ଯାଜପୁରଠାରେ ଅନ୍ୱେଷଣ ଥିଏଟର ପ୍ରଯୋଜିତ ପ୍ରଥମ ଚଳଚିତ୍ର ‘ଫନି’ର ଲୋକାର୍ପଣ

ଯାଜପୁର :  ଜିଲ୍ଲାର ଅଗ୍ରଣୀ ଥିଏଟର ଅନୁଷ୍ଠାନ ଅନ୍ୱେଷଣ ଦ୍ୱାରା ପ୍ରସ୍ତୁତ ହୋଇଥିବା ପ୍ରଥମ ଚଳଚିତ୍ର ‘ଫନି’ର ଶୁଭ ଉନ୍ମୋଚନ ଉତ୍ସବ ଡି.ଆ.ଡି.ଏ ସମ୍ମିଳନୀ କକ୍ଷରେ ବେଶ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ରବିବାର ଦିନ ସକାଳେ ଅନୁଷ୍ଟିତ ହୋଇଯାଇଛି ।ଅନୁଷ୍ଠାନର ଉପଦେଷ୍ଟା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ଭୂପତି ଭୂଷଣ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲିକ ମୁଖ୍ୟଅତିଥିଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିବା ସହ ମହାବାତ୍ୟା ‘ଫନି’ ପ୍ରଭାବରେ ଯାଜପୁର ଜିଲ୍ଲା ଆଶିଂକ ପ୍ରଭାବିତ ହୋଇଥିଲେବି ତୃତୀୟ ଲିଙ୍ଗିଙ୍କ ଉପରେ ଆଧାରିତ ନିର୍ଦ୍ଦେଶକ ପ୍ରସନ୍ନ ବିଶ୍ୱାଳଙ୍କ ନିର୍ଦ୍ଦେଶିତ ଚଳଚିତ୍ର ‘ଫନି’ ସମଗ୍ର ରାଜ୍ୟରେ ଏହାର ପ୍ରଭାବ ବିସ୍ତାର କରୁ । ଆମ ରାଜ୍ୟ ଉତ୍କଳ ଉତ୍କୃଷ୍ଟ କଳା ପାଇଁ ସମଗ୍ର ବିଶ୍ୱରେ ପରିଚିତ । ସେହି କଳାକୁ ଉଜ୍ଜିବିତ ରଖିବା ପାଇଁ ଅନ୍ୱେଷଣର ଉଦ୍ୟମ ବେଶ ପ୍ରସଂଶନୀୟ ବୋଲି କହିଥିଲେ ।କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ଦୁର୍ଯ୍ୟୋଧନ ମଲିକ, ଉତ୍କଳ ସାମ୍ବାଦିକ ସଂଘ ଜିଲ୍ଲା ସଭାପତି ହରିହର ସ୍ୱାଇଁ, ଯାଜପୁର ମୁନିସିପାଲଟି ଅଧ୍ୟକ୍ଷା ଶ୍ରୀମତୀ ରଞ୍ଜୁଲତା ହୋତା, ଦଶରଥପୁର ବ୍ଲକ୍‌ର ପୂର୍ବତନ ଉପାଧ୍ୟକ୍ଷ ବିଷ୍ଣୁ ଚରଣ ମହାପାତ୍ର, ବରୁଣେଶ୍ୱର ମହାବିଦ୍ୟାଳୟ ଅଧ୍ୟକ୍ଷ ବଟକୃଷ୍ଣ ରାଉତ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିବାବେଳେ ଯାଜପୁର ମୁନିସିପାଲଟି ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲିକ ମୁଖ୍ୟବକ୍ତାଭାବେ ଯୋଗ ଦେଇ ଯାଜପୁରର ଐତିହ ସଂସ୍କୃତି ସମ୍ପର୍କରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ମିଡ଼ିଆ ସେଲ ମୁଖ୍ୟ ସୁରେଶ କୁମାର କର ଅତିଥିମାନଙ୍କୁ ନିମନ୍ତ୍ରଣ କରିଥିବାବେଳେ ସୁବାଷ ଚନ୍ଦ୍ର ଦେବତା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଅତିଥି ପରିଚୟ ଭରତ ଚନ୍ଦ୍ର ବେହେରା ଦେଇଥିବାବେଳେ ଅନ୍ୱେଷଣର ସଭାପତି ବୃନ୍ଦାବନ ମିଶ୍ର କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ସମ୍ପାଦକ ଅଭିମନ୍ୟୁ ମିଶ୍ର ସମ୍ପାଦକୀୟ ସହ ଫନି ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା ଓ ତପସ୍ୱିନୀ ମଲିକ ସ୍ୱାଗତ ନୃତ୍ୟ ମାଧ୍ୟମରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ ପରେ ପରେ ଅନୁଷ୍ଠାନ ପକ୍ଷରୁ ଯାଜପୁର ମୁନିସିପାଲଟି ଅନ୍ତର୍ଗତ ସମସ୍ତ କାଉନସେଲର, ଫନି ଫିଲ୍ମର ସମସ୍ତ କଳାକାର, ନିର୍ଦ୍ଦେଶକ ପ୍ରସନ କୁମାର ବିଶ୍ୱାଳ, ସଙ୍ଗୀତ ନିର୍ଦ୍ଦେଶକ ଦିନେଶ୍ ମଳିକଙ୍କ ସମେତ ଅନ୍ୟ ସାମାଜିକ କର୍ମୀମାନଙ୍କୁ ସମ୍ମାନିତ କରାଯିବା ସହ ଫନି ଚଳଚିତ୍ର ପ୍ରଦର୍ଶିତ କରାଯାଇଥିଲା ।

Leave A Reply

Your email address will not be published.