ଅନୁଗୁଳ ସହରରେ ଉଦ୍ଘାଟିତ ହେଲା ଡିଏଭି ପବ୍ଲିକ୍ ସ୍କୁଲ

ଅନୁଗୁଳ: ସହରରେ ପ୍ରଥମ କରି ଡି. ଏ.ଭି. ପବ୍ଲିକ୍ ସ୍କୁଲ ଉଦ୍ଘାଟିତ ହୋଇଯାଇଅଛି । ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଅନୁଗୁଳ ଜିଲ୍ଲାପାଳ ଶ୍ରୀଯୁକ୍ତ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ (ଆଇ . ଏ.ଏସ.) ଯୋଗଦାନ କରି ଅନୁଗୁଳବାସୀଙ୍କର ଅନେକ ଦିନର ସ୍ବପ୍ନ ସାକାର ହେଲା ବୋଲି ପ୍ରକାଶ କରିଥିଲେ ।ଏହି ଉତ୍ସବରେ ବିପୁଳ ସଂଖ୍ୟାରେ ଯୋଗ ଦେଇଥିବା ଦର୍ଶକ ଓ ଅଭିଭାବକଙ୍କୁ ଦେଖି ସନ୍ତୋଷ ପ୍ରକାଶ କରିଥିଲେ । ଅଧିକ ସଂଖ୍ୟାରେ  ଡି. ଏ.ଭି. ପବ୍ଲିକ୍ ସ୍କୁଲ ଅନୁଗୁଳ ଜିଲ୍ଲାରେ ପ୍ରତିଷ୍ଠିତ ହେଉ ଏବଂ ଛାତ୍ରଛାତ୍ରୀମାନେ ଉଚ୍ଚମାନର ଶିକ୍ଷା ଲାଭ କରିବାର ସୌଭାଗ୍ୟ ଲାଭ କରନ୍ତୁ ବୋଲି ଆଶା ବ୍ୟକ୍ତ କରିଥିଲେ । ଏହି ମହତ ଉଦ୍ଦେଶ୍ୟ ଚରିତାର୍ଥ କରିବା ପାଇଁ ଜିଲ୍ଲା ପ୍ରଶାସନ ସଦା ତତ୍ପର ରହିବ ଏବଂ ସହଯୋଗ ପ୍ରଦାନ କରିବ ବୋଲି ଆଶ୍ୱାସନା ଦେଇଥିଲେ । ଉତ୍ସବର ଅନ୍ୟତମ ଅତିଥି ଭାବରେ ଅନୁଗୁଳ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ବାସୁଦେବ ଶତପଥୀ ଯୋଗଦାନ କରିଥିଲେ ।ଏହି ସମାରୋହରେ ଡି. ଏ.ଭି. ଜୋନ –୧ର ଆଞ୍ଚଳିକ ଅଧିକାରୀ ଡକ୍ଟର କେଶବ ଚନ୍ଦ୍ର ଶତପଥୀ ଅନୁଗୁଳବାସୀଙ୍କ ପାଇଁ  ଡି .ଏ.ଭି  ବିଦ୍ୟାଳୟ ପ୍ରତିଷ୍ଠା ଏକ ଅମୂଲ୍ୟ ଉପହାର ବୋଲି ମତବ୍ୟକ୍ତ କରିଥିଲେ । ରାଜଧାନୀ ଭୁବନେଶ୍ବରରେ ଯେଭଳି ଶିକ୍ଷାର ଗୁଣାତ୍ମକ ମାନ ଉପଲବ୍ଧ ତାହା ଏଠାରେ ଛାତ୍ର ଛାତ୍ରୀମାନେ ପାଇପାରିବେ ବୋଲି ଆଶ୍ୱାସନା ଦେଇଥିଲେ। ଏହି ବିଦ୍ୟାଳୟକୁ ରାଷ୍ଟ୍ରୀୟ ସ୍ତରକୁ ନେଇଯିବା ପାଇଁ ସହରବାସୀଙ୍କ ସହଯୋଗ କାମନା କରିଥିଲେ । ଉପ ଆଞ୍ଚଳିକ ଅଧିକାରୀ ଜୋନ୍ – ଡି ତଥା ଡି.ଏ.ଭି. ପବ୍ଲିକ୍ ସ୍କୁଲ,ଏମ୍. ସି.ଏଲ୍ ,କଳିଙ୍ଗ କ୍ଷେତ୍ରର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ଭୋଇ , ଯାହାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟ ପ୍ରତିଷ୍ଠିତ, ନୂତନ ଭାବରେ ଯୋଗଦେଇଥିବା ଛାତ୍ର ଛାତ୍ରୀ ଏବଂ ଅଭିଭାବକମାନଙ୍କୁ ବିଦ୍ୟାଳୟକୁ ଉଚ୍ଚତମ ସୋପାନରେ ପହଞ୍ଚାଇବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।                 

 ମାନ୍ୟବର ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସ୍ୱାଇଁ ଅନୁଗୁଳ ଜିଲ୍ଲାପାଳ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ସମାରୋହରେ ନବ ଉଦ୍ଘାଟିତ ଡି.ଏ.ଭି. ପବ୍ଲିକ୍ ସ୍କୁଲ ଅନୁଗୁଳର ନବ ନିଯୁକ୍ତ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଏମ୍. ସି.ଏଲ୍ ତାଳଚେରଠାରେ ଅବସ୍ଥିତ ବିଭିନ୍ନ ଡି.ଏ.ଭି. ସ୍କୁଲ ଯଥା–ଡି.ଏ.ଭି.ପବ୍ଲିକ୍ ସ୍କୁଲ ଏମ୍. ସି.ଏଲ୍ କଳିଙ୍ଗ କ୍ଷେତ୍ର , ଡି.ଏ.ଭି.ପବ୍ଲିକ୍ ସ୍କୁଲ ଏମ୍. ସି.ଏଲ୍ ଜଗନ୍ନାଥ କ୍ଷେତ୍ର ,ଡି.ଏ.ଭି.ପବ୍ଲିକ୍ ସ୍କୁଲ ଏମ୍. ସି.ଏଲ୍ ଅନନ୍ତ କ୍ଷେତ୍ର ଓ ଡି.ଏ.ଭି.ପବ୍ଲିକ୍ ସ୍କୁଲ ଏନ୍ .ଟି. ପି.ସି./ ଟି.ଟି.ପି.ଏସ୍ ର ଛାତ୍ରଛାତ୍ରୀମାନଙ୍କଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଡି.ଏ.ଭି.ପବ୍ଲିକ୍ ସ୍କୁଲ ଏମ୍. ସି.ଏଲ୍ କଳିଙ୍ଗ କ୍ଷେତ୍ରର ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ସମାରୋହର ଶେଷ ପର୍ଯ୍ୟାୟରେ ନବ ଗଠିତ ଡି.ଏ .ଭି.ପବ୍ଲିକ୍ ସ୍କୁଲ ଅନୁଗୁଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀଯୁକ୍ତ ମାନସ ରଞ୍ଜନ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.