ବଲାଙ୍ଗୀର : ( ମଳୟ ମିଶ୍ରଙ୍କ ରିପୋର୍ଟ ) ରାଜ୍ୟରେ ବିରଳ ବନ୍ୟଜନ୍ତୁ ବଜ୍ରକାପ୍ତା ଚୋରାଚାଲାଣର ଧରପଗଡ କିଛିଦିନତଳେ ଯୋର୍ ଧରିଥିଲାବେଳେ ଏବେ ଧିମେଇ ଯାଇଛି । ଆଠଗଡରୁ ଆରମ୍ଭ କରି ବଲାଙ୍ଗୀର ପର୍ଯ୍ୟନ୍ତ ଏହାର ଆନ୍ତର୍ଜାତିକ ରାକେଟ୍ ର ଚେର ଲମ୍ବିଛି । ତେବେ ଏଇକିଛିଦିନ ହେଲା ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନ ସମେତ ରାଜ୍ୟର ଅନ୍ୟତ୍ର ବଜ୍ରକାପ୍ତାଗୁଡିକ ଜନବସତିରେ ବୁଲୁଥିବା , କୂଅରେ ପଡିବା , ରାସ୍ତାରେ ଚାଲୁଥିବା ବା ନିର୍ମାଣାଧୀନ ନିଛାଟିଆ ଘରୁ ଉଦ୍ଧାର କରାଯିବାଭଳି ଅସ୍ବାଭାବିକ ଘଟଣା ଗଣମାଧ୍ୟମରେ ଲୋଚନକୁ ଆସିବାରେ ଲାଗିଛି । କିଛିଦିନତଳେ ବଲାଙ୍ଗୀରଜିଲ୍ଲାରେ ମଧ୍ୟ ଯେଉଁସବୁ ବଜ୍ରକାପ୍ତା ଉଦ୍ଧାର କରାଯାଇ ଜଙ୍ଗଲରେ ଛଡାଯାଇଛି , ସେସବୁ ଏଇ ଧରଣର । ମୁଖ୍ୟତଃ ଏସଟିଏଫ୍ ସୂଚନାରୁ କେତୋଟି ଧରପଗଡ ବନବିଭାଗ କରିପାରିଛି । ଏହାର ଉଦ୍ଦେଶ୍ୟ ହେଲା , ଚୋରାଚାଲାଣକାରୀ ଧରା ନପିଡିବା । ଏହା ସହ ଧରପଗଡର ବାହାବା’ ନେଇ ତଥାକଥିତ ଉଦ୍ଧାର ହୋଇଥିବା ବଜ୍ରକାପ୍ତାକୁ ନିକଟସ୍ଥ ଜଙ୍ଗଲରେ ନେଇ ଛଡାଯିବା ପରେ ସେଗୁଡିକ କୁଆଡେ ଯାଆନ୍ତି , ଏ ଖବର କେହି ରଖନ୍ତି ନାହିଁ ! ତା’କୁ ଯେ ଠାବଠିକଣା ପାଇ ଚୋରାଚାଲାଣକରୀମାନେ ଆସି ଉଠାଇନେଇଯାଉ ନଥିବେ , କିଏ କହିବ ?
କିଛିଦିନତଳେ ବଲାଙ୍ଗୀରଜିଲ୍ଲାରେ ଏହି ବଜ୍ରକାପ୍ତା ଚୋରାଚାଲାଣରେ ଜଣେ ପୂର୍ବତନ ବନକର୍ମଚାରୀ ଗିରଫ ହୋଇଥିବା ପ୍ରକାଶ ପାଇଥିଲା । ଲାଠୋର ରେଞ୍ଜ ର ଜଙ୍ଗଲରେ ଏଖ ବଜ୍ରକାପ୍ତା ଧରାଯାଇ ଚୋରାଚାଲାଣ ବା ବିକ୍ରିହେଉଥିବା ସୂଚନା ପାଇ ତତ୍କାଳୀନ ଡେପୁଟୀ ରେଞ୍ଜର ଦେବଦତ୍ତ ସୂତାର ଚଢାଉ କରି ତିନିଜଣ ଶିକାରୀଙ୍କୁ ଗିରଫ କରିଥିବାବେଳେ ବାହାରର ମୁଖ୍ୟ ମାଫିଆ ଫେରାର୍ ହୋଇଯାଇଥିଲା । ସେହି ଘଟଣାରେ ଜାଣିଶୁଣି ତାକୁ ଛାଡାଯାଇଥିବାର ବିଭାଗୀୟ କର୍ମଚାରୀଙ୍କ ସୂତ୍ରରୁ ଗୁରୁତର ଅଭିଯୋଗ ସେତେବେଳେ ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ସେହିପରି ଏହାର କିଛିଦିନ ପରେ ଖପ୍ରାଖୋଲ ବନାମ ହରିଶଙ୍କର ରେଞ୍ଜ୍ ର ମହରାପଦର ଗାଁର ଜଣକ ଘରୁ ଲାଠୋର ରେଞ୍ଜର ପ୍ରଭାତୀ ସେଠ ଖବରପାଇ ବଲାଙ୍ଗୀରକୁ ମିଟିଂକୁ ଯାଉଥିଲାବେଳେ ଅଧବାଟରୁ ଫେରି ଖପ୍ରାଖୋଲ ରେଞ୍ଜରଙ୍କ ବଦଳରେ ଚଢାଉ କରି ଏକ ବଜ୍ରକାପ୍ତା ଉଦ୍ଧାର କରିଥିଲେ । ଏଇ ବଜ୍ରକାପ୍ତାଟି କୁଆଡେ ନିକଟସ୍ଥ ଜଙ୍ଗଲରୁ ଗାଁ ଓ ଜଣକର ଘରଭିତରକୁ ପଶିଆସିଥିବା ଦର୍ଶାଯାଇଥିଲା । ଏହାପରେ ଲୋଇସିଂହା କରକଚିଆ ଛକରେ ରାସ୍ତାଉପରେ ଛକର ଦୋକାନଘରଗୁଡିକ ପାଖରେ , ବଲାଙ୍ଗୀର ସହରର ଶୀତଳଭଣ୍ଡାର ନିକଟସ୍ଥ ନାଳାକଡରେ ଓ ଅନ୍ୟାନ୍ୟସ୍ଥାନର କେଉଁଠି କେଉଁ ଘର ଓ କୂଅରେ ପଡିଯାଇଥିବା ଅବସ୍ଥାରେ ବଜ୍ରକାପ୍ତାଗୁଡିକୁ ତଥାକଥିତ ଉଦ୍ଧାର କରାଯାଇଛି । କୁହାଯାଉଛି ଯେ , ଜଙ୍ଗଲରେ ଖାଦ୍ୟାଭାବ ବା ଗରମ ଯୋଘ ଏମାନେ ଜନବସତିକୁ ପଳାଇ ଆସୁଛନ୍ତି ! ଉଲ୍ଲେଖଯୋଗ୍ୟ ଯେ ବଜ୍ରକାପ୍ତାର ଆହାର ମଣିଷମାନେ ଖାଉଥିବା ଭାତ କି ରୁଟିଫୁଟି ନୁହେଁ । ସେମାନେ ତାଙ୍କ ଅତିଛୋଟ ପାଟିରେ ଉଇ ଓ ପିମ୍ପୁଡିଆଦି ଅତି କ୍ଷୁଦ୍ର କୀଟପତଙ୍ଗଭୋଜୀ ଅଟନ୍ତି । ଦ୍ବିତୀୟତଃ ସେମାନଙ୍କ ଶରୀର ମୋଟା ମୋଟା ବଜ୍ରପରି ଟାଣକାତିରେ ଆବୃତ ଓ ସେମାନେ ପଥରଖୋଲରେ ବାସ କରନ୍ତି । ତେଣୁ ସେମାନଙ୍କୁ ଗରମ କାଟେ ନାହିଁ । ଏକଥା ଯୋଉମାନେ କହୁଛନ୍ତି , କେବଳ ଗୋଟେ ବାହାନା । ଏଇସବୂ କାରଣରୁ ବିଭାଗକୁ ଉପରୁ ଏସଟିଏଫ୍ ରୁ ମିଳୁଥିବା ସୂଚନାକୁ ବିଭାଗର ତଳିଆ କର୍ମଚାରୀଙ୍କ ଦ୍ବାରା ଲିକ୍ ହେଉଥିବା ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ । ଏହା ସହ ବନବିଭାଗ କର୍ମଚାରୀଙ୍କ ପକ୍ଷରୁ ଏହି ବିରଳ ମୂଲ୍ୟବାନ୍ ବନ୍ୟଜନ୍ତୁଟିର ଆନ୍ତର୍ଜାତିକ ଚୋରାଚାଲାଣ ପ୍ରତି ସଜାଗ ରହିବା ପ୍ରତି ସରକାର କଡାନିର୍ଦ୍ଦେଶ ଜାରୀ କରିବା ଆବଶ୍ୟକ ।