ବିଜେଡି ଅର୍ନ୍ତଦ୍ୱନ୍ଦ ଯୋଗୁଁ ଢିଙ୍କିଆ ଗଣ୍ଡଗୋଳ

ଭୁବନେଶ୍ୱର : ଭାରତବର୍ଷରେ ୫ ଟ୍ରିଲିୟନ ଡଲାରର ଅର୍ଥନୀତି ପାଇଁ ମୋଦି ସରକାର ପ୍ରତିଶୃତିବଦ୍ଧ । ପୂର୍ବୋଦୟରୁ ଭାରତବର୍ଷର ଉଦୟ ଏବଂ ରାଷ୍ଟ୍ରରର ଅର୍ଥନୈତିକ ବିକାଶ ପାଇଁ ମୋଦି ସରକାର କାର୍ଯ୍ୟରତ । ପ୍ରାକୃତିକ ଖଣିଜ ସଂପଦରେ ଭରପୁର ଓଡିଶା ରାଜ୍ୟ ଏଥି ପାଇଁ ସର୍ବଶ୍ରେଷ୍ଠ ରାଜ୍ୟ । ଏଥି ପାଇଁ ମୋଦି ସରକାର ଓଡିଶାକୁ ସର୍ବଦା ପ୍ରାଧାନ୍ୟ ଦେଇଆସୁଛନ୍ତି ।

ଅନ୍ୟ ପକ୍ଷରେ ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ଶିଳ୍ପାୟନ ନୀତି କାରଣରୁ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ସମ୍ଭବ ହେଉନାହିଁ ବରଂ ବୃହତ ଶିଳ୍ପାନୁଷ୍ଠାନଗୁଡିକ ଓଡିଶାରୁ ଦୁରେଇ ଯାଉଛନ୍ତି । ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ ଅନୁକୁଳ ବାତାବରଣ ସୃଷ୍ଟି କରିବା ପରିବର୍ତେ ସ୍ଥାନୀୟବାସିନ୍ଦାଙ୍କ ଉପରେ ଅତ୍ୟାଚାର ଓ ବଳ ପ୍ରୟୋଗ କରି ଅଯଥାରେ ଅଶାନ୍ତର ବାତାବରଣ ସୃଷ୍ଟି କରିବା ସହିତ ପ୍ରତିବନ୍ଧକ ସାଜୁଛନ୍ତି ।

ପୋଲିସ ଓ ପ୍ରଶାସନର ଅତ୍ୟାଚାର ଜରିଆରେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କରିବା ଗଣତାନ୍ତ୍ରୀକ ବ୍ୟବସ୍ଥାରେ ଆଦୈା ସମ୍ଭବ ନୁହେଁ ବୋଲି ବିଜେପି ଅନୁସୁଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ତଥା ସ୍ଥାନୀୟ ଲୋକସଭା ସାଂସଦ ପ୍ରାର୍ଥୀ ଡ. ବିଭୁପ୍ରସାଦ ତରାଇ କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତରାଇ କହିଛନ୍ତି ଯେ, ରାଜ୍ୟରେ ଶିଳ୍ପାୟନ ସପକ୍ଷରେ ବିଜେପି । ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ହେବା ସ୍ଥାନରେ ସର୍ବପ୍ରଥମେ ସ୍ଥାନୀୟ ବାସିନ୍ଦାଙ୍କ ସ୍ୱାର୍ଥ ଓ ସୁରକ୍ଷାକୁ ଅଗ୍ରାଧିକାର ଦିଆଯିବା ନିହାତି ଉଚିତ୍ । ଗତ ୧୪ ତାରିଖରେ ଜଗତସିଂହପୁର ଜିଲ୍ଲାରେ ପ୍ରସ୍ତାବିତ ଶିଳ୍ପାନୁଷ୍ଠାନ ପାଇଁ ଜମି ଅଧିଗ୍ରହଣକୁ ନେଇ ବିବାଦ ଘେରରେ ଥିବା ଢିଙ୍କିଆ ଗ୍ରାମରେ ପୋଲିସ ବର୍ବରୋଚିତ ଲାଠି ଚାର୍ଜରେ ୫୦୦ରୁ ଉର୍ଦ୍ଧ୍ୱ ମହିଳା, ଶିଶୁ ଓ ବୟସ୍କ ଲୋକମାନେ ଆହତ ହେବା ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ ।

ଆନ୍ଦୋଳନରତ ଢିଙ୍କିଆ ଗ୍ରାମବାସୀଙ୍କ ସହିତ ଜିଲ୍ଲା ଓ ରାଜ୍ୟ ପ୍ରଶାସନ ଅଧିକାରୀମାନେ ଆଲୋଚନା କରି ଶାନ୍ତିପୂର୍ଣ୍ଣ ସମାଧାନ କରିବା ନିହାତି ଆବଶ୍ୟକ । ମାତ୍ର ଢିଙ୍କିଆରେ ସୃଷ୍ଟି ହୋଇଥିବା ଆତଙ୍କରାଜ ଶାସକ ବିଜେଡିର ଅନ୍ତଦ୍ୱର୍ନ୍ଦର ପ୍ରତିଫଳନ ଏବଂ କୃତ୍ରିମ ତଥା ପ୍ରାୟୋଜିତ ପ୍ରତିବନ୍ଧକ ସୃଷ୍ଟି କରି କଂପାନୀଠାରୁ ମୋଟା ଆକାରର ଚାନ୍ଦା ଆଦାୟ କରିବାର ବିଜେଡିର ଏହା ଏକ କୈାଶଳ । ‘ଡାହାଣି ହୋଇ ଲାଗିବା, ଗୁଣିଆ ହୋଇ ଛଡାଇବା’ ନୀତିରେ ଶାସକ ବିଜେଡି ପୋଲିସକୁ ବ୍ୟବହାର କରି ଏ ପ୍ରକାରର ଜନମାରଣ ନୀତିକୁ କାର୍ଯ୍ୟକାରୀ କରାଇବାର ଅପପ୍ରୟାସ କରୁଛି ବୋଲି ଡ. ତରାଇ ଅଭିଯୋଗ କରିଛନ୍ତି ।

ସର୍ବପ୍ରଥମେ ଢିଙ୍କିଆ ଗ୍ରାମ ଭିତରୁ ଓ ପରିସୀମାରୁ ଡେରା ପକାଇ ଆତଙ୍କ ସୃଷ୍ଟି କରିଥିବା ପୋଲିସକୁ ପ୍ରତ୍ୟାହାର କରାଯାଉ । ଜିଲ୍ଲା ପ୍ରଶାସନ ସର୍ବଦୈଳୀୟ ବୈଠକ ଡାକି ଶିଳ୍ପ ପ୍ରତିଷ୍ଠା ପାଇଁ ସ୍ପଷ୍ଟ ମତ ଲୋଡନ୍ତୁ । ଶାନ୍ତିପୂର୍ଣ୍ଣ ବାତାବରଣ ସୃଷ୍ଟି ହେବା ପରେ ଶିଳ୍ପ ପ୍ରତିଷ୍ଟା ପାଇଁ ଅନୁକୁଳ ପରିବେଶ ସୃଷ୍ଟି କରାଯାଇ ସ୍ଥାନୀୟବାସିନ୍ଦାଙ୍କ ସହ ଜିଲ୍ଲା ଓ ରାଜ୍ୟ ପ୍ରଶାସନ ସୈାହାଦ୍ଦ୍ୟ ଓ ଶାନ୍ତିପୂର୍ଣ୍ଣ ଆଲୋଚନା କରି ସମାଧାନର ବାଟ ବାହାର କରିବାକୁ ଡ.ତରାଇ ଦାବୀ କରିଛନ୍ତି ।

ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଡ.ତରାଇଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଢିଙ୍କିଆ ଗ୍ରାମକୁ ଯାଇ ସ୍ଥାନୀୟ ବାସିନ୍ଦାଙ୍କ ସହ ବିସ୍ତୃତ ଆଲୋଚନା କରିବା ସହିତ ବାସ୍ତବ ସ୍ଥିତି ସଂପର୍କରେ ଅବଗତ ହୋଇଥିଲେ । ଏ ସଂପର୍କରେ ସେ ରାଜ୍ୟ ସଭାପତିଙ୍କୁ ଅବଗତ କରାଇଛନ୍ତି ବୋଲି ଡ.ତରାଇ ସୁଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଏବଂ ସ୍ଥାନୀୟ ବିଜେପି ନେତା ସଂଜୟ ମହାନ୍ତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.