ଧାମନଗର – ଧାମନଗର ସେବା ସମବାୟ ସମିତି ନିର୍ବାଚନ ପାଇଁ ଭୋଟର ତାଲିକାରେ ନାମ ଯୋଗ କରିଵା ନିମନ୍ତେ ଆଜି ଦିନ ଧାର୍ଯ୍ୟ କରାଯାଇଥିବାବେଳେ ଶେଷ ମୁହୂର୍ତ୍ତରେ ଜଣେ ବ୍ୟକ୍ତି ୪୮ ଜଣଙ୍କ ନାମ ତାଲିକାରେ ଯୋଗ କରିବାକୁ ଆବେଦନ କରିବାକୁ ନେଇ ଲୋକେ ବିରୋଧ କରି ହୋହାଲ୍ଲା କରିଥିବା ଜଣାଯାଇଛି । ଖବର ନେବାରୁ ଜଣାଯାଇଛି ଯେ ଆସନ୍ତା ଜୁନ୍ ମାସ ୨୬ ତାରିଖ ଦିନ ଧାମନଗର ସେବା ସମବାୟ ସମିତି ରେ ନିର୍ବାଚନ ହେବ । ସେହି ଅନୁସାରେ ନିର୍ବାଚନ ପ୍ରକ୍ରିୟା ଜାରିରହିଛି । ସମିତିର ଏକ ଭୋଟର ତାଲିକା ପ୍ରକାଶ ପାଇଥିବାବେଳେ ଆପତ୍ତି ଅଭିଯୋଗ ପରେ ଜୁନ୍ ୧ ତାରିଖରେ ପୂର୍ଣ୍ଣାଙ୍ଗ ତାଲିକା ପ୍ରକାଶ ପାଇବ । ୨୮ ତାରିଖ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ନାମ ଯୋଗ କରିବାପାଇଁ ଆବେଦନ ଗ୍ରହଣ କରାଯାଉଥିଲା । ନିର୍ଦ୍ଧାରିତ ସମୟରେ ୯୧ ଜଣ ବ୍ୟକ୍ତି ସେମାନଙ୍କ ର ନାମ ଯୋଗ କରିଵାପାଇଁ ଆବେଦନ କରିଥିବା ବେଳେ ଶେଷ ସମୟରେ ଜଣେ ବ୍ୟକ୍ତି ୪୮ ଜଣଙ୍କ ନାମ ଯୋଗ କରିଵା ପାଇଁ ଆବେଦନ କରିଥିଲେ । ମାତ୍ର ସମିତି କାର୍ଯ୍ୟାଳୟ ପରିସରରେ ଥିବା କେତେକ ସଭ୍ୟ ତଥା ବିଜେପି କର୍ମୀ ଏହାକୁ ଘୋର ବିରୋଧ କରିଥିଲେ । ଧାମନଗର ସମବାୟ ସମିତି ନିର୍ବାଚନ ଅଧିକାରୀ ରବୀନ୍ଦ୍ର କୁମାର ଧଳ ସେଠାରେ ପହଞ୍ଚି ପାଟିତୁଣ୍ଡ କରୁଥିବା ଲୋକଙ୍କୁ ବୁଝା ସୁଝା କରିଥିଲେ । ଜଣେ ବ୍ୟକ୍ତି ଏକ ସଙ୍ଗେ ୪୮ ଜଣଙ୍କ ନାମ ଯୋଗ କରିବାପାଇଁ କରିଥିବା ଆବେଦନ ଆଇନ ସମ୍ମତ୍ତ ନୁହେଁ ବୋଲି ବିଜେପି ନେତା ଶରତ ଚନ୍ଦ୍ର ମହାନ୍ତି , କୈଳାଶ ଚନ୍ଦ୍ର ମହାପାତ୍ର , ନାରାୟଣ ଚନ୍ଦ୍ର ମହାପାତ୍ର , ବିଜୟ କୁମାର ରାମ , ବଳରାମ ମହାପାତ୍ର ,ଦେବାଶିଷ ମହାନ୍ତି , ନାରାୟଣ ଚନ୍ଦ୍ର ରାଉତ ପ୍ରମୁଖ ଦାବି କରିବାପରେ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ୯୧ ଜଣ ଆବେଦନ କରିଥିବା ଖାତା ତଦାରଖ କରି ଶେଷରେ ନିଜର ଦସ୍ତଖତ କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।ସମବାୟ ନିର୍ବାଚନ ରେ ଶାସକ ବିଜେଡ଼ି ଓ ବିରୋଧୀ ବିଜେପି ମଧ୍ୟରେ କଢା ମୁକାବିଲା ହେବ ବୋଲି ଜଣାଯାଇଛି ।