ସରକାରୀ ନିୟମର ଖୋଲାଖୋଲି ଉଲ୍ଲଂଘନ , ବିଦ୍ୟାଳୟରେ ବିଳମ୍ବରେ ପହଞ୍ଚୁଛନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ , ପ୍ରଶାସନ ଦୃଷ୍ଟି ଦେବାକୁ ଦାବି
ବୁଗୁଡ଼ା : ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯାଳୟ ଅଧିନରେ ୧୧୯ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ୨୮ଟି ଉଚ୍ଚ ବିଦ୍ୟାଳୟ ହିସାବରେ ମୋଟ ୧୪୭ଟି ବିଦ୍ୟାଳୟ କରୁଛି। ସେଥି ମଧ୍ୟରୁ ଅଧିକାଂଶ ବିଦ୍ୟାଳୟର କେତେକ ଶିକ୍ଷକ ଓ ଶିକ୍ଷୟିତ୍ରୀ ସରକାରଙ୍କ ନିର୍ଦ୍ଦେଶକୁ ଅବମାନନା କରୁଥିବା ଦେଖିବାକୁ ମିଳିଛି । ଗ୍ରୀଷ୍ମର ପ୍ରକୋପ ବୃଦ୍ଧି ପାଉଥିବା ଯୋଗୁଁ ସରକାରଙ୍କ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ସକାଳ ୬ଟାରୁ ୯ଟା ଯାଏଁ ବିଦ୍ୟାଳୟ ଖୋଲା ରହିବ ବୋଲି ସରକାରୀ ଘୋଷଣା ହୋଇଛି। ଫଳରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ବିଦ୍ୟାଳୟରେ ସକାଳ ୬ଟା ମଧ୍ୟରେ ପହଞ୍ଚିବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି। ବୁଗୁଡା ବ୍ଳକର କେତେକ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ଏହି ନିର୍ଦ୍ଦେଶକୁ ଖୋଲାଖୋଲି ଉଲଂଘନ କରୁଥିବା ଦେଖିବାକୁ ମିଳିଛି । କେତେକ ଶିକ୍ଷକ ଶିକ୍ଷୟିତ୍ରୀ ବୁଗୁଡ଼ା ବସଷ୍ଟାଣ୍ଡରେ ସାଢେ ଛଅଟାରେ ଏବଂ ସାତଟାରେ ବସରେ ଚଢି ନିଜ ନିଜ ସ୍କୁଲକୁ ଯାଉଥିବା ବେଳେ ଆଉ କେତେକ ସାତଟା ପରେ ମଧ୍ୟ ସେମାନଙ୍କ ସମ୍ପର୍କୀୟଙ୍କ ଗାଡିରେ ବସି ସ୍କୁଲକୁ ଯାଉଥିବା ଦୃଶ୍ୟ ପରିଲକ୍ଷିତ ହେଉଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ , ସରକାରଙ୍କ ନିୟମକୁ ପାଳନ କରିବାକୁ ଯାଇ ବେସରକାରୀ ବିଦ୍ୟାଳୟ ଗୁଡିକର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ୬ଟା ପୂର୍ବରୁ ବିଦ୍ୟାଳୟରେ ପହଞ୍ଚିବା ପାଇଁ ତତ୍ପରତା ଦେଖାଉଥିବା ବେଳେ ସରକାରୀ ବିଦ୍ୟାଳୟର କେତେକ ଶିକ୍ଷକ ଓ ଶିକ୍ଷୟିତ୍ରୀ ୬ଟା ପରେ ବିଦ୍ଯାଳୟକୁ ନିସଙ୍କୋଚରେ ଯାଉଥିବା ଘଟଣା ସାଧାରଣରେ ଆଲୋଚନା ହେଉଛି । ସମୟ ଜ୍ଞାନର ଅଭାବ ଥିବା ଏହି ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ କିଭଳି ଭାବେ ଛାତ୍ରଛାତ୍ରୀଙ୍କୁ ସମୟାନୁବର୍ତ୍ତିତାର ପାଠ ପଢାଉଥିବେ ସେନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯାଳୟର ସମ୍ମୁଖ ପ୍ରାଚୀରରେ ଲେଖାଥିବା ରାଜ୍ୟ ସରକାରଙ୍କ ୫-ଟି ନିୟମକୁ ଖୋଲାଖୋଲି ଭାବେ ଉଲଙ୍ଘନ କରୁଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପ୍ରତି ବିଇଓଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ଅଭିଭାବକ ମହଲରେ କ୍ଷୋଭ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ଜିଲ୍ଲାର କେତେକ ବ୍ଲକରେ ଶିକ୍ଷାଧିକାରୀଙ୍କ ପକ୍ଷରୁ ନିୟମ ଉଲଙ୍ଘନକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ନଜିର ରହିଥିବା ବେଳେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯାଳୟରେ ତିନି ଜଣ ଏବିଇଓଙ୍କ ସ୍ଥାନରେ ଜଣେ ମାତ୍ର ଏବିଇଓ ରହିଥିବା ଏବଂ ଜଣେ ବିଇଓ ବୁଗୁଡ଼ା, ବେଲଗୁଣ୍ଠା ଓ ସୋରଡା ଆଦି ତିନୋଟି ବ୍ଲକର ଦାୟିତ୍ବରେ ରହିଥିବାରୁ ବିଭିନ୍ନ ବିଦ୍ୟାଳୟକୁ ପରିଦର୍ଶନ କରି ଅମାନିଆ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଉପରେ ଅଙ୍କୁଶ ଲଗାଇବା କାଠିକର ପାଠ ବୋଲି ଜଣାପଡିଛି । ଏଣୁ, ଜିଲ୍ଲା ଶିକ୍ଷା ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ନିୟମ ଖିଲାପକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ କାର୍ଯ୍ୟଧାରାରେ ଲଗାମ୍ ଲଗାଇବାକୁ ସାଧାରଣରେ ଦୃଢ ଦାବି ହେଉଛି ।