ବରୀ:ଲୋକଙ୍କ ପାଖରେ ସ୍ୱାସ୍ଥ୍ୟସେବା ପହଂଚାଇବା ପାଇଁ ରାଜ୍ୟ ସରକାର ପ୍ରାଥମିକତା ଦେଇ ଆସୁଛନ୍ତି । ଯେଉଁ ସବୁ ଅଂଚଳ ବିଶେଷ ଭାବେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପାଇବାରୁ ବଂଚିତ ହେଉଛନ୍ତି, ସେଠାରେ ସ୍ୱତନ୍ତ୍ର କ୍ୟାମ୍ପ, ସ୍ୱାସ୍ଥ୍ୟ ମେଳା କରାଯାଇ ବିଭିନ୍ନ ରୋଗର ଚିହ୍ନଟ ଓ ନିରାକରଣ ନିମନ୍ତେ ଔଷଧ ମଧ୍ୟ ବଣ୍ଟନ କରାଯାଉଛି ବୋଲି ବରୀ ବ୍ଲକସ୍ତରୀୟ ବିଶାଳ ସ୍ୱାସ୍ଥ୍ୟମେଳା ଉଦ୍ଘାଟନ କରିବା ଅବସରରେ ବରୀ ବିଧାୟିକା ସୁନନ୍ଦା ଦାସ ପ୍ରକାଶ କରିଛନ୍ତି । ବରୀ ବ୍ଲକସ୍ତରୀୟ ବିଶାଳ ସ୍ୱାସ୍ଥ୍ୟମେଳା ମହାକାଳପଡ଼ା ଗ୍ରାମପଂଚାୟତର ମହାକାଳପଡ଼ା ପ୍ରାଥମିକ ବିଦ୍ୟାଳୟ ପରିସରରେ ବୁଧବାର ଦିନ ଅନୁଷ୍ଠିତ ହୋଇଯାଉଛି । ଏହି କାର୍ଯ୍ୟକ୍ରମକୁ ବରୀ ବିଧାୟିକା ଶ୍ରୀମତୀ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ବରୀ ବିଡ଼ିଓ ଶିବାନନ୍ଦ ସ୍ୱାଇଁ, ପଂଚାୟତ ସମିତି ଉପାଧ୍ୟକ୍ଷା ଅର୍ଚ୍ଚନା ମଲିକ, ମହାକାଳପଡା ସରପଂଚ ପ୍ରଜ୍ଞାପରମିତା ପରିଡ଼ା, ବ୍ଲକ ବିଜେଡ଼ି ସଂଯୋଜକ ଦେବେନ୍ଦ୍ର ଦାସ, ବରୀ ବିଜେଡ଼ି ସଭାପତି କେଦାର ସାମଲ ପ୍ରମୁଖ ଯୋଗଦେଇଥିଲେ । ସକାଳ ସାତଟାରୁ ଆରମ୍ଭ ହୋଇଥିବା ଶିବିର ଦିନ ଗୋଟିଏ ପର୍ଯ୍ୟନ୍ତ ଚାଲିଥିଲା । ବିଭିନ୍ନ ବିଭାଗରେ ଶତାଧିକ ରୋଗୀ ସେମାନଙ୍କ ରୋଗ ଚିହ୍ନଟ କରାଇବା ସହ ମାଗଣାରେ ମଧ୍ୟ ଔଷଧ ନେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଜେ.ଜେ ମିଶ୍ର, ମନୋଜ କୁମାର ସେନାପତି, ସବ୍ୟସାଚି ଦାସ, କୁଆନର ମହମ୍ମଦ୍, ଶର୍ମିଷ୍ଠା ଉଦ୍ଗାତା, ଶଶିକାନ୍ତ ସାହୁ, ପ୍ରବୋଧ କୁମାର ସ୍ୱାଇଁ, ମନୋରଂଜନ ମିଶ୍ର, ଶୁଭଙ୍କର ପାଢୀ, ଆଶିଷ କୁମାର ଦାସ ପ୍ରମୁଖ ଯୋଗ ଦେଇ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ମାନବ ସେବା ହେଉଛି ମାଧବ ସେବା । ଏହି ସେବାକୁ ନିଜର ବୃତ୍ତି ଭାବେ ଆଦରି ନେଇଥିବା ଦ୍ୱିତୀୟ ଈଶ୍ୱର ହେଉଛନ୍ତି ଆମାମାନଙ୍କ ସ୍ୱାସ୍ଥ୍ୟ ସେବା କରୁଥିବା ଡାକ୍ତରମାନେ । ସେମାନଙ୍କୁ ସମ୍ବର୍ଦ୍ଧିତ କରି ବରୀରେ ପୂଜ୍ୟପୂଜା ପରମ୍ପରାକୁ ବଜାୟ ରଖିବା ପାଇଁ ସବୁ ସମୟରେ ଉଦ୍ୟମ ଜାରି ରହିଛି ବୋଲି ବିଧାୟିକା ପ୍ରକାଶ କରିଥିଲେ । ଏହି ଅବସରରେ ଉପସ୍ଥିତ ସମସ୍ତ ଡାକ୍ତରମାନଙ୍କୁ ବୁଦ୍ଧଦେବଙ୍କ ପ୍ରତିମୂର୍ତ୍ତୀ, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ବିଧାୟିକା ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମର ସଫଳ ରୂପାୟନ କ୍ଷେତ୍ରରେ ସ୍ମୃତିରଂଜନ ପରିଡା, ବିରେନ ରାଉତ, ତୁଷାର ଶ୍ୟାନ୍ତି, ବିଜୟ କୁମାର ସାହୁ, ନିର୍ମଳ ଚନ୍ଦ୍ର ରାଉତ, ପ୍ରଭାସ ପରିଡ଼ା, କୁଞ୍ଜ ବିହାରୀ ପରିଡ଼ା, ସଂଗ୍ରାମ କେଶରୀ ସାମଲ, ନୃସିଂହ ଜେନା, ଗୌରଙ୍ଗ ଚରଣ ମଳିକ, ଖଗେଶ୍ୱର ମଳିକ, ରାଜକିଶୋର ମଲିକ ଓ କେଦାର ରାୟ ପ୍ରମୁଖ ସହ ଯୋଗ କରିଥିଲେ ।