ଦାଦନ ନୁହେଁ , ଦୁର୍ନୀତି ହିଁ ମନରେଗାର ବିଫଳତାର କାରଣ

ବଲାଙ୍ଗୀର  :  ( ମଳୟ ମିଶ୍ରଙ୍କ ରିପୋର୍ଟ )  ଆଗରୁ କାମ ପାଇବାର ଦାବି ଓ ବକେୟା ପାଉଣା ଦାବିରେ ଶ୍ରମିକମାନେ ପଞ୍ଚାୟତ ଓ ବ୍ଲକ୍ କାର୍ଯ୍ୟାଳୟ ବା ବନବିଭାଗ ସମେତ ମନରେଗା ଯୋଜନା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ବିଭାଗର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଆସୁଥିବା ବେଳେ , ଏବେ ଡି ଆର୍ ଡିଏ କାର୍ଯ୍ୟାଳୟକୁ ଘେରିଛନ୍ତି ।  ଗଲା ଶନିବାର ଦିନ ଦୁଇଶହରୁ ଉର୍ଦ୍ଧ୍ବ ଶ୍ରମିକମାନେ କୋଡି କୋଦାଳ ଗଇଁତି ଧରି ଆସି ବଲାଙ୍ଗୀର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେମାନେ ‘ ଆମେ ଦାଦନ ଯାଇନାହୁଁ , କାମ ଦିଅ ‘ କହି  ମନରେଗାରେ କାମ ଦାବି କରିବା ସହ ଗାଁ’ରେ ହେଉଥିବା ଦୁର୍ନୀତି ସମ୍ପର୍କରେ ଗଣମାଧ୍ୟମ ଆଗରେ ଯୋଜନାରେ ଚାଲିଥିବା ଅନିୟମିତତା ସମ୍ପର୍କରେ ଜଣାଇଥିଲେ ।  କିପରି ଠିକାଦାର ଧରି ଗ୍ରାମସାଥୀ ଓ ପଞ୍ଚାୟତ ଅଧିକାରୀ ଘରେ ରହିଥିବା ଶ୍ରମିକଙ୍କ ଜବ୍ କାର୍ଡ ହାତେଇ ସେମାନଙ୍କ ସହ ସଲାସୁତୁରା କରି ବିନାକାମରେ କିଛି ମଜୁରୀଟଙ୍କା ବାଣ୍ଟି ଆକାଉଣ୍ଟରେ ଟଙ୍କା ପକାଇ ମନରେଗାର ମିଥ୍ୟାବିଲ୍ ଟଙ୍କା ହଡପ କରୁଛନ୍ତି , ବଖାଣିଥିଲେ । ପ୍ରକୃତଶ୍ରମିକଙ୍କୁ କାମ ମିଳୁନାହିଁ ବୋଲି ଗୁରୁତର ଅଭିଯୋଗ କରିଥିବା ପ୍ରକାଶ ।
ଏକଥା ସତ୍ୟ ଯେ , ପଞ୍ଚାୟତ , ବ୍ଲକ୍ , ବନବିଭାଗ ଓ ଅନ୍ୟାନ୍ୟ ବିଭାଗରେ ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା କରାଯାଇ ଆସୁଛି ।  ଗ୍ରାମସାଥୀ , ଜିଆର ଏସ୍ , ପଞ୍ଚାୟତ ନିର୍ବାହୀ ଅଧିକାରୀ , ସରପଞ୍ଚ , ସମିତିସଭ୍ୟ , ଜେଇ , ସହାରୀ ଯନ୍ତ୍ରୀ , ଫରେଷ୍ଟର , ରେଞ୍ଜର  , ବିଡିଓ ଆଦି ତଳୁ ଉପରସ୍ତରର ସରକାରୀ ଅଧିକାରୀଙ୍କ ଜାଣତରେ ପ୍ରଚୁର ମିଥ୍ୟାବିଲ୍ ଓ ହେରଫେର କରାଯାଇ ପ୍ରତ୍ୟେକ କାମରେ ଲକ୍ଷ ଲକ୍ଷ ଟଙ୍କା ବାଟମାରଣା କରାଯାଇ ଆସୁଛି ।  ମାଳ ମାଳ ଅଭିଯୋଗ ଗଣମାଧ୍ୟମରେ ଲୋକଲୋଚନକୁ ତଥା ସରକାରଙ୍କ ନଜରକୁ ଅଣାଯାଉଥିଲେ ହେଁ , ସରକାର ତାଙ୍କ ଶାସକଦଳୀୟ ପ୍ରିୟା ପ୍ରୀତିତୋଷଣ ନୀତିରେ ସବୁ ଜାଣିଶୁଣି ଆଖିବୁଜି ଦେଉଛନ୍ତି । ଆହୁରି ଉପରସ୍ତରକୁ ଏହି ଦୁର୍ନୀତିର ଚେର ଲମ୍ବିଛି । ତଦନ୍ତ ହେଉଥିଲେ ବି ଘଣ୍ଟଘୋଡାଇ ଦିଆଯାଉଛି । 
ବଲାଙ୍ଗୀର ଜିଲ୍ଲାରେ ଗତ ୨୦୧୯ – ୨୦ ଆର୍ଥିକ ବର୍ଷରେ ୧୪୮. ୬୮ କୋଟି , ୨୦୨୦- ୨୧ ବର୍ଷରେ ୩୭୬ . ୨୫ କୋଟି  , ୨୦୨୧- ୨୨ ରେ ୩୫୪ କୋଟି ଟଙ୍କା  ମନରେଗାରେ ଖର୍ଚ୍ଚ ହୋଇଛି । ଚଳିତ ଆର୍ଥିକବର୍ଷର  ପ୍ରଥମ ମାସରେ ଅଦ୍ୟାବଧି ୭ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଥିବା ବିଭାଗୀୟ ସୂତ୍ରରୁ।ପ୍ରକାଶ । ଜିଲ୍ଲାର ମନରେଗା ଯୋଜନାରେ ମୋଟ ପଞ୍ଜୀକୃତ ଶ୍ରମିକଙ୍କ ସଂଖ୍ୟା ୭ ଲକ୍ଷ ୫୮ ହଜାର ୪୩୫ ଜଣ । ସେଥିରୁ ୨୦୩୧୭୨ ଟି ପରିବାର ଜବ୍ କାର୍ଡ ପାଇଛନ୍ତି । ବର୍ଷକୁ ୨୫ ହଜାର ଶ୍ରମିକପରିବାର ୧୦୦ଦିନର ଏବଂ ୫ ହଜାର ପରିବାରକୁ ୨୦୦ଦିନର କାମ ଯୋଗାଇ ଦିଆଯାଉଛି ବୋଲି ଦର୍ଶାଯାଇଛି ।
କିନ୍ତୁ ବାସ୍ତବରେ ମେସିନ୍ ଲଗାଇ ମାଟିଖୋଳା , ବାହାର ଶ୍ରମିକଙ୍କୁ ମୂଲେଇ ଦେଇ ଠିକାକାମ ଓ ଠିକାଦାର ଲଗାଯାଇ ନିମ୍ନମାନର କାମ କରାଯାଇଛି । ଅଧିକାଂଶ ମିଥ୍ୟାବିଲ୍ ର କାମର ଅଭିଯୋଗର ଫାଇଲ୍ କୁ ଚାପିଦିଆଯାଉଛି ।  ଶହ ଶହ କୋଟିର ଦୁର୍ନୀତି ଅଭିଯୋଗର ତଦନ୍ତ ହେଉନାହିଁ ।  ଜବ୍ କାର୍ଡ ବନ୍ଧକ ଓ ବ୍ୟାଙ୍କ୍ ମାନଙ୍କରେ  ( ମୁଖ୍ୟତଃ  କିଓସ୍କ ଓ ସମବାୟ ବ୍ୟାଙ୍କ ଶାଖାଗୁଡ଼ିକରେ ) ଆକାଉଣ୍ଟ୍ ଖୋଲାଯାଇ ଦୁର୍ନୀତି କରାଯାଇ ଆସୁଛି ।  ଏହି ଯୋଜନାର କାର୍ଯ୍ୟକାରୀ ଦାୟିତ୍ୱରେ ରହୁଥିବା  ଜି ଆରଏସ୍ , ଗ୍ରାମସାଥୀ , ପଞ୍ଚାୟତ ଇଓ , ଫରେଷ୍ଟଗାର୍ଡ , ଫରେଷ୍ଟର ଓ ଅନ୍ୟାନ୍ୟ  ତଳିଆ କର୍ମଚାରୀଙ୍କ ଏକ ସୀମିତକାଳର ଆୟ ଉପାର୍ଜନ ଦେଖିଲେ ଆଖି ଖୋସି ହୋଇଯାଉଛି । ବଲାଙ୍ଗୀରଜିଲ୍ଲାର ବିଭିନ୍ନ ବନବିଭାଗ ରେଞ୍ଜ୍ ରେ କ୍ରମାଗତ ଭାବରେ ମନରେଗା ଯୋଜନାରେ ଖାଲଖୋଳା ଓ ଅନ୍ୟାନ୍ୟ କାମରେ ଦୁର୍ନୀତି ଅଭିଯୋଗ ପ୍ରକାଶ ପାଇ ଆସିଛି ।  ଦାଦନପ୍ରବଣ ମାଓ ଅଧ୍ୟୁଷିତ ଆଦିବାସୀବହୁଳ ଏହି ଜିଲ୍ଲାର ଏହି ଜାତୀୟ ଶ୍ରମଭିତିତିକ ଯୋଜନାର ବିଫଳତା ଦୁର୍ନୀତି ଓ ଅନିୟମିତତା ଯୋଗୁଁ ବୃଦ୍ଧି ପାଇଛି ।

Leave A Reply

Your email address will not be published.