ବଲାଙ୍ଗୀର : ( ମଳୟ ମିଶ୍ରଙ୍କ ରିପୋର୍ଟ ) ଗତ ୨୨ ତାରିଖରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜର ଜଣେ ପ୍ରଥମବର୍ଷର ଛାତ୍ର ହରିୟାଣାର ନିଶାନ୍ତ କୁମାର ( ୧୮ ) ଙ୍କର ଅସ୍ବାଭାବିକ ମୃତ୍ୟୁକୁ ନେଇ ସାରାରାଜ୍ୟରେ ଚାଞ୍ଚଲ୍ଯ ସୃଷ୍ଟି ହୋଇଛି । ଦିନପ୍ରାୟ ୩ ଟା ବେଳେ ତାଙ୍କର ମୃତଦେହକୁ ପାଞ୍ଚମହଲା ଇଟର୍ନ ହଷ୍ଟେଲସାମ୍ନାରେ ରାସ୍ତା ଉପରେ ମୁହଁମାଡି ପଡିଥିବା ଅବସ୍ଥାରେ ଉଦ୍ଧାର କରାଯାଇ ହାସପାତାଳରେ ଭର୍ତ୍ତି କରାଯାଇଥିଲା । ମୃତଦେହ ଦେଖିଥିବା ପ୍ରତ୍ୟେକ୍ଷଦର୍ଶୀ ଓ ସାମ୍ବାଦିକଙ୍କ ସୂତ୍ରରୁ ପ୍ରକାଶ ଯେ ପାଞ୍ଚମହଲା ହଷ୍ଟେଲର ଛାତରୁ ପଡିଥିବା ଉକ୍ତ ଛାତ୍ରଙ୍କ ମୃତଦେହରେ ଗୋଟିଏ ଗୋଡର ବଳାଗଣ୍ଠି ପାଖରେ ସାମାନ୍ୟ ଆଞ୍ଚୁଡାଦାଗ ଥିଲାବେଳେ ଦେହରେ ଆଉ କୌଣସି ଜାଗାରେ କିଛି ଆଘାତର ଚିହ୍ନ , ରକ୍ତ ବାହାରିଥିବା ଦେଖାଯାଇ ନଥିଲା । ତେଣୁ ସେ ଛାତରୁ ନିଜେ ଡେଇଁ ଆତ୍ମହତ୍ୟା କରିଥିଲେ , ଚାରିଫୁଟ୍ ର ଛାତରେ ପ୍ରୋଟେକସନ୍ ବାଡା ଥିବା ସତ୍ତ୍ବେ କେହି ତାଙ୍କୁ ଠେଲିଦେଇଥିଲା ବା ଅନ୍ୟସ୍ଥାନରୁ କେହି ଆଣି ନିଛାଟିଆ ଗ୍ରୀଷ୍ମଦିନର ଦ୍ବିପ୍ରହରରେ ତାଙ୍କୁ ମୃତ୍ୟୁପରେ ପକାଇ ଦେଇଥିଲେ , ଏହା ସନ୍ଦେହରେ ରହିଛି । କଲେଜର କିଛିଛାତ୍ର ଓ କଲେଜ କର୍ତ୍ତୃପକ୍ଷ ତାଙ୍କୁ ଆଣି ଜିଲ୍ଲା ମୁଖ୍ୟଚିକିତ୍ସାଳୟ ସଂଲଗ୍ନ ମେଡିକାଲକଲେଜର ହାସପାତାଳରେ ଭର୍ତ୍ତି କରାଯାଇଥିଲା କୁହାଯାଉଛି । ସର୍ବୋପରି ଲଞ୍ଚଟାଇମ୍ ପରେ ସେ ଏକାକୀ ରହୁଥିବା ତିନିମହଲାର ୩୧୨ ନମ୍ବର ରୁମ୍ ରେ ତାଲା ପକାଇ ଛାତ ଉପରକୁ ଏଡେ ଖରାରେ କାହିଁକି ଯାଇଥିଲେ , ଏନେଇ ମଧ୍ୟ ସନ୍ଦେହ ରହିଛି । ତାଙ୍କ ରୁମ୍ ର ଚାବି ତାଙ୍କ ପକେଟ୍ ରୁ ମିଳିଛି ।
ଗତକାଲି ହରିୟାଣାର କର୍ଣ୍ଣଲରୁ ତାଆ ବାପା ମାଆ ମାମୁଁ ଓ ପରିବାରବର୍ଗ ବଲାଙ୍ଗୀର ପହଞ୍ଚିବା ପରେ ତାଙ୍କ ପୁଅ କଲେଜର ସିନିଅର ଛାତ୍ରଙ୍କ ରାଗିଂ ଯୋଗୁଁ ମରିଛି ଓ ତାକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଥିଲେ । କାରଣ ମୃତ ଛାତ୍ରଜଣକ ନିଜ ମାଆଙ୍କୁ ବରାବର କଲେଜର ସିନିଅରଛାତ୍ରମାନେ ତାଙ୍କୁ ଅମାନବୀୟ ରାଗିଂ ଓ ନିର୍ଯାତନା ଦେଉଥିବା କାନ୍ଦି କାନ୍ଦି ଗୁହାରି କରିଆସୁଥିଲେ । ଉକ୍ତଦିନ ମଧ୍ୟ ଅପରାହ୍ନ ଅଢେଇଟାବେଳେ ଭିଡିଓ କଲ୍ କରି ସେ ଏକଥା କହିଥିବା ତାଙ୍କ ମାଆ ଗଣମାଧ୍ୟମରେ କାନ୍ଦି ଚିତ୍କାରକରି କହିଲେ । ତାଙ୍କ ପୁଅକୁ ମର୍ଡର କରାଯାଇଛି ବୋଲି ସେ ବାରମ୍ବାର ଚିତ୍କାର କରି କରି କହୁଥିଲେ ।
କିନ୍ତୁ ଏହି ମେଡିକାଲକଲେଜରେ ଆଦୌ ରାଗିଂ ହେଉନାହିଁ , ସେ ଆଣ୍ଟିରାଗିଂ ସ୍କ୍ବାର୍ଡ ଗଠନ କରି ନିୟମିତ ଚେକ୍ କରାଉଛନ୍ତି ବୋଲି କଲେଜର ଡିନ୍ ଡା.ସବିତା ମହାପାତ୍ର ସଫେଇ ଦେଇଥିଲେ । ସେହିପରି କେତେକ ଲୋକାଲ୍ ସିନିଅର୍ ଓଡିଆଛାତ୍ର ମଧ୍ୟ କଲେଜରେ ଜମା ରାଗିଂ ହେଉ ନଥିବା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ତେବେ ଏହି କଲେଜରେ ଏହା ପ୍ରଥମ ଅଘଟଣ ନୁହେଁ । ଗତବର୍ଷ ଜଣେ ସ୍ଥାନୀୟ ଡାକ୍ତରୀଛାତ୍ରୀଙ୍କର ହଷ୍ଟେଲରେ ତାଙ୍କ ରୁମ୍ ରେ ଅସ୍ବାଭାବିକ ମୃତ୍ୟୁ ଘଟିଥିବା ଓ ଅଦ୍ୟାପି ତାହାର ରହସ୍ୟ ଉଦ୍ଘାଟିତ ହୋଇ ପାରିନାହିଁ । ତାହା ମଧ୍ୟ ରାଗିଂଜନିତ ବୋଲି ଏବେ ଆଲୋଚନା ହେଉଛି ।
ତେବେ କାଲି ମୃତଛାତ୍ରଙ୍କର ଶବବ୍ୟବଚ୍ଛେଦ କରାଯାଇଛି । ଆଶ୍ଚର୍ଯ୍ୟର ବିଷୟ ଯେ ପୋଷ୍ଟମର୍ଟମ୍ ହାଉସ୍ ରେ ଉପସ୍ଥିତ ସାମ୍ବାଦିକମାନଙ୍କ ଠାରୁ କିଛି ଦୂରକୁ ନେଇଯାଇ ପୁଲିସ୍ ଓ ମେଡିକାଲ କଲେଜ କର୍ତ୍ତୃପକ୍ଷ ଘଣ୍ଟାଏକାଳ କିଛି ମସୁଧା କରୁଥିବା ଦେଖାଯାଇଥିଲା । ସେଠାରେ ଥିବା ଟାଉନଥାନା ଆଇ ଆଇ ସି ବି ପ୍ରିୟଙ୍କା ରାଉତରାୟ ଓ ବଲାଙ୍ଗିର ଏସ୍ ଡିପିଓ ତୋଫାନ୍ ବାଗ ଏବଂ ମେଡିକାଲକଲେଜର ଏଫ ଏମ ଟି ପ୍ରଫେସର ଜ୍ୟୋତି ପ୍ରକାଶ ଚୌଧୁରୀ ଥରକୁ ଥର ମୃତଛାତ୍ରଙ୍କ ପରିବାରକୁ ଏକୋଣ ସେକୋଣକୁ ନେଇ କିଛି କାଗଜପତ୍ରରେ ସ୍ବାକ୍ଷର କରିଦେବାକୁ ବୁଝାଉଥିଲେ । ଶେଷରେ ଆମ ପ୍ରତିନିଧି ପଚାରିବାରୁ ସେମାନେ ଶବବ୍ୟବଚ୍ଛେଦ କରିବାକୁ ରାଜି ହେଉ ନାହାଁନ୍ତି ବୋଲି ପ୍ରଫେସର ଚୌଧୁରୀ କହିଥିଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ , ରାଗିଂ ଓ ହତ୍ୟା ଅଭିଯୋଗ କରୁଥିବା ମୃତଛାତ୍ରଙ୍କର ବାପା ଜଣେ ପ୍ରଫେସର ଡ .କ୍ରୀଷ୍ଣ କୁମାର ଓ ଜଣେ ଶିକ୍ଷୟିତ୍ରୀ ଥିବା ମାଆ ଶ୍ରୀମତୀ ସନ୍ତୋଷ ବା ମୃତଦେହେ ନେବାକୁ ଆସିଥିବା ଏହି ଶିକ୍ଷିତ ପରିବାରର ଶବବ୍ୟବଚ୍ଛେଦ ପାଇଁ ଏଭଳି ଅରାଜିର କାରଣ କ’ଣ ହୋଇପାରେ ? ତାଙ୍କର କ’ଣ ଏଠାରେ ପୋଷ୍ଟମର୍ଟମ୍ ରିପୋର୍ଟର କୌଣସି ପ୍ରକାର ବଦଳାଇ ଦିଆଯିବା ଭଳି ମନରେ ସନ୍ଦେହ ରହିଥିଲା ? ସେ ଯାହାହେଉ , ମୂଳରୁ ଇ ଏହି ଚାଞ୍ଚଲ୍ୟକର ମାମଲାଟିକୁ କଲେଜର ଡିନ୍ , ସହକାରୀ ଅଧିକାରୀ , ସିନିଅର ଛାତ୍ର ଓ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ତରଫରୁ ଯେଭଳିଭାବରେ ଏଠାରେ ଆଦୌ ରାଗିଂ ହେଉ ନଥିବା ଓ ପୁରାପୁରି ଶାନ୍ତସୁଧାର ପରିବେଶ ବୋଲି ସଫେଇ ଦିଆଯିବା ସହ ଏତେବଡ ଅଘଟଣକୁ ସହଜ ସାମାନ୍ୟଭାବରେ ଏଡାଯାଇ ଆସୁଛି , ଏଥିରେ ସମସ୍ତଙ୍କ ମନରେ ସନ୍ଦେହ ଜାତ ହେବା ସ୍ବାଭାବିକ । ଆମ ପ୍ରତିନିଧିଙ୍କ ପ୍ରଶ୍ନରେ ଥାନାଧିକାରିଣୀ ତାଙ୍କ ପରିବାର ପକ୍ଷରୁ କୌଣସି କମ୍ପ୍ଲେନ୍ ହୋଇ ନଥିବା ମୁଣ୍ଡ ଟୁଙ୍ଗାରି ପ୍ରକାଶ କରିଥିବାବେଳେ , ସାମ୍ବାଦିକମାନଙ୍କୁ ଏସ୍ ଡି ପିଓ ପୀଡିତ ପରିବାରର ଏଭଳି ମୌଖିକ ଅଭିଯୋଗ ହେଲେ ହେଁ , ସବୁଦିଗକୁ ଦୃଷ୍ଟି ଦିଆଯାଇ ତଦନ୍ତ କରାଯାଉଥିବା ଆଶ୍ବାସନା ଦେଇଛନ୍ତି । ଖବରପାଇ ଏସ ପି ଘଟଣାସ୍ଥଳ ପରିଦର୍ଶନ କରିଥିବା ସହ ସଠିକ୍ ତଦନ୍ତର ପ୍ରତିଶ୍ରୁତି ଦେଇଥିବା ପ୍ରକାଶ ।
ଆଜି ଏହି ଘଟଣାରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି । ମୃତଛାତ୍ର ଜଣକ ବିଦେଶରେ ଥିବା ତାଙ୍କର ଜଣେ ବନ୍ଧୁଙ୍କୁ ପଠାଇଥିବା ହ୍ବାଟ୍ସଅପ୍ ମେସେଜରେ ତାଙ୍କୁ ପ୍ରତିଦିନ ୩ ରୁ ୪ ଘଣ୍ଟାକାଳ ରାଗିଂ କରାଯାଇଥିବା ଜଣାପଡ଼ିଛି । ଏଥିରେ ଥିବା କଟୁଭାଷା ଓ ଅସହ୍ୟ ରାଗିଂ ଯୋଗୁଁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବା ତାଙ୍କୁ ଆତ୍ମହତ୍ୟା ପାଇଁ ପ୍ରେରିତ କରାଯାଇଥିଲା ବୋଲି କୁହାଯାଉଛି । ତେବେ ଏହା ଆତ୍ମହତ୍ୟା ନା ହତ୍ୟାକାଣ୍ଡ , ପୁଲିସ୍ ର ତଦନ୍ତରେ ଏଯାଏଁ ସ୍ପଷ୍ଟ ହୋଇନାହିଁ । ତେବେ ଏହାକୁ ନେଇ ରାଜ୍ୟବ୍ୟାପି ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି । ଆଣ୍ଟି ରାଗିଂ ଅଭିଯାନର ଆବାହକ ତେଜେଶ୍ବର ପରିଡା ଏଥିପାଇଁ ରାଗିଂ କରିଥିବା ସିନିଅର୍ ଛାତ୍ର , ଡିନ୍ , ଉଆଡେନ୍ , ମେଡିକାଲ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ କଡାକଡି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରିଛନ୍ତି । ଏପରିକି ଏମାନଙ୍କ ବିରୁଦ୍ଧରେ ହତ୍ୟାମାମଲା ଋଜୁ କରାଯିବା ଆବଶ୍ୟକ ବୋଲି ମଧ୍ୟ ଦୃଢ ଦାବି କରିଛନ୍ତି । ଏହା ସହିତ ରାଗିଂ ହେଉଥିବା ଅନ୍ୟାନ୍ୟ ବିଷୟର କଲେଜ ଓ ଗତ ୧୮ ତାରିଖରେ ସମ୍ବଲପୁର ଜିଲ୍ଲା ବିକାଶ ପବ୍ଲିକ୍ ସ୍କୁଲ୍ ର ଜଣେ ୧୦ ମ ଶ୍ରେଣୀର ଛାତ୍ରକୁ ୮ ଜଣ ସହପାଠୀଙ୍କ ଉଲଗ୍ନ କରି ରାଗିଂ କରିଥିବା ଇତ୍ୟାଦି ଘଟଣା ଯୋଗୁଁ ବିଧାନସଭାରେ ଅନ୍ୟାନ୍ୟ ରାଜ୍ୟ ପରି ଏକ ଆଣ୍ଟି ରାଗିଂ ଆକ୍ଟ ଅଣାଯିବାକୁ ସରକାରଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି । ଏଭଳି ଘଟଣା ବାହାରେ ଓଡିଆର ଭାବମୂର୍ତ୍ତିରେ ଗଭୀର ଆଞ୍ଚ୍ ଆଣିବ ବୋଲି ମତ ଦେଇ ବଲାଙ୍ଗୀର ଘଟଣାର ଉପଯୁକ୍ତ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି ।
ନିଶାନ୍ତମୃତ୍ୟୁର କାରଣ ରାଗିଂ ବୋଲି ଅଭିଯୋଗ କରାଯିବାପରେ ଅନ୍ୟକଲେଜରୁ ଆସିଥିବା ସିନିଅର୍ ଛାତ୍ରଙ୍କ ସହ ବାହାରୁ କଲେଜକୁ ଅନୁପ୍ରବେଶ କରି ବିଶୃଙ୍ଖଳା ସୃଷ୍ଟି କରୁଥିବା କେତେକ ଅଣଛାତ୍ରଙ୍କ ଯୋଗୁଁ ଏହା ଘଟିଥିବା ଚର୍ଚ୍ଚା ହେଉଛି । ଏହି ଘଟଣାରେ କେତେକ ଲୋକାଲ୍ ଛାତ୍ର ଜଡିତ ଥିବା ସନ୍ଦେହ କରାଯାଉଛି । କଲେଜ ହଷ୍ଟେଲ ପରିସରରେ ବହୁ ପରିମାଣରେ ଖାଲି ମଦବୋତଲ ପଡିଥିବା ସାମ୍ବାଦିକମାନେ ଫଟୋ ଉଠାଇ ରଖିଛନ୍ତି । କେବଳ ନିଶାନ୍ତ ନୁହଁନ୍ତି , ୪୦୦ ଛାତ୍ରଛାତ୍ରୀ ପଢୁଥିବା ଏହି ମେଡିକାଲ କଲେଜରେ ଆହୁରି ବହୁଛାତ୍ର ସିନିଅର୍ ଛାତ୍ରଙ୍କ ଦ୍ବାରା ରୀତିମତ ରାଗିଂ ଓ ଶାରିରୀକ / ମାନସିକ ନିର୍ଯାତନାର ଶିକାର ପାଲଟୁ ଥିଲେ ହେଁ , ଭୟରେ ମୁହଁ ଖୋଲୁ ନଥିବା କୁହାଯାଇଛି । ମୃତ ନିଶାନ୍ତ ମଧ୍ୟ ତାଙ୍କ ମାଆଙ୍କୁ ସିନିଅର୍ ଛାତ୍ରଙ୍କ ରାଗିଂ ବିରୁଦ୍ଧରେ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ନ କରିବାକୁ ଭୟରେ ମନାକରୁଥିବା ତାଙ୍କ ମାଆ ଏଠାରେ ପ୍ରକାଶ କରିଥିଲେ ।
ଏଣୁ ସରକାର ଏହିମାମଲାଟିକୁ ଗମ୍ଭୀରତାର ସହ ନେଇ ଉପଯୁକ୍ତ ତଦନ୍ତ କରାଇ ପ୍ରକୃତ ଘଟଣା ଲୋକଲୋଚନକୁ ଆଣିବା ସହ ଦୋଷୀମାନଙ୍କୁ ଦୃଢ ଦଣ୍ଡବିଧାନ ଦିଗରେ ତଦନ୍ତକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ଜନସାଧାରଣ ଦାବି କରିଛନ୍ତି ।