ବଲାଙ୍ଗୀର : ( ମଳୟ ମିଶ୍ରଙ୍କ ରିପୋର୍ଟ ) ପ୍ରଧାନମନ୍ତ୍ରୀଙ୍କ ଆକାଂକ୍ଷୀଜିଲ୍ଲା ଭାବେ ଘୋଷିତ ବଲାଙ୍ଗୀରଜିଲ୍ଲାକୁ କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ସାଧ୍ବୀ ନିରଞ୍ଜନ ଜ୍ୟୋତିଙ୍କ ଗସ୍ତର ଦିନକପରେ କେନ୍ଦ୍ରୀୟ ଟିମ୍ ର ଚାଉଳଯାଞ୍ଚ୍ ରିପୋର୍ଟ ପ୍ରକାଶ ପାଇଛି । ଗତ ଫେବୃଆରୀ ମାସରେ ଖାଦ୍ୟ ଓ ସାଧାରଣ ବିତରଣ ସହକାରୀ ନିର୍ଦ୍ଦେଶକ ପ୍ରୀତି ଶୁକ୍ଳାଙ୍କ ନେତୃତ୍ବରେ ଗଠିତ ଏହି ଟିମ୍ ସମ୍ବଲପୁର ଓ ଟିଟିଲାଗଡ ଡିଭିଜନ ଅନ୍ତର୍ଗତ ୯ ଟି ଜିଲ୍ଲାର ଚାଉଳ ଯାଞ୍ଚ୍ କରିଥିଲେ । ଏଥିରେ ସମ୍ବଲପୁର , ବରଗଡ , ଝାରସୁଗୁଡା , ବଲାଙ୍ଗିର , ନୂଆପଡା , ଦେବଗଡ , ସୁବର୍ଣ୍ଣପୁର , ସୁନ୍ଦରଗଡ ଓ କଳାହାଣ୍ଡିଆଦି ଜିଲ୍ଲାର ଚାଉଳ ଯାଞ୍ଚ କରିଥିଲେ । ସେମାନେ ୧୧୨ଟି ନମୁନା ସଂଗ୍ରହ କରି କେନ୍ଦ୍ର ସରକାରଙ୍କ ନିରୂଦ୍ଧା ଗୁଣାତ୍ମକମାନରେ ପରୀକ୍ଷା କରି ସେଥିରୁ ୧୦୨ ଟି ନମୁନାର ନକାରାତ୍ମକ ରିପୋର୍ଟ ପାଇଛନ୍ତି । ଏଥିରେ ୩୯ଟି ନମୁନା ବା ୯୦% ଖାଇବା ଅନୁପୋଯୋଗୀ ଥିଲାବେଳେ ୬୩ % ଟି ଖାଇବା ଉପଯୋଗୀ ହେଲେ ମଧ୍ୟ ନିମ୍ନମାନର ବୋଲି କୁହାଯାଇଛି । ଦିଲ୍ଲୀସ୍ଥିତ ପରୀକ୍ଷାଗାରରୁ ଦୁଇମାସ ପରେ ଏହି ରିପୋର୍ଟ ଆସିଛି । ଏଥିରେ ୬୦ଟି ମିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯାଇଥିବା ପ୍ରକାଶ ।
ଗୁଣାତ୍ମକମାନର ଚାଉଳ ପ୍ରସ୍ତୁତ ପାଇଁ ମିଲରମାନଙ୍କୁ ରାଜ୍ୟ ଯୋଗାଣ ବିଭାଗ ଜରିଆରେ ଲକ୍ଷାଧିକ ଟଙ୍କା ଦିଆଯାଉଥିବା ସତ୍ତ୍ୱେ ଟ୍ୟାଗ୍ କରାଯାଇଥିବା ମିଲର୍ସମାନେ ଯୋଗାଣ ବିଭାଗକୁ ନିକୃଷ୍ଟ ଲାଭ ନିମନ୍ତେ ନିମ୍ନମାନର ଚାଉଳ ଦେଇଥିବା ଏହି ରିପୋର୍ଟରେ ସ୍ପଷ୍ଟ ହୋଇଯାଇଛି । ଜିଲ୍ଲା ଯୋଗାଣ ଅଧିକାରୀମାନେ ଏଥିପାଇଁ ସେମାନଙ୍କୁ ସହଯୋଗ କରିଛନ୍ତି । ଏବେ ସେମାନେ ଯେତିକି ନିମ୍ନମାନର ଚାଉଳ ଦେଇଛନ୍ତି , ସେତିକି ପରିମାଣର ଗୁଣାତ୍ମକମାନର ଚାଉଳ ଭରଣା କରିବେ । ନଚେତ୍ ସେମାନଙ୍କୁ କଳାତାଲିକାଭୁକ୍ତ କରିଦିଆଯିବ ବୋଲି ଚେତାବନୀ ଦିଆଯାଇଛି । ଗତବର୍ଷ ପୂର୍ବଓଡିଶାରେ ଏଭଳି ନିମ୍ନମାନର ବିତଳଣ ଦେଖିବା ପରେ କେତେକ ତଳିଆ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିଲେ ହେଁ , କୌଣସି ସିଏସଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନଥିବା ପ୍ରକାଶ । କେନ୍ଦ୍ରୀୟ ଟିମ୍ ର ଏହି ରିପୋର୍ଟ ପ୍ରକାଶ ପାଇବା ସହ ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କ ଜିଲ୍ଲାଗସ୍ତ ପରେ ସ୍ଥାନୀୟ ଯୋଗାଣ ବିଭାଗ ସମେତ ମିଲର୍ସମାନେ ଛାନିଆ ପଶିଯାଇଛି । ଏହାର ଅନ୍ୟାୟୋଚିତ ଫାଇଦା ଉଠାଇବାକୁ କେତେକ ଦଳୀୟ ବରିଷ୍ଠ ରାଜନେତା ବା ନିର୍ବାଚିତ ଲୋକପ୍ରତିନିଧିଙ୍କ ନିର୍ଦ୍ଦେଶରେ ସେମାନଙ୍କ ଅନୁଗତ ଦଳୀୟ କର୍ମୀମାନଙ୍କ ଜରିଆରେ ପ୍ଯୋରଶାସନ ବା ଯୋଗାଣ ବିଭାଗର ଅଧିକାରୀଙ୍କ ସହାୟତାରେ ଭିତିରିଆ ମିଲର୍ସମାନଙ୍କଠାରୁ ମୋଟାଅଙ୍କର କାରବାର ଆରମ୍ଭ ହୋଇଯାଇଥିବାର ଏକ ଗୁରୁତର ସନ୍ଦେହ ଓ ଚର୍ଚ୍ଚା ଶୁଣାଯାଇଛି । ପରେ ଏ ସମ୍ପର୍କରେ ଏକ ଚାଞ୍ଚଲ୍ୟକର ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ ପାଇବ ।
ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ , ଏଥିପାଇଁ ଦାୟୀ କିଏ ? ପଶ୍ଚିମଓଡିଶା ବନାମ ବଲାଙ୍ଗୀର , ସୁବର୍ଣ୍ଣପୁର , ବରଗଡ , କଳାହାଣ୍ଡି , ନୂଆପଡା ଆଦି ଜିଲ୍ଲାମାନଙ୍କରେ ଧାନଚାଉଳର ସରକାରୀ କିଣାବିକା , ଧାନମଣ୍ଡି , ମିଲର୍ସମାନଙ୍କ ଦ୍ବାରା ଧାନକିଣା ଓ ଚାଉଳ ପ୍ରକ୍ରିୟାକରଣ , ଆରଆରସି ବା ଚାଉଳ ସଂଗ୍ରହକେନ୍ଦ୍ରର କାରବାର , ରାଜ୍ୟ ଓ କେନ୍ଦ୍ର ଗୋଦାମ , ବିଭିନ୍ନ ସରକାରୀ ଯୋଜନାର ପରିବହନ ଓ ଧରପଗଡଘଟଣର ତଦନ୍ତରେ ହେରଫେର ଇତ୍ୟାଦି ଘଟଣାରେ ସରକାର ମୁଖ୍ୟତଃ ନୀରବଦ୍ଟଷ୍ଟା ରହିଆସିଛନ୍ତି । ଯୋଗାଣ ବିଭାଗ , ପ୍ରଶାସନ , ବେପାରୀ ଓ ରାଜନେତାଙ୍କ ମିଳିତ ମଧୁଚନ୍ଦ୍ରିକାରେ ବର୍ଷ ବର୍ଷ ଧରି ଲୋକଲୋଚନକୁ ଆସୁଥିବା କାଣ୍ଡକାରଖାନାଗୁଡିକୁ ଚପାଇ ଦିଆଯାଇଛି । ପୂର୍ବ ସରକାର ଅମଳରୁ ଅଦ୍ୟାବଧି ସେଇ ପୁରୁଣାମୂଷା ଚାଉଳ ହୋଳସେଲର , ଡିଲର , ଏଡେଣ୍ଟ ଓ ଅସ୍ଥାୟୀ କର୍ମଚାରୀମାନେ ଚାଉଳ ବାଟମାରଣାରୁ ଦିନମଜୁରିଆରୁ କୋଟିପତି ପାଲଟି ଯାଇଛନ୍ତି । ଧାନର ଅଭାବୀବିକ୍ରି , ଚାଉଳ ରିସାଇକ୍ଲିଂ ଓ ସରକାରୀ ରିହାତି ଚାଉଳକୁ ପୁଣି ମିଲ୍ ଓ ଗୋଦାମକୂ ପଠାଇ ବେଆଇନ୍ ଧନ୍ଦା ଚାଲିଛି । ଆର ଆର ସି ର ଅସ୍ଥାୟୀ ପ୍ରୋକ୍ୟୁଅର୍ ମେଣ୍ଟ ବା କ୍ବାଲିଟି କଣ୍ଟ୍ରୋଲ୍ ଇନିସପେକ୍ଟର ହୁଅନ୍ତୁ , ବାରମ୍ବାର ଭିଜିଲାନ୍ସରେ ଧରାପଡି , ଅନ୍ୟାୟୋପାର୍ଜିତ ସମ୍ପତ୍ତି ଠୁଳ କରି ପଦୋନ୍ନତି ପାଇ ପାଇ ଯୋଗାଣବିଭାଗର ବଡ ଅଧିକାରୀ ପଦରେ ଅବସ୍ଥାପିତ ଅଧିକାରୀ ହୁଅନ୍ତୁ , କତିପୟ ଉପଜିଲ୍ଲାପାଳ , ଜିଲ୍ଲାପାଳସ୍ତରର ପ୍ରାଶାସନିକ ଅଧିକାରୀ , ମନ୍ତ୍ରୀ ବିଧାୟକ ଓ ଏପରିକି ବିଧାନସଭାରେ ଜଣେ ବିଧାୟକ ସ୍ବରୋତ୍ତଳନ କରିଥିବା ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡର ଜଣେ ପୂର୍ବଅସ୍ଥାୟୀ ଡ୍ରାଇଭରର ଉଦାହରଣ ହେଉ , ସବୁ ସରକାରଙ୍କୁ ଭଲଭାବରେ ଜଣା । ତେଣୁ ଏଥିପାଇଁ ମୁଖ୍ୟତଃ ସରକାର ହିଁ ଦାୟୀ ।
ଏବେ କେନ୍ଦ୍ର ଓ ରାଜ୍ୟର କ୍ଷମତାସୀନ ସରକାରୀ ଦଳର ରାଜନୀତି ଚାଉଳକୁ ନେଇ ଦୋଷାଦୋଷ ସନ୍ଦେହକୁ ମଧ୍ୟ ଏଡାଇ ଦିଆଯାଇ ନପାରେ ।
Prev Post