ଆନ୍ତଃଜିଲ୍ଲା ଖଣିମାଫିଆଙ୍କ  ପଛରେ ପ୍ରଭାବଶାଳୀ ରାଜନେତାଙ୍କ ହାତ ସନ୍ଦେହ  

ବଲାଙ୍ଗୀର  :  ( ମଳୟ ମିଶ୍ରଙ୍କ ରିପୋର୍ଟ )  ଗତ ୧୧ ତାରିଖ ରାତିରେ ପାଟଣାଗଡ ଲରମ୍ଭାଥାନା ଅନ୍ତର୍ଗତ ଚମ୍ପାସର ଗ୍ରାମର ସିଲ୍ ମାଙ୍ଗାନିଜ୍ ଖଣିରୁ ଚୋରାଚାଲାଣବେଳେ ଗ୍ରାମବାସୀଙ୍କ ହାତରେ ଧରାପଡିବାପରେ ଲରମ୍ଭାପୁଲିସ୍ ଏଥିରେ ଜଡିତ ବାହାର ଅଞ୍ଚଳର ୫ ଜଣଙ୍କୁ ଗିରଫ କରିବା ସହିତ ମାଙ୍ଗାନିଜ୍ ବୋଝେଇ ଏକ ଟ୍ରକ୍ ଓ ଏକ ଜେସିବିକୁ ଜବତ କରିଥିଲା ।  ଏହି ଚୋରାଚାଲାଣରେ ଗିରଫ ଜଣେ ମ୍ୟାନେଜର ଓ ଚାଳକଙ୍କ ସୂଚନାକ୍ରମେ ଏହା ବରାବର ଛତିଶଗଡର ଚାମ୍ପାଜିଲ୍ଲାକୁ ଚୋରାଚାଲାଣ ହୋଇଆସୁଥିବା ଓ ଏଥିରେ ବ୍ରଜରାଜନଗରର ସୁନୀଲ୍ ଶ୍ରୀବାସ୍ତବ ନାମକଜଣେ ଖଣିମାଫିଆ ସେମାନଙ୍କୁ ପଠାଇଥିବା ପ୍ରକାଶ ।  ଆହୁରି ମଧ୍ୟ ଏହି କାରବାରରେ ଝାରସୁଗୁଡା ସମେତ ସମ୍ବଲପୁର ଓ ବରଗଡ଼ର ଖଣିଦଲାଲମାନେ ସକ୍ରିୟ ରହିଥିବା ଜଣାଯାଇଛି ।  ପ୍ରକାଶ ଯେ , ସୁକତେଲ ନଦୀକୂଳ ଚମ୍ପାସର ଗ୍ରାମ ନିକଟରେ ଥିବା ୨ଟି ମାଙ୍ଗାନିଜ୍ ଖଣିକୁ ସମ୍ବଲପୁରର ଜଣେ ଅଣଓଡିଆ ଖଣିଠିକାଦାର ଲିଜ୍ ରେ ନେବାପରେ ଅନୁମତିଠାରୁ ଦଶଗୁଣା ଖଣିଜଦ୍ରବ୍ୟ ଉତ୍ତୋଲନ କରୁଥିବା ଅଭିଯୋଗ ହେବାରୁ ଗତ ୨୦୦୯ -୧୦ ରେ ତାଙ୍କ ବିରୋଧରେ ଭିଜିଲାନ୍ସ ମାମଲା ଋଜୁ କରାଯାଇ ତଦନ୍ତ ପୂର୍ବକ ଏହି ଖଣିକୁ ସିଲ୍ କରାଯାଇ ପ୍ରାୟ ୨୧ କୋଟି ଟଙ୍କାର ଜରିମାନା ଆଦାୟ କରାଯିବାକୁ ଖଣିବିଭାଗ ଧାର୍ଯ୍ୟ କରିଥିବା ପ୍ରକାଶ । ବନବିଭାଗ ଓ ରାଜସ୍ୱ ବିଭାଗକୁ ମଧ୍ୟ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ବୋଲି ମଝିରେ ପ୍ରକାଶ ପାଇଥିଲା । ତେବେ ସେହିଦିନଠାରୁ ଏକର ଏକର ଜମିରେ ପଡିରହିଥିବା ଏହି ମାଙ୍ଗାନିଜ୍ ର ଚୋରାଚାଲାଣ ଗତ ୧୨ ବର୍ଷତଳୁ ମଝିରେ ମଝିରେ ଅବ୍ୟାହତ ରହିଆସିଥିବା ପ୍ରକାଶ । ଏଠାରେ ଗଚ୍ଛିତଥିବା ମାଙ୍ଗାନିଜ୍ କଞ୍ଚାମାଲ ରାଜ୍ୟବାହାରକୁ ଏବଂ ସମ୍ବଲପୁର , ଝାରସୁଗୁଡା ଇତ୍ୟାଦି ଅଞ୍ଚଳରେ ଥିବା ଲୁହା କାରଖାନା ଓ ସ୍ପଞ୍ଜ କାରଖାନାଗୁଡିକୁ ବରାବର ଏଭଳି ଚୋରାଚାଲାଣ ହୋଇଆସୁଥିବା କୁହାଯାଉଛି । ଏହା ପଛରେ କେତେକ ସ୍ଥାନୀୟ ରାଜନେତାଙ୍କ ସମେତ ରାଜ୍ୟର ବଡବଡ ପ୍ରଭାବଶାଳୀ ରାଜନେତାମାନେ ଜଡିତ ରହିଥିବା ସନ୍ଦେହ କରାଯାଉଛି । ଏହି ସୁନୀଲ୍ ଶ୍ରୀବାସ୍ତବ ଜଣକ ନିକଟରେ ରାୟ ପ୍ରକାଶ ପାଇଥିବା ବ୍ରଜରାଜନଗର ଓ ପଡୋଶୀ ଛତିଶଗଡ ଜିଲ୍ଲାର ଚକ୍ରଧନନଗର ଥାନା ଅଞ୍ଚଳର ଏକ ହାଇପ୍ରୋଫାଇଲ୍ ଡବଲହତ୍ୟାକାଣ୍ଡର ଶିକାର ହୋଇଥିବା ଦୁଇଜଣ ମହିଳାଙ୍କ ସମ୍ପର୍କୀୟ କି  ? ‘ ବୋଲି ବି ଚର୍ଚ୍ଚା ହେଉଛି । ଏଣୁ ବଲାଙ୍ଗୀର ବା ପାଟଣାଗଡ ପୁଲିସ୍ ର ହାତ ଏଭଳି ଖଣିମାଫିଆ ବା ଖଣିଦଲାଲଙ୍କୁ ଧରିପାରିବାରେ କେତେ ସମର୍ଥ ହେବ , ଏନେଇ ଲୋକେ ସନ୍ଦେହ ପ୍ରକାଶ କରନ୍ତି । ତେବେ ଏଭଳି ଖଣିଜଦ୍ରବ୍ୟ ଚୋରିରେ ଆନ୍ତଃଜିଲ୍ଲା ଓ ଆନ୍ତଃରାଜ୍ୟର ଲୁହାକାରଖାନାଗୁଡିକର ସମ୍ପୃକ୍ତି ଥିବା ଏତଦ୍ଦ୍ବାରା ସୂଚନା ମିଳୁଛି ।

Leave A Reply

Your email address will not be published.