୪୦୦ ଜିଲ୍ଲା ପରିଷଦ ଆସନରେ ପ୍ରାର୍ଥୀ ଦେବ କଳିଙ୍ଗ ସେନା
ଭୁବନେଶ୍ୱର : ଓଡିଶାର ଯୁବବର୍ଗଙ୍କ ଲାଗି ସବୁବେଳେ ଲଢେଇ କରୁଥିବା କଳିଙ୍ଗ ସେନା ଏଥର ବି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମଇଦାନକୁ ଓହ୍ଲାଇବ । ଦଳ ପ୍ରାୟ ୪୦୦ ଜିଲ୍ଲା ପରିଷଦ ଆସନରେ ପ୍ରାର୍ଥୀ ଦେବ । ତେବେ ବିଭିନ୍ନ ଦଳର ଅସନ୍ତୁୁଷ୍ଟ ନେତାମାନେ ଦଳୀୟ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗରେ ଥିବାରୁ ଏହି ଆସନ ସଂଖ୍ୟା ଆହୁରି ବଢିବ ବୋଲି ଆଜି ସେନା ସୁପ୍ରିମୋ ହେମନ୍ତ ରଥ ସୂଚନା ଦେଇଛନ୍ତି ।
ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରଥ କହିଛନ୍ତିି ଯେ କଳିଙ୍ଗସେନା ସବୁବେଳେ ଯୁବ ବର୍ଗ ବିଶେଷକରି ଓଡିଆମାନଙ୍କ ସ୍ୱାର୍ଥ ପାଇଁ ଲଢେଇ କରି ଆସିଛି । ଚଳିତ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳମାନେ ଯୁବବର୍ଗଙ୍କୁ ଉପେକ୍ଷା କରୁଥିବାବେଳେ ସେମାନଙ୍କୁ ତାଙ୍କର ରାଜନୈତିକ ଅଧିକାର ଦେବାପାଇଁ କଳିଙ୍ଗସେନା ପ୍ରାର୍ଥୀ ଦେବାପାଇଁ ସ୍ଥିର କରିଛନ୍ତିି ।
ପୂର୍ବ ନିର୍ବାଚନରେ ଯେତିକି ପ୍ରାର୍ଥୀ ଦଳ ଦେଉଥିଲା ଏଥିର ସେହି ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବ । ବିଶେଷକରି ବିଜେପିର ବହୁ ଅସନ୍ତୁୁଷ୍ଟ ନେତାମାନେ ଦଳ ସହିତ ସମ୍ପର୍କରେ ଥିବାରୁ ସେମାନଙ୍କ ଯୋଗ୍ୟତା ଆଧାରରେ ପ୍ରାର୍ଥୀ କରାଯିବ । ଅନ୍ୟ ଦଳର କିଛି ଅସନ୍ତୁଷ୍ଟ ବି କଳିଙ୍ଗସେନା ବ୍ୟାନର ତଳେ ଲଢିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ବିଶେଷ କରି ଖୋର୍ଦ୍ଧା, ବଲାଙ୍ଗୀର, ବରଗଡ଼, ଦେବଗଡ଼, ଢେଙ୍କାନାଳ, କଳାହାଣ୍ଡି, ମାଲକାନଗିରି, ମୟୂରଭଞ୍ଜ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାକୁ ନିର୍ବାଚନରେ ଗୁରୁତ୍ୱ ଦେବା ସହିତ ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ପ୍ରାର୍ଥୀ ଦିଆଯିବ ।
ପୂର୍ବଭଳି ଚଳିତଥର ମଧ୍ୟ କଳିଙ୍ଗସେନା ରାଜ୍ୟରେ ଯୁବକଙ୍କ ନିଯୁକ୍ତି ଉପରେ ସର୍ବାଧିକ ଗୁରୁତ୍ୱ ଦେଇ ମଇଦାନକୁ ଓହ୍ଲାଇବ । ରାଜ୍ୟ ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିବାପରେ ପ୍ରାର୍ଥୀ ତାଲିକା ଚୂଡାନ୍ତ ହେବବୋଲି ଶ୍ରୀ ରଥ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ସେନାର ସାଧାରଣ ସମ୍ପାଦକ ବିଜୟରାଜ, ଇଂ. ମନୋଜ ନାୟକ, ଅବ୍ଦୁଲ କୟୁମ୍ ଖାନ୍ ପ୍ରମୁଖ ଉପସ୍ଥିତ ଥିଲେ । ଖୁବ୍ ଶିଘ୍ର ଦଳ ପକ୍ଷରୁ ପ୍ରାର୍ଥୀ ଚୟନ କମିଟି ଘୋଷଣା କରାଯିବ ।