ବାଲେଶ୍ବର,- ବିପଦ କେତେବେଳେ କେମିତି କାହା ପାଇଁ ଆସେ ତାହା କଳ୍ପନା କରିବା ଅସମ୍ଭବ । ବିପଦର କାହାର ଜୀବନ ଯାଏ ତ କାହାର ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ମଧ୍ୟ ହୋଇଥାଏ । ଏପରିକି ଏକ ଘଟଣା ଦେଖିବାକୁ ମିଳିଛି ବର୍ତ୍ତନା ବଜାରରେ । ଖବର ସଂଗ୍ରହରୁ ଜଣାଯାଇଛି ଯେ ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ବର୍ତ୍ତନା ବଜାରରେ ସୁବ୍ରତ କୁମାର ପ୍ରଧାନଙ୍କର ଏକ ରଙ୍ଗ ଦୋକାନ ଥିଲା । ଗତକାଲି ଅର୍ଥାତ୍ ତା ୨୭/୫/୨୦୨୨ ରିଖ ରାତି ପ୍ରାୟ ଘ୧୦.୪୫ମି ସମୟରେ ବନ୍ଦ ଥିବା ଦୋକାନଟି କୌଣସି କାରଣରୁ ଅଗ୍ନିମୟ ହୋଇ ଉଠିଥିଲା । ବର୍ତ୍ତମାନ ଗରମ ଦିନ ଚାଲିଛି । ବାରମ୍ବାର ପାୱାର କଟ୍ ମଧ୍ୟ ଜାରି ରହୁଛି । ଗରମରେ ଶୋଇ ହେଉନଥିବାରୁ କେତେକ ଲୋକ ବାହାରେ ବୁଲାବୁଲି କରୁଥିବା ସମୟରେ ଦୋକାନ ଭିତରେ ନିଆଁ ଦେଖାଯାଉଥିବାର ନଜରକୁ ଆସିଥିଲା । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଖଇରା ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ । ଖବରପାଇ ଦମକଳ କେନ୍ଦ୍ରର ଇନଚାର୍ଯ୍ଯ ମାନସ କୁମାର ମହାନ୍ତି ଏବଂ ତାଙ୍କର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏଥିରେ ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ରଙ୍ଗ ଏବଂ ସରଞ୍ଜାମ ପୋଡି ନଷ୍ଟ ହୋଇଥିବାର ପ୍ରାଥମିକ ତଦନ୍ତରୁ ଜଣାଯାଇଛି । ଅଗ୍ନିକାଣ୍ଡର ସଠିକ୍ କାରଣ ଜଣାପଡି ନଥିଲେ ମଧ୍ୟ ଇଲେକ୍ଟ୍ରିକ୍ ସର୍ଟ ସର୍କିଟ ଯୋଗୁଁ ଏଭଳି ଆକସ୍ମିକ ଅଗ୍ନିକାଣ୍ଡ ଘଟି ଥାଇପାରେ ବୋଲି ଅନୁମାନ କରାଯାଉଛି । ସଠିକ୍ ସମୟରେ ଖଇରା ଅଗ୍ନିଶମସେବା କେନ୍ଦ୍ରର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଥିବାରୁ ବଜାରରେ ଥିବା ଅନ୍ୟ ଦୋକାନ ଗୁଡିକ ଏଭଳି ବିପଦରୁ ରକ୍ଷା ପାଇପାରିଛନ୍ତି । ଏଥିପାଇଁ ବଜାରବାସୀ ଅଗ୍ନିଶମସେବା କେନ୍ଦ୍ରର କର୍ମଚାରୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।