୩ କୃଷି ଆଇନ ପ୍ରତ୍ୟାହୃତ  

ଭୁବନେଶ୍ୱର : ଲମ୍ବା ସଂଘର୍ଷର ଅନ୍ତ । ଶେଷରେ କୃଷକଙ୍କର ହେଲା ବିଜୟ । ୧୪ ମାସ ପରେ ୩ କୃଷି ଆଇନକୁ ପ୍ରତ୍ୟାହାର କରିଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବଡ଼ ଘୋଷଣା କରିଛନ୍ତି । କୃଷକମାନଙ୍କୁ ବୁଝାଇ ପାରି ନଥିବାରୁ ପ୍ରଧାନମନ୍ତ୍ରୀ  ଅବସୋସ ପ୍ରକାଶ କରିବା ସହ କ୍ଷମା ମାଗିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ସ୍ବାଗତ କରିଛନ୍ତି ଆନ୍ଦଳନରତ କୃଷକ । ସେପଟେ କୃଷକ ନେତା ରାକେଶ ଟିକାୟତ କହିଛନ୍ତି, ଯେପର୍ଯ୍ୟନ୍ତ ସାମ୍ବିଧାନିକ ପ୍ରକ୍ରିୟା ଶେଷ ହୋଇନି, ସେପର୍ଯ୍ଯନ୍ତ ଆନ୍ଦୋଳନ ଜାରି ରହିବ ।

୧୪ ମାସ ତଳେ ସରକାର ୩ଟି ନୂଆ କୃଷି ଆଇନ ଆଣିଥିଲେ । ସେଗୁଡ଼ି ହେଲା, ଫାର୍ମର୍ସ ପ୍ରଡ୍ୟୁସ ଟ୍ରେଡ୍ ଏଣ୍ଡ କମର୍ସ ଆକ୍ଟ, ଏସେନସିଆଲ କମୋଡିଟିଜ୍ ଆମେଣ୍ଡମେଣ୍ଟ ଆକ୍ଟ ଏବଂ ଫାର୍ମର୍ସ ଏଗ୍ରିମେଣ୍ଟ ଅନ୍ ପ୍ରାଇସ୍ ଆସ୍ୟୁରାନ୍ସ ଆଣ୍ଡ ଫାର୍ମ ସର୍ଭିସେସ୍ ଆକ୍ଟ । ପ୍ରଥମ କୃଷି ଆଇନ ଅନୁସାରେ, କୃଷକ ନିଜ ଇଚ୍ଛା ଏବଂ ପସନ୍ଦ ଅନୁସାରେ ଫସଲ ବିକ୍ରି କରିବେ । କୃଷକ ବିନା ପ୍ରତିବନ୍ଧକରେ ନିଜ ଉତ୍ପାଦିତ ସଶ୍ୟକୁ ଅନ୍ୟ ରାଜ୍ୟରେ ବିକ୍ରି କରି ପାରିବେ କିମ୍ବା କିଣି ପାରିବେ ।

 ଦ୍ବିତୀୟ ଆଇନରେ କଣ୍ଟ୍ରାକ୍ଟ ଫାର୍ମିଂକୁ ନେଇ ଆଇନ ପ୍ରଣୟନ ହେବ । ଅର୍ଥାତ ଯଦି ଫସଲ ନଷ୍ଟ ହେବ, ତେବେ ଚୁକ୍ତି କରିଥିବା ସଂସ୍ଥା କିମ୍ବା କମ୍ପାନି ତାର ଭରଣା କରିବ ଏବଂ କ୍ଷତିପୂରଣ ଦେବ । ତୃତୀୟ ଆଇନ ଅନୁସାରେ ଖାଇବା ତେଲ, ତେଲ ମଞ୍ଜି, ଡାଲି, ପିଆଜ ଏବଂ ଆଳୁ ଭଳି କୃଷିଜାତ ସାମଗ୍ରୀ ଉପରେ ଷ୍ଟକ୍ ବା ମହଜୁଦ ସୀମା ହଟାଇବା । କିନ୍ତୁ ଚାଷୀ ବୁଝିଲେନି । ଯେଉଁଥି ପାଇଁ ଏବେ ସମ୍ପୂର୍ଣ୍ଣ ପ୍ରତ୍ୟାହୃତ ହେଲା । ସଂସଦର ଆସନ୍ତା ଶୀତ ଅଧିବେଶନରେ କୃଷି ଆଇନ ପ୍ରତ୍ୟାହାର ସମ୍ପର୍କିତ ସମସ୍ତ ସାମ୍ବିଧାନିକ ପ୍ରକ୍ରିୟା ସଂପନ୍ନ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଲମ୍ବା ସଂଘର୍ଷ ପରେ କୃଷକଙ୍କର ବିଜୟ ଘଟିଥିବା ବେଳେ, କ୍ଷମା ମାଗିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ କୃଷକମାନଙ୍କୁ ବୁଝାଇବାରେ ବିଫଳ ହୋଇଥିବା ସ୍ବୀକାର କରିଛନ୍ତି । କୃଷକମାନେ ଆନ୍ଦୋଳନରୁ ଓହରି ଯିବାକୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସରକାର ଏବଂ ପାର୍ଟିର ସ୍ବାର୍ଥ ପଛ, ଦେଶର ସ୍ବାର୍ଥ ଆଗ । ଦେଶର ହିତ ପାଇଁ ସେ ଏଭଳି ନିଷ୍ପତ୍ତି ନେଲେ ବୋଲି କହିଛନ୍ତି ।

କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତ ଦେଶର କୃଷକ ଏବଂ ସମସ୍ତ କୃଷକ ସଂଗଠନ । ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ମିଠା ବାଣ୍ଟି ଖୁସି ମନାଇଛନ୍ତି ଆନ୍ଦୋଳନରତ ଚାଷୀ । ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ କୃଷକ ଖୁସି । ହେଲେ କୃଷକ ନେତା ରାକେଶ ଟିକାୟତ କହୁଛନ୍ତି ଆନ୍ଦୋଳନ ହଟିବ ନାହିଁ । ତିନି କୃଷି ଆଇନ ସଂସଦରେ ରଦ୍ଦ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ । ସାମ୍ବିଧାନିକ ପ୍ରକ୍ରିୟା ସଂପୂର୍ଣ୍ଣ ହେବାକୁ ଆନ୍ଦୋଳନକାରୀମାନେ ଅପେକ୍ଷା କରିବେ । ଏହାସହ ଏମଏସପି ସମେତ କୃଷକଙ୍କ ଅନ୍ୟ ସମସ୍ୟା ସଂପର୍କରେ ସରକାରଙ୍କ ସହ ଆଲୋଚନା କରାଯିବ ବୋଲି ଟିକାୟତ କହିଛନ୍ତି

ଏବେ ପ୍ରଶ୍ନ ହେଉଛି, ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ତତକ୍ଷଣାତ ରଦ୍ଦ ହୋଇଯିବ କି ତିନି କୃଷି ଆଇନ । ଉତ୍ତର ହେଉଛି ନାଁ । କାରଣ ବାକି ରହିଛି ସାମ୍ବିଧାନିକ ପ୍ରକ୍ରିୟା । ଆଇନ ପ୍ରତ୍ୟାହାର ପାଇଁ ପୁଣିଥରେ ସଂସଦରେ ଏହା ଉପରେ ଚର୍ଚ୍ଚା ହେବ ଏବଂ ଆବଶ୍ୟକ ପଡ଼ିଲେ ଭୋଟିଂ ହେବ । ଚଳିତମାସ ୨୯ରୁ ଆରମ୍ଭ ହେଉଛି ସଂସଦର ଶୀତ ଅଧିବେଶନ । ଆଗାମୀ ଅଧିବେଶନରେ ଏହି ପ୍ରକ୍ରିୟା ସଂପୂର୍ଣ୍ଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।

Leave A Reply

Your email address will not be published.