ବଲାଙ୍ଗୀର : ( ମଳୟ ମିଶ୍ରଙ୍କ ରିପୋର୍ଟ ) ଗତକାଲି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜର ଜଣେ ପ୍ରଥମବର୍ଷର ଛାତ୍ର ଈଶାନ୍ତ କୁମାରଙ୍କର ମୃତଦେହକୁ ଇଟର୍ନ ହଷ୍ଟେଲ ସାମ୍ନାରେ ରାସ୍ତାଉପରେ ପଡିଥିବା ଦେଖାଯାଇଥିଲା । ସେ ହଷ୍ଟେଲର ପାଞ୍ଚମହଲା ଛାତରୁ ପଡିଯାଇଥିବା କୁହାଯାଉଛି । ଗତ ୨୨ ତାରିଖର ଦିନପ୍ରାୟ ୩ ଟାବେଳେ ତାଙ୍କୁ ଉଦ୍ଧାର କରି କିଛିଛାତ୍ର ଓ କଲେଜ କର୍ତ୍ତୃପକ୍ଷଙ୍କ ଦ୍ବାରା ହାସପାତାଳକୁ ନିଆଯାଇଥିଲା । ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିବା ପ୍ରକାଶ । ଠିକ୍ କେତେବେଳେ , କେଉଁ କାରଣରୁ ଓ କେମିତି ତାଙ୍କର ମୃତ୍ୟୁ ଘଟିଲା ; ଏ ନେଇ ସଠିକ୍ ଜଣାପଡି ନଥିବାବେଳେ ସେ ନିଜେ ଛାତ ଉପରୁ ଡେଇଁପଡି ଆତ୍ମହତ୍ୟା କଲେ ବା ତାଙ୍କୁ କେହି ଠେଲିଦେଇଛି , ସ୍ପଷ୍ଟ ହୋଇନି । ଆଜି ତାଙ୍କ ଘର ହରିୟାଣାରୁ ତାଙ୍କ ବାପାମାଆ ମାମୁଁ ଆସି ପହଞ୍ଚିଲାପରେ ସେମାନେ ଗଣମାଧ୍ୟମରେ ଦୁଇତିନି ହେଲା କଲେଜର ସିନିଅର୍ ଛାତ୍ରଙ୍କ ଦ୍ବାରା ତାଙ୍କୁ ଅକଥନୀୟ ରାଗିଂ କରାଯାଇ ନିର୍ଯାତନା ଦିଆଯାଉଥିବା ସେ କାନ୍ଦି କାନ୍ଦି ତାଙ୍କ ମାଆଙ୍କୁ ଫୋନ୍ ରେ କହିଥିବା ତାଙ୍କ ମାଆ ଏଠାରେ ପ୍ରକାଶ କରିଛନ୍ତି । ତାଙ୍କ ପୁଅକୁ ସେମାନେ ମାରିଦେଲେ ବୋଲି କାନ୍ଦି କାନ୍ଦି ତାଙ୍କମାଆ ଚିତ୍କାର କରି ଗଣମାଧ୍ୟମ ଆଗରେ କହିଛନ୍ତି । କିନ୍ତୁ ମେଡିକାଲ କଲେଜ କର୍ତ୍ତୃପକ୍ଷ ଓ କେତେକ ସିନିଅର୍ ଛାତ୍ର କଲେଜରେ ଆଦୌ ରାଗିଂ ହେଉ ନଥିବା ବା କଲେଜରେ ସେଭଳି କୌଣସି ପରିସ୍ଥିତି ନଥିବା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ମେଡିକାଲ କଲେଜର ଡିନ୍ ଡା. ସବିତା ମହାପାତ୍ର ମଧ୍ୟ ରାଗିଂ ଅଭିଯୋଗକୁ ଅସ୍ବୀକାର କରିଛନ୍ତି । ଆଜି ଜିଲ୍ଲା ମୁଖ୍ୟ ହାସପାତାଳ ବନାମ ମେଡିକାଲ କଲେଜ ହାସପାତାଳର ପୋଷ୍ଟମର୍ଟମ୍ ହାଉସ୍ ରେ ସେଠାକୁ ଯାଇଥିବା ସ୍ଥାନୀୟ ସାମ୍ବାଦିକଙ୍କ ଆଗରେ ମେଡିକାଲ କଲେଜର ଜଣେ ଏଫ୍ଏମ ଟି ପ୍ରଫେସର ଜ୍ୟୋତି ପ୍ରକାଶ ଚୌଧୁରୀ , ବଲାଙ୍ଗୀର ସଦର ଏସଡିପିଓ ତୋଫାନ୍ ବାଗ , ଟାଉନ ଥାନାଧିକାରିଣୀ ଓ ମେଡିକାଲ ଷ୍ଟାଫ୍ ସହ ତାଙ୍କ ପରିବାରର ମୃତ ଡାକ୍ତରୀଛାତ୍ରଙ୍କ ମାଆ , ବାପା ଓ ସମ୍ପର୍କୀୟମାନଙ୍କ ମଧ୍ୟରେ ଘଣ୍ଟା ବ୍ୟାପି କୌଣସି ସଲାସୁତୁରା ହେଉଥିବା ଭଳି ଦେଖାଯାଇଥିଲା ।
ଏଥିରୁ ସାମ୍ବାଦିକମାନେ ମାମଲାଟିକୁ ଚପାଇଦେବାକୁ ଯୋର୍ ଦାର୍ ଉଦ୍ୟମ ହେଉଥିବା ସନ୍ଦେହ ପ୍ରକାଶ ପାଇଥିଲା । କୌଣସି କାରଣରୁ କୁଆଡେ ତାଙ୍କ ପରିବାରବର୍ଗ ପୋଷ୍ଟମର୍ଟମ୍ କରାଇ ନଦେବାକୁ ଅଡି ବସିଥିବା କୁହାଯାଇଥିଲା । ତେବେ ପୁଲିସ୍ ଓ ମେଡିକାଲ କଲେଜ କର୍ତ୍ତୃପକ୍ଷ ନିଶ୍ଚୟ ପୋଷ୍ଟମର୍ଟମ୍ କରିଯିବ ବୋଲି ଶେଷରେ ପ୍ରକାଶ କରିଥିଲେ । ପରିବାର ପକ୍ଷରୁ ଏହି ଘଟଣାରେ କୌଣସି କମ୍ପ୍ ପ୍ଲେନ୍ ହୋଇଛି କି ବୋଲି ପ୍ରଶ୍ନର ଉତ୍ତରରେ ଟାଉନ ଥାନା ଅଧିକାରିଣୀ ପ୍ରିୟଙ୍କା ରାଉତରାୟ ମୁଣ୍ଡ ହଲାଇ ମନା କରିଥିଲେ । ତେବେ ତାଙ୍କ ପୁଅକୁ କଲେଜର ସିନିଅର ଛାତ୍ରଙ୍କ ଦ୍ବାରା ରାଗିଂ କରାଯାଉଥିବା ଓ ଶେଷରେ ଅସହ୍ୟ ହେବାରୁ ତାଙ୍କ ପୁଅ ଆତ୍ମହତ୍ୟା କରିଛି ବା ତାକୁ ନିର୍ଯ୍ଯାତନା ଦିଆଯାଇ ମାରିଦେଲେ ବୋଲି ରଡି ରଡି କହୁଥିବା ପରିବାରର ଶେଷରେ ଏତାଦୃଶ କାର୍ଯ୍ୟକଳାପର କାରଣ ଅସ୍ପଷ୍ଟ ରହିଛି ।
ସୂଚନା ଅନୁଯାୟୀ , ମାତ୍ର ୧୦ ଦିନ ପୂର୍ବରୁ ଆସିଥିବା ଇଶାନ୍ତ ତିନି ମହଲାର ଇଟର୍ନ ହଷ୍ଟେଲର ୩୧୨ ନମ୍ବର ରୁମ୍ ରେ ଏକାକୀ ରହୁଥିଲେ । ସକାଳୁ ସେ ସ୍ବାଭାବିକଭାବେ କ୍ଲାସ୍ କରି ମଧ୍ୟାହ୍ନଭୋଜନ ସାରିଥିଲେ । ତାଙ୍କ ମାଆଙ୍କ କହିବାନୁଯାୟୀ , ଉକ୍ତ ଦିନ ଦିନ ପ୍ରାୟ ଅଢେଇଟା ବେଳକୁ ତାଙ୍କ ପୁଅର ମୃତ୍ୟୁ ହୋଇଛି । ସେହିପରି ମୃତଦେହକୁ ନିକଟରୁ ଯାଇ ଦେଖିଥିବା କେତେକ ସାମ୍ବାଦିକଙ୍କ ସୂତ୍ରରୁ ତାଙ୍କର ମୃତଦେହରେ ଗୋଟିଏ ଗୋଡର ପାଦ ବଳାଗଣ୍ଠି ପାଖରେ ସାମାନ୍ୟ ଆଞ୍ଚୁଡାଦାଗ ବ୍ୟତୀତ ଦେହର କୌଣସିଠାରେ ଉପରକୁ କୌଣସି ଆଘାତ ବା ରକ୍ତବାହାରୁଥିବା ଆଦି ଦେଖାଯାଉ ନଥିଲା । ଗଣମାଧ୍ୟମରେ କହିଥିବା ଜଣେ ସିକ୍ୟୁରିଟି ଗାର୍ଡ ଅନୁଯାୟୀ , ତାଙ୍କ ଡିଉଟି କରୁଥିବା ସମୟରେ ୩ ଜଣ ଉପରେ କଣ କରୁଥିଲେ ଓ ତାହା ସାତମହଲାର କୋଠା ଥିବା ପ୍ରକାଶ । ସେହିପରି କେଉଁ ଗଣମାଧ୍ୟମରେ ତାହା ସାତମହଲା ଓ ପାଞ୍ଚମହଲା ବୋଲି ଭିନ୍ନ ଭିନ୍ନ ତଥ୍ୟ ପ୍ରକାଶ ପାଇଛି । ଉଲ୍ଲେଖନୀୟ ଯେ , ଭୀମଭୋଇ ମେଡିକାଲ କଲେଜର କୋଠାଟି ସାତମହଲାବିଶିଷ୍ଟ ଓ ନିକଟରେ ପାଞ୍ଚମହଲାର ଇଷ୍ଟର୍ନ ନିଉ ବଏଜ୍ ହଷ୍ଟେଲ ରହିଛି । କିଛି ମିଡିଆ କର୍ମଚାରୀଙ୍କଠାରୁ ଅସମର୍ଥିତ ସୂତ୍ରରୁ ପ୍ରକାଶ ଯେ , ଘଟଣାର ପୂର୍ବ ରାତିରୁ ହଷ୍ଟେଲର ଲାଇଟ୍ ଲିଭାଇ ସେ ଚିକେନ୍ ଖାଉ ନଥିବାବେଳେ ତାଙ୍କୁ ତାହା ଖାଇବାକୁ ବାଧ୍ୟ କଳାଯାଇଥିବା ଓ ତାଙ୍କ ମାଆଙ୍କ କହିବାନୁଯାୟୀ ତାଙ୍କୁ ଶୁଣିହେଉ ନଥିବା ଅତି ଅଶ୍ଳୀଳ ଭାଷାରେ ରାଗିଂ କରାଯାଇଆସୁଥିଲା । ଜଣେ ପୁଲିସ୍ କର୍ମଚାରୀଙ୍କ କହିବାନୁଯାୟୀ ସେ ସ୍ଥାନୀୟ ଭାଷା ବୁଝି ନପାରି କେତେକଙ୍କୁ ତାହାର ଅର୍ଥ ପଚାରୁଥିଲେ । ତେଣୁ ଯିଏ ଯେତେ ଯାହା ଅସ୍ବୀକାର କଲେ ବି ସେ ଯେ ଭୀଷଣ ରାଗିଂର ଶିକାର ହୋଇ ଏପରି ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେଲେ ବା ତାଙ୍କୁ ପିଟି ପିଟି ମାରିଦିଆଯାଇ ଆଣି ହଷ୍ଟେଲ ସାମ୍ନାର ରାସ୍ତା ଉପରେ ଶୁଆଇ ଦିଆଯାଇଛି ଓ ଏଭଳି ଉପରୁ ଡେଇଁପଡିବାର ଗୁଜବ୍ କରାଯାଇ ଘଟଣାକୁ ଭିନ୍ନମୋଡ ଦିଆଯାଇଛି ଚର୍ଚ୍ଚା ମଧ୍ୟ ପ୍ରକାଶ ପାଉଛି ।
ତେବେ ଏସ ପି ଘଟଣାସ୍ଥଳ ପରିଦର୍ଶନ କରି ତନ୍ ତନ୍ନ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବା ପ୍ରକାଶ । ଆଜିର ଶବ ବ୍ୟବଚ୍ଛେଦ ରିପୋର୍ଟ ପ୍ରକାଶ ପାଇଲା ପରେ ସତ୍ୟାସତ୍ୟ ପଦାକୁ ଆସିବ ।
ତେବେ ଏହି ମେଡିକାଲକଲେଜରେ ଏହା ଦ୍ବିତୀୟ ଅଘଟଣ । କିଛିଦିନତଳେ ଜଣେ ସ୍ଥାନୀୟା ଡାକ୍ତରୀଛାତ୍ରୀ ଝର୍କାରେଲିଂରେ ବେକରେ ଝୁଲି ଆତ୍ମହତ୍ୟା କରିଥିବା ଘଟଣା ଘଟିଥିଲା ଓ ଅଦ୍ୟାବଧି ଏହାର କାରଣ ଜଣାପଡିପାରିନାହିଁ । ସେତେବେଳେ ମଧ୍ୟ ଏହି ମହିଳାଡିନ୍ ଏଭଳି ତାଳମେଳ ନଥିବି ସଫେଇ ଦେଇଥିଲେ । ଏବେ ଏହି ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ଏଠାରେ ଆଉ ଏକ ଘଟଣା ଉଲ୍ଲେଖଯୋଗ୍ୟ ଯେ ସମ୍ବଲପୁର ଜିଲ୍ଲା ବିକାଶ ସ୍କୁଲରେ ଜଣେ ୧୦ମ ଶ୍ରେଣୀର ଛାତ୍ରଙ୍କୁ ଗତ ୧୭ ତାରିଖରେ ରାଗିଂ କରାଯାଇଥିବା ଘଟଣା ପ୍ରକାଶ ପାଇଛି । ଏଣୁ ଏହାର ପ୍ରକୃତ ତଦନ୍ତର ରିପୋର୍ଟ ପଦାକୁ ଆସିବା ଜରୁରୀ ।