ବଲାଙ୍ଗୀର : ( ମଳୟ ମିଶ୍ରଙ୍କ ରିପୋର୍ଟ ) ବଲାଙ୍ଗୀରଜିଲ୍ଲାର ବେଲପଡାସ୍ଥିତ ଗ୍ରାଫାଇଟ୍ କାରଖାନାର ମାଲିକ ସମ୍ବଲପୁରର ନଟବରଲାଲ୍ ଅଗ୍ରବାଲଙ୍କ ବିରୁଦ୍ଧରେ ୟୁନିଅନ୍ ବ୍ୟାଙ୍କ୍ ର ଅଭିଯୋଗ ଆଧାରରେ ସିବିଆଇ ମାମଲା ଋଜୁ କରି ତାଙ୍କ ଉପରେ ଚଢାଉ କରିଥିବା ପ୍ରକାଶ । ଗତ ୨୨ ତାରିଖରେ ସମ୍ବଲପୁରର ୟୁନିଅନ୍ ଶାଖା ପରିଚାଳକଙ୍କ ଏତଲାକ୍ରମେ ସମ୍ବଲପୁରର ବାଲିବନ୍ଧାସ୍ଥିତ ଏହି ଖଣି ମାଲିକଙ୍କ ଘରେ ଚଢାଉ କରିଥିଲା । ଗତ ୨୫ ତାରିଖରେ ବଲାଙ୍ଗୀର ଜିଲ୍ଲାରେ ଥିବା ବେଲପଡା ଓ ତୁରେକେଲା ଥାନାନ୍ତର୍ଗତ ଜି ଆର୍ ଗ୍ରାଫାଇଟ୍ ମାଇନ୍ସ , ତୁରେକେଲା ଗଇଁଦିମାଲରେ ଥିବା ମାଇନ୍ସ ଓ ଅନ୍ୟ ଏକ ଖଣି ସମେତ ୩ ଟି ଖଣିରେ ସିବିଆଇର ଏକ ଚାରିଜଣିଆ ଦଳ ଅନୁଧ୍ୟାନ କରିଯାଇଥିବା ଜଣାଯାଇଛି । ଗତ ୨୦୧୫ ରୁ ବନ୍ଦ ପଡିଥିବା ଏହି ଅଚଳ ଖଣି ନାଁ’ରେ ଜାଲ୍ କାଗଜପତ୍ରରେ ସେ ପ୍ରାୟ ୫ କୋଟିର ବ୍ୟାଙ୍କଋଣ ନେଇ ଫାଙ୍କୁଥିବା ଅଭିଯୋଗରୁ ପ୍ରକାଶ ।
ତେବେ ଏଠି ପ୍ରଶ୍ନ ଉଠିବା ସ୍ବାଭାବିକ ଯେ , ଋଣ ଦେବା ପୂର୍ବରୁ ଉକ୍ତ ବ୍ୟାଙ୍କ କର୍ମଚାରୀଙ୍କ ଖଣିର ତତ୍କାଳୀନ ଅବସ୍ଥା , ଋଣଗ୍ରହୀତାଙ୍କ ଆର୍ଥିକ ପରିସ୍ଥିତି ଓ ଖଣିବିଭାଗର ଅନୁମତି ବା ପ୍ରମାଣପତ୍ର ଆଦି ଠିକ୍ ଭାବରେ କିପରି ଯାଞ୍ଚ କରି ନଥିଲେ ? ତେଣୁ ସେ ସମୟର ଋଣ ମଞ୍ଜୁର କରିଥିବା ବ୍ୟାଙ୍କ୍ ଓ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀଙ୍କ ବିରୁଦ୍ଧରେ ମଧ୍ୟ ଦାୟିତ୍ୱହୀନତା ନିମନ୍ତେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲୋକେ ମତବ୍ୟକ୍ତ କରନ୍ତି ।