ଭୁବନେଶ୍ୱର,୨୬/୪ : ଅବକାରୀ ବିଭାଗ ଏନ୍ଡିପିଏସ୍ ଅପରାଧ ବିରୁଦ୍ଧରେ ଚଳାଇଥିବା ସ୍ୱତନ୍ତ୍ର ଅଭିଯାନରେ ଗତ ସପ୍ତାହକ ମଧ୍ୟରେ ୧୮୪ଟି ମାମଲା ରୁଜୁ ସହିତ ୧୮୮ଜଣ ଗିରଫ ହୋଇଛନ୍ତି । ଏଥି ସହିତ ପ୍ରାୟ ୨.୮୬ କୋଟି ଟଙ୍କାର ସାମଗ୍ରୀ ଜବତ କରିଛି । ଅବକାରୀ କମିଶନର ଆଶିଷ କୁମାର ସିଂହଙ୍କ ନିର୍ଦ୍ଦେଶକ୍ରମେ ସମଗ୍ର ରାଜ୍ୟରେ ଅବକାରୀ ବିଭାଗର ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍ ଏନ୍ଡିପିଏସ୍ ବିରୁଦ୍ଧରେ ଜୋରଦାର ଚଢାଉ ଅଭିଯାନ ଆରମ୍ଭ କରିଥିଲେ । ଗତ ସପ୍ତାହ ଅର୍ଥାତ୍ ଚଳିତମାସ ୧୯ରୁ ୨୫ତାରିଖ ମଧ୍ୟରେ ହୋଇଥିବା ଏହି ଅଭିଯାନରେ ଏନ୍ଡିପିଏସ୍ ମାମଲା ବଳରେ ୧୮୮ଜଣ ବ୍ୟକ୍ତି ଗିରଫ ହୋଇଥିବାବେଳେ ୧୮୪ଟି ମାମଲା ରୁଜୁ ହୋଇଛି ।
ଏହି ସ୍ୱତନ୍ତ୍ର ଏନ୍ଡିପିଏସ୍ ଅଭିଯାନବେଳେ ୨୬୪୩ କିଲୋ ଗଞ୍ଜେଇ, ୧୦୨୮ଗ୍ରାମ ବ୍ରାଉନସୁଗାର, ୧୬୫ ଲିଟର କଫସିରପ, ନଗଦ ୧୩ଲକ୍ଷ ଟଙ୍କା ଏବଂ ୧୯ଟି ଗାଡିମୋଟର ଜବତ ହୋଇଛି । ଏହି ସମସ୍ତ ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୨.୮୬ କୋଟି ଟଙ୍କା ହେବବୋଲି ଆକଳନ କରାଯାଇଛି । ଗଞ୍ଜାମ ଜିଲ୍ଲାରେ ସବୁଠାରୁ ଅଧିକ ୧୪ଟି ଏନ୍ଡିପିଏସ୍ ମାମଲା ରୁଜୁ ହୋଇଥିବାବେଳେ କଟକରେ ଦ୍ୱିତୀୟ ସର୍ବାଧିକ ୧୧ଟି ମାମଲା ରୁଜୁ ହୋଇଛି । ଚଳିତ ମାସ ୨୦ତାରିଖ ଦିନ ଗଞ୍ଜାମ ଅବକାରୀ ବିଭାଗ ୨୬୫ କିଲୋ ଗଞ୍ଜେଇ ସମେତ ଗୋଟିଏ ପିକ୍ ଅପ୍ ଭ୍ୟାନ ଜବତ କରିଥିଲେ । ସେହିଦିନ ଭୁବନେଶ୍ୱରରୁ କଟକ ଅବକାରୀ ବିଭାଗର ଫ୍ଲାଇଙ୍ଗସ୍କ୍ୱାଡ୍ ୨୦୦ ଗ୍ରାମ ବ୍ରାଉନସୁଗାର ଜବତ କରିବାରେ ସଫଳ ହୋଇଥିଲା । ୨୨ତାରିଖ ଦିନ କଟକ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ୨୫୦ କିଲୋ ଗଞ୍ଜେଇ ସହିତ ଗୋଟିଏ ଚାରିଚକିଆ ଯାନ ଜବତ କରିଛନ୍ତି । ସେହିଭଳି ଏପ୍ରିଲ୍ ୨୩ତାରିଖ ଦିନ କଟକରୁ ୧୩୦କିଲୋ ଗଞ୍ଜେଇ ସହିତ ଗୋଟିଏ ୧୨ଚକିଆ ଟ୍ରକ ଜବତ ହୋଇଥିବାବେଳେ ୨୪ତାରିଖ ଦିନ ସମ୍ବଲପୁର ଅବକାରୀ ଅଧିକାରୀମାନେ ବଲାଙ୍ଗିରରୁ ୨୧କିଲୋ ଗଞ୍ଜେଇ ସହିତ ନଗଦ ୧୩ଲକ୍ଷ ଟଙ୍କା ଜବତ କରିଥିଲେ ।
କେବଳ ଏନ୍ଡିପିଏସ୍ ମାମଲା ନୁହେଁ ଚଳିତ ମାସରେ ଅବକାରୀ ଚଢଉ ଯୋଗୁଁ ରରାଜ୍ୟରେ ୨୯୫୫ ଟି ମାମଲା ରୁଜୁ ହୋଇଥିବାବେଳେ ୨୫୨୫ ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି । ଏହି ଚଢଉ ସମୟରେ ୬୮,୦୩୯ କାରଖାନା ତିଆରି ଦେଶୀ ମଦ, ୫,୫୭,୧୯୫ କିଲୋ ମଦ ତିଆରି ସାମଗ୍ରୀ, ୧୨୪୫ କିଳୋ ଭାଭ୍ଗ, ୬୮ଲିଟର ସ୍ପିରିଟ୍, ୨୩ଲିଟର ଟିକସଫାଙ୍କି ବିଦେଶୀମଦ, ୪୬୪ ଲିଟର ନକଲି ବିଦେଶୀମଦ, ୧୨୯୮ କୁଇଣ୍ଟାଲ ମହୁଲ ଫୁଲ, ୪୭୦୪ କିଲୋ ଗଞ୍ଜେଇ, ୧୩୧୮ ଗ୍ରାମ ବ୍ରାଉନସୁଗାର ସମେତ ୧୭୮ ଟି ଗାଡିମୋଟର ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ୧୩.୪୫ କୋଟି ଟଙ୍କା ବୋଲି ଆକଳନ ହୋଇଛି । ଅବକାରୀ କମିଶନର ଶ୍ରୀ ସିଂହ ଏବେ ଏନଫୋର୍ସମେଣ୍ଟ କାର୍ଯ୍ୟ ସଂକ୍ରାନ୍ତରେ ପ୍ରତି ପନ୍ଦର ଦିନରେ ଥରେ ସମୀକ୍ଷା କରୁଛନ୍ତି । ଆଗାମୀ ଦିନରେ ଏଭଳି ଅଭିଯାନ ରାଜ୍ୟରେ ଅବକାରୀ ଓ ଏନ୍ଡିପିସ୍ ମାମଲା ହ୍ରାସ କରିବ ବୋଲି କର୍ତ୍ତୃପକ୍ଷ ଆଶା କରୁଛନ୍ତି ।