅଛନ୍ତି ଲେଫ୍ଟନାଣ୍ଟ ଜେନେରାଲ୍ ଫୈଜ୍ ହମିଦ୍ । ଆସନ୍ତା ୨୦ ତାରିଖରେ ଲେଫ୍ଟନାଣ୍ଟ ଜେନେରାଲ୍ ନଦିମ୍ ଅଞ୍ଜୁମ୍, ISI ମୁଖ୍ୟ ଭାବେ ଦାୟିତ୍ବ ନେବାର ଅଛି । କିନ୍ତୁ ଫୈଜ୍ ହମିଦଙ୍କୁ ପୁଣି ସେହି ପଦରେ ରଖିବାକୁ ଚାହୁଁଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ । ସେପଟେ ସେନାମୁଖ୍ୟ, ଫୈଜ୍ ହମିଦଙ୍କ ବଦଳରେ ହମିଦ୍ ଅଞ୍ଜୁମଙ୍କୁ ISI- DG ଭାବେ ଚାହୁଁଛନ୍ତି । ଯାହାକୁ ନେଇ ସେନା ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଏକ ପ୍ରକାର ଟଣା-ଓଟରା ପରିସ୍ଥିତି ସୃଷ୍ଟି ହୋଇଛି ।
ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଦୁଇଟି ବିକଳ୍ପ ଦେିଛି ସେନା । ପ୍ରଥମଟି ହେଉଛି, ନଭେମ୍ବର ୨୦ ତାରିଖ ପୂର୍ବରୁ ଲେଫ୍ଟନାଣ୍ଟ ଜେନେରାଲ୍ ଫୈଜ୍ ହମିଦ୍, ISI ମୁଖ୍ୟ ପଦରୁ ଇସ୍ତଫା ଦିଅନ୍ତୁ । ଦ୍ବିତୀୟଟି ହେଉଛି, ଯଦି ସେ ଇସ୍ତଫା ନଦେବେ, ତେବେ ପାର୍ଲାମେଣ୍ଟରେ ବିରୋଧୀ, ତାହା ଉପରେ ପ୍ରସ୍ତାବ ଆଣିବାକୁ ବାଧ୍ୟ ହେବେ । ଦ୍ବିତୀୟ ବିକଳ୍ପ, ପ୍ରଥମର ଅଲଟିମେଟମ୍ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ଯଦି ଫୈଜ୍ ହମିଦ୍, ISI ମୁଖ୍ୟ ପଦରୁ ଇସ୍ତଫା ନଦିଅନ୍ତି, ତେବେ ପାର୍ଲାମେଣ୍ଟରେ ହରଡ଼ଘଣାରେ ପଡ଼ିବ ଇମ୍ରାନ ଖାନ ସରକାର । କାରଣ ପ୍ରସ୍ତାବ ସମର୍ଥନରେ ଯାଇ ଇମ୍ରାନଙ୍କ ତେହରିକ୍-ଏ-ଇନସାଫ୍ ପାର୍ଟି ସରକାରକୁ ସମର୍ଥନ ଦେଉଥିବା ମୁତାହିଦା କାମି ମୁଭମେଣ୍ଟ, MQM ଏବଂ ପାକିସ୍ତାନ ମୁସଲିମ୍ ଲିଗ୍, PML-Q ବିରୋଧ କରିପାରନ୍ତି । ଏଭଳି ସମ୍ଭାବ୍ୟ ପରିସ୍ଥିତି ହୁଏତ ଇମ୍ରାନଙ୍କ ପଦ ନେଇପାରେ ।
ପାକିସ୍ତାନର ରେକର୍ଡ କହୁଛି, ସେନା ମୁଖ୍ୟଙ୍କୁ ବିରୋଧ କରି କିମ୍ବା ଅଧସ୍ତନ କରିବାକୁ ଚେଷ୍ଟା କରି କୌଣସି ପ୍ରଧାନମନ୍ତ୍ରୀ ତିଷ୍ଠି ନାହାନ୍ତି କି କେହି ପ୍ରଧାନମନ୍ତ୍ରୀ ହୋଇପାରି ନାହାନ୍ତି । ପୂର୍ବତନ ସେନାମୁଖ୍ୟ ଜିଆ-ଉଲ୍-ହକ୍ଙ୍କୁ ସମାଲୋଚନା କରି ସେତେବେଳେର ପ୍ରଧାନମନ୍ତ୍ରୀ ଜୁଲ୍ ଫିକର୍ ଅଲ୍ଲୀ ଭୁଟ୍ଟୋ ଯେଉଁ ଦଶା ଭୋଗିଥିଲେ, ତାହା ସାରା ବିଶ୍ବ ଦେଖିଛି । ପୁଣି କାର୍ଯ୍ୟକାଳ ପୂରିବାର ୬ ମାସ ପୂର୍ବରୁ ନୱାଜ ସରିଫଙ୍କ ପାଇଁ ପ୍ରସ୍ଥାନର ପରିସ୍ଥିତି ସୃଷ୍ଟି କରିଥିବା, ସେନାମୁଖ୍ୟ କାମାରା ଜାଭେଦ୍ ବାଜୱା, ଇମ୍ରାନ ଖାନଙ୍କ ପାଇଁ ଅବସ୍ଥାନର ପରିସ୍ଥିତି ସୃଷ୍ଟି କରିଛନ୍ତି । ଇମ୍ରାନ ଖାନଙ୍କୁ ହିଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ରୂପେ ଚୟନ କରିଥିଲେ ନିଜେ ଜେନେରାଲ୍ ବାଜୱା । ପୁଣି ସାଧାରଣ ନିର୍ବାଚନ ବେଳେ ବୁଥ୍ ରିଗିଂ କରାଇ ତାଙ୍କୁ ବିଜୟୀ କରାଇଛନ୍ତି । ଆଉ ପ୍ରଧାନମନ୍ତ୍ରୀ ହେବା ପରେ, ପ୍ରତିଦାନ ସ୍ବରୂପ ଜେନେରାଲ୍ ବାଜୱାଙ୍କୁ ସେନାମୁଖ୍ୟ ପଦରେ ୩ ବର୍ଷ Extension ଦେଇ ଆନୁଗତ୍ୟ ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । କିନ୍ତୁ ଏବେ ISI ମୁଖ୍ୟ ପଦକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ସୃଷ୍ଟି ହୋଇଛି ବିବାଦ ଏବଂ ବିଭେଦ । ବିବାଦ ଏବଂ ବିଭେଦ କେବଳ କଥା କଟାକଟିରେ ସୀମିତ ନାହିଁ । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ମଧ୍ୟ ପଏଣ୍ଟ ସ୍କୋରିଂ ଆରମ୍ଭ କରି ଦେଇଛନ୍ତି ଜେନେରାଲ୍ ବାଜୱା । ଲେଫ୍ଟନାଣ୍ଟ ଜେନେରାଲ୍ ନଦିମ୍ ଅଞ୍ଜୁମ୍, ISI ମୁଖ୍ୟ ଭାବେ ଦାୟିତ୍ବ ନେଇ ନଥିଲେ ମଧ୍ୟ, ପାକିସ୍ତାନୀ ସେନାର ଜେନେରାଲମାନେ ତାଙ୍କୁ ରିପୋର୍ଟ କରିବା ଆରମ୍ଭ କରିଦେଲେଣି ।…
ଏଠି ପ୍ରଶ୍ନ ଉଠୁଛି, ISI ମୁଖ୍ୟ ପଦରେ ନିଯୁକ୍ତିକୁ ନେଇ କାହିଁକି ସେନାମୁଖ୍ୟ ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ହୋଇ ପାରୁନି ବୁଝାମଣା ? କାହିଁକି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍, ଲେଫ୍ଟନାଣ୍ଟ ଜେନେରାଲ୍ ଫୈଜ୍ ହମିଦଙ୍କୁ Extension ଦେବାକୁ ଚାହୁଁଛନ୍ତି ? ପୁଣି କାହିଁକି, ଫୈଜ ହମିଦଙ୍କୁ ବିରୋଧ କରି ଲେଫ୍ଟନାଣ୍ଟ ଜେନେରାଲ୍ ନଦିମ୍ ଅଞ୍ଜୁମଙ୍କୁ ଚାହୁଁଛନ୍ତି ସେନାମୁଖ୍ୟ ଜେନେରାଲ୍ ବାଜୱା ? କଣ ରହିଛି, ଏ ହାଇ ପ୍ରୋଫାଇଲ୍ ପୋଷ୍ଟ, ପଛର ବିରୋଧ ଓ ସମର୍ଥନର କେମିଷ୍ଟ୍ରି ? କେମିଷ୍ଟ୍ରିର ମୁଖ୍ୟ ଉପାଦାନ ହେଉଛନ୍ତି କେବଳ ବର୍ତ୍ତମାନ ISI ମୁଖ୍ୟ ଥିବା ଲେଫ୍ଟନାଣ୍ଟ ଜେନେରାଲ୍ ଫୈଜ୍ ହମିଦ୍ । କାରଣ, ଫୈଜ୍ ହମିଦ୍ ହିଁ, ଆଫଗାନିସ୍ତାନ ସରକାରରେ ଅଂଶୀଦାର ଥିବା ଆତଙ୍କବାଦୀ ସଂଗଠନ- ହକାନି ନେଟୱର୍କର ଅତି ନିକଟତର । ଏଭଳି ସ୍ଥିତିରେ ଫୈଜ୍ ହମିଦଙ୍କୁ Extension ଦେଇ, ଭାରତ ବିରୋଧରେ ଆଫଗାନିସ୍ଥାନକୁ କୂଟନୈତିକ ଗୋଟି ଭାବେ ଚାଳନା କରିବାକୁ ଚାହୁଁଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ସେନାମୁଖ୍ୟ ଜେନେରାଲ୍ ବାଜୱା କିନ୍ତୁ ଇମ୍ରାନଙ୍କ ଏଭଳି ଚିନ୍ତାଧାରାକୁ ବିଷାକ୍ତ ବୋଲି ଧରି ନେଇଛନ୍ତି । ହକାନି ଏବଂ ତାଲିବାନ୍ ସହ ବେଶୀ ଘନିଷ୍ଠତା, ପ୍ରକାରାନ୍ତରେ ନିଜ ଦେଶ, ପାକିସ୍ତାନର ପରିବେଶ ଏବଂ ପରିସ୍ଥିତି ଖରାପ କରିବ ବୋଲି ଅନୁମାନ କରୁଛନ୍ତି ଜେନେରାଲ୍ ବାଜୱା । ଯେଉଁଥି ପାଇଁ ଆଫଗାନିସ୍ତାନ ଆତଙ୍କବାଦୀ, ଯେମିତି ଡୁରାଣ୍ଡ ଲାଇନ୍ ଅତିକ୍ରମ ନକରିବେ ସେଥିପାଇଁ ଲେପ୍ଟନାଣ୍ଟ ଜେନେରାଲ୍ ଫୈଜ୍ ହମିଦଙ୍କ Extensionକୁ ବିରୋଧ କରୁଛନ୍ତି ବାଜୱା । ଯାହା ସିଧାସଳଖ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଇଚ୍ଛା ଏବଂ ଉଦ୍ଦେଶ୍ୟର ବିରୁଦ୍ଧାଚରଣ କରୁଛି ।…
ପାକିସ୍ତାନର ଗାଣତାନ୍ତ୍ରିକ ସରକାର ବିରୋଧରେ ସେନାର ଷଡ଼ଯନ୍ତ୍ର କିଛି ନୂଆ ନୁହେଁ । ୧୯୪୭ରୁ ଏମିତି ପୁଳା ପୁଳା ଉଦ୍ଦାହରଣ ଜଳ ଜଳ ହୋଇ ଥୁଆ ହୋଇଛି । ଆଭେନଫିଲ୍ଡ ପ୍ରପଟିଜ୍ ଏବଂ ଅଲ୍ ଅଜିଜିଆ ଷ୍ଟିଲ୍ ମିଲ୍ସ ଦୁର୍ନୀତିରେ ଛନ୍ଦି ହୋଇ ୨୦୧୯ ଡିସେମ୍ବରରେ ଇସଲାମାବାଦ ହାଇକୋର୍ଟଙ୍କ ଦ୍ବାରା ପଳାତକ ଅପରାଧୀ ଘୋଷିତ ହୋଇଥିବା ନୱାଜ ସରିଫ୍ ମଧ୍ୟ ସେଭଳି ଷଡ଼ଯନ୍ତ୍ରର ଶିକାର ହୋଇଥିବା ନିକଟରେ ସାମ୍ନାକୁ ଆସିଛି । ପୂର୍ବରୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପାକିସ୍ତାନର ଏକ ଆକାଉଣ୍ଟେବିଲିଟି କୋର୍ଟ ୨୦୧୮ରେ ନୱାଜ ସରିଫଙ୍କୁ ୧୦ ବର୍ଷ ସଜା ଶୁଣାଇଥିଲେ । ତେବେ ଏକ ବିବାଦୀୟ ଘଟଣାକ୍ରମରେ ନିକଟରେ ଗିଲଗିଟ୍-ବାଲ୍ଟିସ୍ତାନର ମୁଖ୍ୟ ବିଚାରପତି ରାଣା ମହମ୍ମଦ ସମିମ୍, କୋର୍ଟରେ ଦାଖଲ କରିଥିବା ସତ୍ୟପାଠ, ନୱାଜ ସରିଫଙ୍କ ବିରୋଧରେ ଷଡ଼ଯନ୍ତ୍ରର ଖୁଲ୍ଲାସା କରିଛି । ୨୦୧୮ ସାଧାରଣ ନିର୍ବାଚନ ପୂର୍ବରୁ ଯେମିତି ନୱାଜ ସରିଫ୍ କିମ୍ବା ତାଙ୍କ ଝିଅ ମେରିଅମ୍ ନୱାଜ, ଜେଲରୁ ନବାହାରନ୍ତି, ପାକିସ୍ତାନ ସୁପ୍ରିମକୋର୍ଟର ସେତେବେଳର ପ୍ରଧାନ ବିଚାରପତି ସାକିବ୍ ନିସାର୍, ହାଇକୋର୍ଟର ଜଣେ ବିଚାରପତିଙ୍କୁ ତାଙ୍କ ଉପସ୍ଥିତିରେ ନିର୍ଦ୍ଦେଶ ଦେଇଥିବା, ସତ୍ୟପାଠରେ କହିଛନ୍ତି ଗିଲଗିଟ୍-ବାଲ୍ଟିସ୍ତାନର ମୁଖ୍ୟ ବିଚାରପତି ରାଣା ଏମ୍. ସମିମ୍ ।…
ଦୋଷୀ ସାବ୍ୟସ୍ତ ହେବା ପରେ… ନିର୍ବାଚନରେ ଲଢ଼ିବାର ସୁଯୋଗ ନପାଇବା ପରେ… ପୁଣି ସେନା ତାଙ୍କର ବିରୋଧୀ… ଏସବୁ ଜାଣିବା ପରେ ଦେହ ଖରାପ ଆଳ କରି ବିଦେଶ ଚାଲି ଯାଇଥିବା ନୱାଜ ସରିଫ୍ ଏବେ ଲଣ୍ଡନରେ ଅଛନ୍ତି । କିନ୍ତୁ ଯେଉଁ ସେନା ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଥିଲା, ସେହି ସେନା ଏବେ ଇମ୍ରାନ ଖାନଙ୍କୁ ବିରୋଧ କରି ତାଙ୍କ ପାଇଁ ସ୍ବଦେଶ ପ୍ରତ୍ୟାବର୍ତ୍ତନର ରେଡ୍ କାର୍ପେଟ୍ ବିଛାଇଲାଣି । ନୱାଜ୍ ଯଦି ପାକିସ୍ତାନ ଫେରନ୍ତି, ତେବେ ସେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ ସତ… କିନ୍ତୁ ଇମ୍ରାନ ଖାନଙ୍କ ପାଇଁ ଜଣେ ଦୃଢ଼ ବିପଜ୍ଜନକ ପ୍ରତିଦ୍ବନ୍ଦୀ ସାବ୍ୟସ୍ତ ହେବେ । ସେପଟେ ISI ମୁଖ୍ୟ ପଦ ନିଯୁକ୍ତିକୁ ନେଇ ଯଦି ଇମ୍ରାନଙ୍କ ଇଚ୍ଛା ବିରୋଧରେ ପାର୍ଲାମେଣ୍ଟ ପ୍ରୋସିଡିଂ ହୁଏ, ତେବେ କଥା ସରିଲା । ସେ ଷ୍ଟମ୍ପିଂ ହେବା ଥୟ । ଏଭଳି ସ୍ଥିତିରେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପାଇଁ ପାକିସ୍ତାନ ତେହେରିକ୍-ଏ-ଇନସାଫ୍ ପାର୍ଟି ନେତା ପରଭେଜ୍ ଖାତକ ଏବଂ ପାକିସ୍ତାନ ମୁସଲିମ୍ ଲିଗ୍-Q ନେତା ସାହାବାଜ୍ ସରିଫଙ୍କ ନାଁ ଚର୍ଚ୍ଚା ହେଉଛି ।