ଜଳାଭାବ ସମୟେ କାମରେ ଆସୁନି ସୋଲାର ପ୍ରକଳ୍ପ, ତୁରନ୍ତ ପ୍ରତିକାର ଦାବି 

ବୁଗୁଡ଼ା – ବୁଗୁଡ଼ା ବ୍ଲକର ବିଭିନ୍ନ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଦୂରୀକରଣ ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ସୋଲାର ପାନୀୟ ଜଳ ପ୍ରକଳ୍ପମାନ ସ୍ଥାପନ କରାଯାଇଥିଲେ ହେଁ ଉପଯୁକ୍ତ ରକ୍ଷଣା ବେକ୍ଷଣ ଅଭାବରୁ କେଉଁଠି ସୋଲାର ଯନ୍ତ୍ରାଂଶ ଖରାପ ହୋଇ ପଡ଼ିଥିବା ବେଳେ ଆଉ କେଉଁଠି ମଟର ଚାଲୁ ନଥିବାରୁ ଲୋକେ ପାଣି ଟୋପେ ପାଇବା ପାଇଁ ଡହଳ ବିକଳ ହେଉଥୁବା ଅଭିଯୋଗ ହେଉଛି । ଯାହାର ଏକ ଜ୍ବଳନ୍ତ ଦୃଷ୍ଟାନ୍ତ ଦୃଶ୍ୟମାନ ହେଉଛି ପୋଚାଲୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମରେ । ଲୋକଙ୍କ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ଗାଁ ଛକରେ ଗତ ବର୍ଷ ଏକ ସୋଲାର ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହୋଇଥିଲେ ହେଁ ଏକ ଗତ ନଭେମ୍ବର ମାସରୁ ତାହା ଖରାପ ହୋଇଯାଇଛି । ସେବେଠାରୁ ଲୋକେ ଜଳ ସମସ୍ୟାର ସମ୍ମୁଖୀନ ହୋଇଆସୁଥିଲେ ହେଁ  ନିର୍ବାଚନକୁ ଦୃଷ୍ଟିରେ ରଖି ଭୋଟ ପାଇବା ପାଇଁ ମାଳ ମାଳ ନେତା ଗାଁକୁ ଆସୁଥିବାରୁ କାଳେ ଏହାର ପ୍ରତିକାର ବ୍ଯବସ୍ଥା ହୋଇଯିବ ବୋଲି ଆଶା ବାନ୍ଧି ବସିଥିଲେ । ପଞ୍ଚାୟତ ନିର୍ବାଚନ ସରିବାର ୨ ମାସ ବିତିଯାଇଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଏବଂ ଜନପ୍ରତିନିଧିମାନଙ୍କ ଦୃଷ୍ଟି ଆଢୁଆଳରେ ତାହା ରହିଯାଇଛି । ତେଣୁ, ସାଧାରଣରେ ପ୍ରଶ୍ନ ଉଠୁଛି ଯେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ କାହା ସ୍ବାର୍ଥ ପାଇଁ ଏପରି ଅକାମି ପାନୀୟ ଜଳ ପ୍ରକଳ୍ପ କରାଯାଇଛି । ଏହି ସୋଲାର ପ୍ରକଳ୍ପ ସମସ୍ଯା ସମ୍ପର୍କେ ବ୍ଲକ ପ୍ରଶାସନକୁ ଅବଗତ କରାଯାଇଥିଲେ ସୁଦ୍ଧା ପ୍ରଶାସନିକ ଉଦାସୀନତା ଯୋଗୁଁ ତାହାର ପ୍ରତିକାର ବ୍ଯବସ୍ଥା ଅଦ୍ୟାବଧି ହୋଇପାରିନାହିଁ । ତେବେ ଅସହ୍ୟ ଗ୍ରୀଷ୍ମ କାଳରେ ଜଳାଭାବ ସମସ୍ୟାରେ ଆଉଟୁପାଉଟୁ ହେଉଥିବା ଲୋକଙ୍କ ହିତକୁ ଗୁରୁତ୍ୱ ଦେଇ ଅବିଳମ୍ବେ ସେହି ସୋଲାର ପ୍ରକଳ୍ପଟିକୁ କାର୍ଯ୍ଯକ୍ଷମ କରିବାକୁ ସାଧାରଣରେ ଦୃଢ ଦାବି ହେଉଛି ।

Leave A Reply

Your email address will not be published.