ବରୀ : ଆଗାମୀ ବର୍ଷା ଋତୁକୁ ଆଖି ଆଗରେ ରଖି ବରୀ ବନ୍ୟା ପ୍ଲାବିତ ଅଞ୍ଚଳର ନଦୀବନ୍ଧ ଏବଂ ବନ୍ୟାଜଳ ନିଷ୍କାସନ ନେଇ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ ନେଇ ବରୀ ବିଧାୟିକା ସୁନନ୍ଦା ଦାସ ଓ କଟକ ଜଳ ସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ ବାଲେଶ୍ୱରନାଥ ସାହୁ ବରୀ ଗସ୍ତ କରିବା ସହ ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି । ଶନିବାର ସକାଳେ ଜାରକା ଜଳସମ୍ପଦ ବିଭାଗ ଅନ୍ତର୍ଗତ ବ୍ରାହ୍ମଣୀ ଦକ୍ଷିଣପାଶ୍ୱର୍ ଓ କେଲୁଅର ବାମ ପାଶ୍ୱର୍ରେ ରହିଥିବା ବନ୍ୟା ପ୍ଲାବିତ ଅଞ୍ଚଳର ଜଳ ନିଷ୍କାସନ ଏବଂ ନଦୀବନ୍ଧ ସୁଦୃଢିକରଣ ନେଇ ବରୀ ବିଧାୟିକା ଶ୍ରୀମତୀ ଦାସ ଜଳ ସମ୍ପଦ ବିଭାଗର ଉଚ୍ଚ ପଦସ୍ତ ଅଧିକାରୀଙ୍କୁ ଧରି ବନ୍ଧଡିହ ପଞ୍ଚାୟତ ଅନ୍ତର୍ଗତ ଆଖୁଆନାଳ ନିକଟରେ ବନ୍ୟା ଜଳ ନିଷ୍କାସନ ସ୍ଥିତି ଅନୁଧ୍ୟାନ କରିଥିଲେ । ପରେ ମହାକାଳପଡା ପଞ୍ଚାୟତର ନଦୀବନ୍ଧ ଏବଂ ଦୋଆବ ଅଞ୍ଚଳର ବନ୍ୟାଜଳ ବ୍ୟାରେଜ୍ ଦେଇ କେଲୁଅ ନଦୀରେ ମିଶୁଥିବା ସ୍ଥାନ ପରିଦର୍ଶନ କରିଥିଲେ । ରସୁଲପୁର ବ୍ଲକ୍ର ବ୍ରହ୍ମବରଦା, ବନ୍ଧଡିହ ପଞ୍ଚାୟତଠାରୁ ଆରମ୍ଭ କରି ବରୀ ବ୍ଲକ୍ର ଗୋଳକୁଣ୍ଡ, ସ୍ୱାଇଁଖଣ୍ଡ, ଇଶାଣପୁର, ବାଲିଆ, ଧାରପୁର, ସାହୁପଡ଼ା, ଚନ୍ଦନପୁର, ମନ୍ଦାରୀ, ସେରପୁର, ଗମୁ, ମହାକାଳପଡା, ଅମଠପୁର, ରତ୍ନଗିରି ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷଜମି ବର୍ଷା ଋତୁ ସମୟରେ ବର୍ଷା ଜଳ ଜମି ରହିବା ଫଳରେ ଠିକଣା ସମୟରେ ଏହାର ନିଷ୍କାସନ ନେଇ ନାନା ସମସ୍ୟା ଉପୁଜିଥାଏ । ଏପରିକି କେଲୁଅ ନଦୀର ବନ୍ୟାଜଳ ସ୍ରୋତ ମହାକାଳପଡା ବ୍ୟାରେଜ୍କୁ ଚାପ ଦେବା ଫଳରେ ଦୋଆବ ଅଞ୍ଚଳର ବନ୍ୟାଜଳ ନିଷ୍କାସନରେ ବହୁବିଧ ସମସ୍ୟା ସୃଷ୍ଟି ହୋଇଥାଏ । ଫଳରେ ଧାନ ଫସଲ ଉଜୁଡିବା ସହ ଚାଷୀ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥାନ୍ତି । ଏ ସବୁରୁ ରକ୍ଷା ପାଇବା ପାଇଁ କି ପଦକ୍ଷେପ ନିଆଯାଇପାରିବ ଏବଂ ଆବଶ୍ୟକ ଅର୍ଥ ସରକାର ଯୋଗାଇଦେବା ପାଇଁ ବିଧାୟିକା ଶ୍ରୀମତୀ ଦାସ ବିଭାଗୀୟ ମୁଖ୍ୟଯନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ବର୍ଷା ଋତୁ ଆସୁଥିବାରୁ ନଦୀବନ୍ଧ ସୁଦୃଢିକରଣ, ବନ୍ୟାଜଳ ନିଷ୍କାସନ, ଧନ ଜୀବନ ସୁରକ୍ଷା ନେଇ ବିଭାଗୀୟ ବୈଠକରେ କାର୍ଯ୍ୟ ଖସଡ଼ା ଅନୁମୋଦନ ହେବାକୁ ଥିବାରୁ ସମ୍ଭାବ୍ୟସ୍ଥଳି ପରିଦର୍ଶନ କରିବାର ଆବଶ୍ୟକତା ଥିବାରୁ ଏ ସବୁ ଅଞ୍ଚଳ ବୁଲି ଦେଖିବା ଜରୁରୀ ଥିଲା । ଆଗାମୀ ଦିନରେ ଆବଶ୍ୟକ ଅର୍ଥ ବିଭାଗ ପକ୍ଷରୁ ଅନୁମୋଦନ କରାଯାଇ ବିଭିନ୍ନ କାର୍ଯ୍ୟ ହାତକୁ ନିଆଯିବ ବୋଲି ମୁଖ୍ୟଯନ୍ତ୍ରୀ ଶ୍ରୀ ସାହୁ ପ୍ରକାଶ କରିଥିଲେ । ବିଧାୟିକା ଶ୍ରୀମତୀ ଦାସଙ୍କ ସହ ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଚିତ୍ତରଂଜନ ମହାନ୍ତି, ଅଧିକ୍ଷଣଯନ୍ତ୍ରୀ ବିରେନ୍ କୁମାର ଜେନା, ସହକାରୀ ଯନ୍ତ୍ରୀ ଅନନ୍ତଭୀମ ଦେଓ, କନିଷ୍ଠଯନ୍ତ୍ରୀ ଶମ୍ଭୁପ୍ରସାଦ ବେହେରା, ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସ, ଜିଲ୍ଲାପରିଷଦ ସଭ୍ୟ ଅଶୋକ କୁମାର ସାମଲ, ବାଲିଆର ପୂର୍ବତନ ସମିତିସଭ୍ୟ ପ୍ରଦିପ କୁମାର ଘଡାଇ, ଗମୁ ସରପଞ୍ଚ ଜଗ୍ଦିଶ ଜେନା, ଯୁବ ନେତା ନିହାର ରଂଜନ, ପ୍ରମୁଖ ଏହି ଗସ୍ତ ସମୟରେ ଉପସ୍ଥିତ ଥିଲେ ।