ଧାମନଗର- ଜିଲ୍ଲା କାର୍ଯ୍ୟାଳୟରୁ ପୂର୍ବ ପ୍ରକାଶିତ କାର୍ଯ୍ୟସୂଚୀ ଅନୁଯାୟୀ ସୋମବାର ଧାମନଗର ବ୍ଲକ କାର୍ଯ୍ୟାଳୟ କକ୍ଷରେ ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ମିଳିତ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆରକ୍ଷୀଅଧୀକ୍ଷକ ଚରଣ ସିଂ ମୀନାଙ୍କ ସହ ପ୍ରକଳ୍ପ ନିର୍ଦେଶକ ଇନ୍ଦ୍ରମଣି ନାୟକ, ଉପଜିଲ୍ଲାପାଳ ମନୋଜ କୁମାର ପାତ୍ର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସନ୍ତୋଷ କୁମାର ପାତ୍ର,ବିଡ଼ିଓ ଦୁର୍ଗାଚରଣ ମୂର୍ମୁ, ଅତିରିକ୍ତ ତହସିଲଦାର ଅନୁପ କୁମାର ବେହେରା,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନାୟକ,ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଜଗବନ୍ଧୁ ପ୍ରଧାନ,ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଅମ୍ବିକାବଲ୍ଲଭ ସ୍ୱାଇଁଙ୍କ ସମେତ ବିଭିନ୍ନ ବିଭାଗ ଅଧିକାରୀ ପ୍ରମୁଖ ଏହି ଶିବିରରେ ଯୋଗ ଦେଇଥିଲେ। ଜିଲ୍ଲାପାଳଙ୍କ ନିକଟରେ ୫୦ଟି ବ୍ୟକ୍ତିଗତ ଓ ୧୦ଟି ଗ୍ରାମର ସମସ୍ୟା ଭିତ୍ତିକ ଅଭିଯୋଗ ଆଗତ ହୋଇଥିଲା। ସେଥିମଧ୍ୟରୁ ଦୁଇଟି ଅଭିଯୋଗ ତତ୍କାଳୀନ ସମାଧାନ କରାଯାଇଥିଲା ବେଳେ ଅନ୍ୟ ଗୁଡିକର ସମାଧାନ ପାଇଁ ଉପସ୍ଥିତ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରି ଯଥାଶୀଘ୍ର ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ଶ୍ରୀ ମାଝୀ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଏହି ଜନଶୁଣାଣୀ ଶିବିରରେ ସିଏମ,ଆର,ଏଫ,ରେଡକ୍ରସ,ସରକାରୀ ଜମି ଅଧିଗ୍ରହଣ, ଘରପୋଡି ସାହାଯ୍ୟ ଟଙ୍କା ନ ମିଳିବା, ବିଧବା ଭତ୍ତା, ଇନ୍ଦିରା ଆବାସ ଯୋଜନାରେ ଘର ନ ପାଇବା,କାଳିଆ ଯୋଜନାରେ ଟଙ୍କା ନ ମିଳିବା ଆଦି ଅନେକ ସମସ୍ୟା ସମ୍ବନ୍ଧରେ ଅଭିଯୋଗ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ସରିବା ପରେ ଜିଲ୍ଲାପାଳ ନିକଟସ୍ଥ ଏନ ଏ ସିକାର୍ଯ୍ୟାଳୟକୁ ଯାଇ ବିଭିନ୍ନ ପ୍ରକଳ୍ପ ଓ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିବା ବେଳେ ସରକାରୀ ଜମିକୁ ଜବରଦଖଲ କରି ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଉଛେଦ କରିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଅଧ୍ୟକ୍ଷା ନିବେଦିତା ଜେନା, ଏନ ଏ ସି ନିର୍ବାହୀ ଅଧିକାରୀ ଯତୀନ୍ଦ୍ର କୁମାର ମିଶ୍ର,ଉପାଧ୍ୟକ୍ଷ ଏମଡି ନୁରାନୀଙ୍କ ସହ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।