ବଲାଙ୍ଗୀର : ( ମଳୟ ମିଶ୍ରଙ୍କ ରିପୋର୍ଟ ) ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ଥାନାନ୍ତର୍ଗତ ଟିଟିଲାଗଡ ଓ ମୁରିହାହାଲ ବନବିଭାଗ ରେଞ୍ଜ ସୀମାରେ ଥିବା ତିଖାରୀ ସଂରକ୍ଷିତ ଜଙ୍ଗଲର ଗୁଲୁମୀ ଗ୍ଭାରାମ ନିକଟରେ ଥିବା ଭାଲୁଡୁଙ୍ଗୁରୀ ପାହାଡରେ ବ୍ୟାପକଭାବରେ ବେଆଇନ୍ ରତ୍ନପଥର ଖୋଳାରୁ ଏବେ ଏକ ଚରମ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ଅଭିଯୋଗ ଅନୁଯାୟୀ , ବନବିଭାଗର ସମ୍ପୂର୍ଣ୍ଣ ଜ୍ଞାତସାରରେ ଦଶନ୍ଧି ଦଶନ୍ଧି ଧରି ଚାଲିଆସିଥିବା ଏହି ଅଞ୍ଚଳରେ ବେଆଇନ୍ ଭାବେ ମୂଲ୍ୟବାନ୍ ଖଣିଜଦ୍ରବ୍ୟର ଖୋଳା ଓ ଆନ୍ତଃରାଜ୍ୟ ରତ୍ନପଥର ଚୋରି ତଥା ଚୋରାଚାଲାଣ ସମ୍ପର୍କରେ ସ୍ଥାନୀୟ ପୁଲିସ୍ , ପ୍ରଶାସନ , ଖଣିବିଭାଗ ଓ ବନବିଭାଗ ଭଲଭାବରେ ଅବଗତ ଥିଲେ ହେଁ , ଉଦାସୀନ ରହିଆସିଛନ୍ତି । ଗତ ୨୨ ତାରିଖରେ ଏଠାରେ ଏହି ଚୋରା ରତ୍ନପଥର ଖୋଳାଯାଉଥିବାବେଳେ ପ୍ରାୟ ୪୦ ଫୁଟ୍ ର ଏକ ଚଟାଣ ତଳର ସୁଡଙ୍ଗ ଭିତରେ ବିସ୍ଫୋରକ ବିସ୍ଫୋରଣରେ ଶ୍ବାସରୁଦ୍ଧ ହୋଇ ରତ୍ନପଥର ମାଫିଆଙ୍କ ଦ୍ବାରା ନିୟୋଜିତ ସ୍ଥାନୀୟ ଗ୍ରାମର ଶ୍ରମିକଙ୍କ ଭିତରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ସହ ଆଉ ଦୁଇଜଣଙ୍କୁ ଗୁରୁତର ହୋଇପଡିବାରୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ମୃତ ଶ୍ରମିକମାନେ ହେଲେ ଗୁଲମୀର ନବୀନ ଜାନି ଓ ନୂଆପଡାର ଉଜ୍ଜ୍ବଳ ଭୋଇ । ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇ ଟିଟିଲାଗଡ ଓ ପରେ ବଲାଙ୍ଗୀରରେ ଚିକିତ୍ସିତ ହେଉଥିବା ପ୍ରକାଶ । ଅସମର୍ଥିତ ସୂତ୍ରରୁ ଏହି ଆହତଙ୍କ ମଧ୍ୟରୁ ଆଉଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ପ୍ରକାଶ । ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ଯ ଖେଳାଇଦେବା ସହ ଟିଟିଲାଗଡ ଥାନାସାମ୍ନାରେ ପରଦିନ ଶ୍ରମିକଙ୍କ ମୃତଦେହକୁ ରଖି ଜିଲ୍ଲା ଯୁବ କନ୍ଧସମାଜ ପକ୍ଷରୁ ଧାରଣା ଦିଆଯାଇ ୫୦ ଲକ୍ଷଟଙ୍କାର କ୍ଷତିପୂରଣ ଦାବି କରାଯିବା ସହ ଏଥିପାଇଁ ବନବିଭାଗର ମୁରିହାହାଲ ରେଞ୍ଜର ଓ ଗୁଲୁମୀ ଓ ଯଏନ୍ତରା ଫରେଷ୍ଟରଙ୍କୁ ନିଲମ୍ବନ କରାଯିବାକୁ ଦାବି କରାଯାଇଛି । ଏହା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବଲାଙ୍ଗୀର ଡିଏଫଓ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତକରିବାକୁ ନିର୍ଦ୍ଦେଶ ଦେବା ସହ ବନବିଭାଗ କର୍ମଚାରୀଙ୍କ ଅଜ୍ଞାତସାରରେ ଜଙ୍ଗଲରେ ଏଭଳି ବେଆଇନ ଖଣିଜଦ୍ରବ୍ୟର ଖନନ ସମ୍ଭବ ନୁହେଁ ବୋଲି କହିଥିବା ପ୍ରକାଶ । ଡିଏଫଓଙ୍କ ନିର୍ଦ୍ଦେଶରେ ଦୁଇଜଣ ଏସିଏଫ୍ ଅଜିତ କୁମାର ବିଶି ଓ ବି ସି ରାଉଳଙ୍କ ନେତୃତ୍ଵରେ ସ୍ଥାନୀୟ ଗୁଲମୀ ଫରେଷ୍ଟର ରଞ୍ଜିତ ସିଂଦେଓ ଓ ଜଏନ୍ତରା ଫରେଷ୍ଟର ଧ୍ରୁବ ବଗର୍ତ୍ତୀଙ୍କ ସମେତ ଅନ୍ୟାନ୍ୟ ବନକର୍ମଚାରୀଙ୍କ ସମେତ ଏକ ସ୍ବତନ୍ତ୍ର ଟିମ୍ ଗଠନକରି ଘଟଣାସ୍ଥଳରେ ତଦନ୍ତ କରାଇଛନ୍ତି । ବନବିଭାଗର ଏହି ଟିମ୍ ଓ ଟିଟିଲାଗଡ ପୁଲିସ୍ ଏବଂ ସାମ୍ବାଦିକମାନେ ଘଟଣାସ୍ଥଳ ସମେତ ସେହି।ଜଙ୍ଗଲପାହାଡକୁ ଯାଇ ଦେଖିବାପରେ ତାଜ୍ଜୁବ୍ ହେଇ ଯାଇଥିଲେ । ସେହି ସଂରକ୍ଷିତ ଜଙ୍ଗଲ ଓ ପାହାଡରେ ଶହ ଶହ ଶହେ / ଦେଢଶ’ ଫୁଟ୍ ଗଭୀର ଗାତ ଖୋଳାଯାଇଛି । ଅସ୍ଥାୟୀ କ୍ୟାମ୍ପ୍ ସ୍ଥାପନ କରିଯାଇ ଲାଇଟ୍ ଲଗାଇ , ବିସ୍ଫୋରକ ବ୍ୟବହାର କରି ଚଟାଣ ଫଟାଇ ରତ୍ନପଥର ଉତ୍ତୋଳନ କରାଯାଉଥିଲା । ମଦମାଂସର ଭୋଜି ଚାଲୁଥିଲା । ଏହି ତଦନ୍ତକାରୀଦଳ ଘଟଣାସ୍ଥଳରୁ ପଲିଥିନ , ପାଣିଗ୍ଲାସ୍ , ରଶି , ତାରବଣ୍ଡଲ୍ , ପାଇପ୍ , ରଫା କୋଦାଳ , ଟାଙ୍ଗିଆ , ଖାଦ୍ୟଦ୍ରବ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିବା ପ୍ରକାଶ । ବାହାରୁ ଆସୁଥିବା ଚୋରା ରତ୍ନପଥର ବ୍ୟବସାୟୀମାନେ ସ୍ଥାନୀୟ କେତେକ ଗ୍ରାମବାସୀଙ୍କ ସହାୟତାରେ ଗ୍ରାମୀଣ ଶ୍ରମିକମାନଙ୍କୁ ଦୈନିକ ଦୁଇରୁ ତିନିଶହ ଟଙ୍କା ମଜୁରୀ ଦେଇ ଏହା ଖୋଳାଉଥିବା କୁହାଯାଉଛି । ଏହି ଘଟଣାରେ ଗୁଲମୀର ରାଜୁ ସାହୁ , କର୍ଲାର ମହେନ୍ଦ୍ର ବୁଡେକ୍ ଓ ବିଘ୍ନରାଜ ପ୍ରମୁଖ ସାମିଲ୍ ରହିଥିବା ପ୍ରକାଶ । କଣ୍ଟାବାଞ୍ଜିର କେତେକ ବ୍ୟବସାୟୀ ଏହା ମଜୁରୀଦେଇ ଖୋଳାଉଥିଲେ । ଏପରିକି ମଝିରେ ମଝିରେ ସେଠାକୁ ବନବିଭାଗର କର୍ମଚାରୀମାନେ ପହଞ୍ଚି ଆପ୍ୟାୟିତ ହେଉଥିବା ପ୍ରକାଶ । ଜଣାଯାଇଛି ଯେ , କିଛିମାସତଳେ ଦୁଇଜଣ ସ୍ଥାନୀୟ ନିବାସୀ ବନପାଳଙ୍କୁ ସେମାନଙ୍କ ଘରପାଖକୁ ଡିଏଫଓ ସୁବିଧାଜନକ ପୋଷ୍ଟିଂ କରିଦେଇଥିବା ଓ ଜଣେ ଇତିମଧ୍ୟରେ କେନ୍ଦୁପତ୍ର ବିଭାଗରୁ ଅଧିକ ଉପାର୍ଜନ ଲକ୍ଷ୍ୟରେ ବନବିଭାଗରେ ଯୋଗ ଦେଇଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି ଏବଂ ଏମାନେ ସେମାନଙ୍କ ପିଲାଦିନରୁ ଏହି ବନାଞ୍ଚଳରେ ଏହି ବେଆଇନ୍ ରତ୍ନପଥର ଖୋଳା ଚାଲିଆସିଥିବା ଭଲଭାବରେ ଅବଗତ ଥିବା ଗଣମାଧ୍ୟମରେ ମଧ୍ୟ ସ୍ବୀକାର କରିଛନ୍ତି ! ଏଥିରେ ପ୍ରମାଣିତ ଯେ ବଲାଙ୍ଗୀର ବନବିଭାଗରେ ହାତୀ , ମହାବଳବାଘ , ଚିତା , ଭାଲୁ , ବଜ୍ରକାପ୍ତା ଆଦି ବିରଳବନ୍ୟଜନ୍ତୁ ଶିକାର , କାଠ , ମୂଲ୍ୟବାନଗଛକାଟି ଚୋରାଚାଲାଣ , ଶହ ଶହ ଟ୍ରିପ୍ ବାଲିଠୁଁ ମାଙ୍ଗାନିଜ୍ , ଗ୍ରାଫାଇଟ୍ ଓ ରତ୍ନପଥର ଆଦି ବେଆଇନ ଖନନ ପର୍ଯ୍ୟନ୍ତ ଯାବତୀୟ ଅନିୟମିତତା ଚାଲିଆସୁଥିଲେ ହେଁ , ବିଭିନ୍ନ ରେଞ୍ଜ , ବିଟ୍ ଓ ସେକ୍ ସନ ରେ ବନକର୍ମଚାରୀଙ୍କ ସଠିକ୍ ନିଯୁକ୍ତିରେ ଅନିୟମିତତା ହୋଇ ଆସୁଛି । ଏହା ମଧ୍ୟ କର୍ମଚାରୀମହଲରେ ଅସନ୍ତୋଷ ସୃଷ୍ଟି କରିଛି । ଏହି ବନାଞ୍ଚଳରେ ମଧ୍ୟ ଏଭଳି ରତ୍ନପଥରର ବେଆଇନ୍ ଖନନ ଓ ଚୋରାଚାଲାଣ ବନବିଭାଗର ସଲାସୁତୁରାରେ ଚାଲିଥିଲା।ଏହି ତଦନ୍ତ ପରେ ଅଦ୍ୟାବଧି କାହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାଯାଇନାହିଁ ।
ତେବେ ଏଇ ଜଙ୍ଗଲ , ପାହାଡ କିମ୍ବା ଜିଲ୍ଲାରେ ଏହା ପ୍ରଥମ ଦୁର୍ଘଟଣା ନୁହେଁ । କିଛିବର୍ଷତଳେ ଏହି ଅଞ୍ଚଳରେ ଓ ଭୁତିଆରବାହାଲ ବନ୍ଧପଡା ନିକଟସ୍ଥ କୁଗରିମହୁଲ ଗ୍ରାମ ନିକଟସ୍ଥ ଜଙ୍ଗଲରେ ରତ୍ନପଥର ଖୋଳି ଏକଧିକ ଶ୍ରମିକଙ୍କ ସୁଡଙ୍ଗରେ ପୋତିହେଇପଡି ମୃତ୍ୟୁଘଟଣା ଘଟିଥିଲା ।
ଏଣୁ ଏହିଘଟଣାର ବନବିଭାଗ , ଖଣିବିଭାଗ , ରାଜସ୍ୱବିଭାଗ , ପ୍ରଶାସନର ଏକ ଉଚ୍ଚସ୍ତରୀୟ ସମନ୍ବିତ ତଦନ୍ତର ଆବଶ୍ୟକତା ରହିଛି ।