ଜଳର ଗତି ଯେପରି ସର୍ବଦା ନିମ୍ନକୁ, ଲକ୍ଷ ସାଗରକୁ ଛୁଇଁବା । ଏଇ ଛୁଇଁବାରେ ଅଛି ଅଫୁରନ୍ତ ଆନନ୍ଦ । ଏ ଆନନ୍ଦ ଅବର୍ଣ୍ଣନୀୟ । ଭାଷାତୀତ, ଭାବାତୀତ । ସେମିତି ଜୀବନର ଗତି ସର୍ବଦା ଉର୍ଦ୍ଧକୁ । ଜୀବାତ୍ମାର ଲକ୍ଷ ପରତ୍ମାଙ୍କୁ ଆପଣେଇବା । ପରମାତ୍ମାଙ୍କଠାରୁ ବିଚ୍ୟୁତ ହୋଇ ଆସିଥିବା ଆତ୍ମା ପୁଣି ପରମାତ୍ମାଙ୍କ ଅନ୍ୱେଷଣରେ ଲାଗିରହେ ଅନବରତ । ଆପଣାର ନିର୍ଦ୍ଧାରିତ କର୍ମ ଶେଷ ହୋଇଗଲେ ପଂଚଭୂତରେ ଗଢା ଶରୀର ପଂଚଭୂତରେ ବିଲୀନ ହୋଇଯାଏ । ଜୀବାତ୍ମାର ଏଇ ଯିବା, ଆସିବା କର୍ମ କେବଳ ପରମାତ୍ମାଙ୍କ ଦ୍ୱାରା ହିଁ ନିୟନ୍ତ୍ରିତ । ଏକଚାଟିଆ ଦାୟିତ୍ୱ ଏଇଟା ଅଦୃଶ୍ୟ ଇଶ୍ୱରଙ୍କର । ଇଛାମୟଙ୍କ ଇଛାରେ ଜୀବାତ୍ମାର ଏ ଗତି, ବୃଦ୍ଧି, ଖ୍ୟାତି, ପ୍ରାପ୍ତି ଏବଂ ବିଲୁପ୍ତି ।
ଏଇଭଳି ଏକ ପୁଣ୍ୟାତ୍ମା ଜୀବସତା ଗାୟକ ରତ୍ନାକର ରଘୁନାଥ ନାଥଶର୍ମାଙ୍କ ରୂପରେ ଶରୀର ଧାରଣା କରିଥିଲା ବାଲିବିଲ ଗ୍ରାମରେ ୧୯୩୫ ମସିହା ଫେବୃଆରୀ ୨୮ ରେ ପିତା ବଂଶୀଧର ଓ ମାତା ସତ୍ୟଭାମାଙ୍କ କୋଳରେ ଏବଂ ଉର୍ଦ୍ଧମୂଖୀ ହୋଇ ଗତି କରି କରି ପଂଚଭୂତରେ ବିଲୀନ ହୋଇଗଲା ୨୦୨୨ ମସିହା ମଇ ମାସ ୨୯ ରେ । ମୋର ସେ ଥିଲେ ଆଦ୍ୟ ଗୁରୁ । ଏକା ମୋର ନୁହେଁ , ୧୯୬୦ ରୁ ୧୯୬୫ ଭିତରେ ଆମ ଗାଁର ଅନେକଙ୍କର ଖଡିଛୁଆଁଇଥିବା ପ୍ରଣମ୍ୟ ଗୁରୁ ।
ମୋଭଳି ଜଣେ ଅକିଂଚନର ଲେଖକୀୟ ପ୍ରତିଷ୍ଠା ହିଁ କେବଳ ଗାୟକପ୍ରବର ରଘୁଭାଇଙ୍କ ଐକାନ୍ତିକ ଶ୍ରଦ୍ଧା ଓ ପ୍ରଚେଷ୍ଟାର ଫଳ । ତାଙ୍କ ପ୍ରେରଣାରେ ମୁଁ ଅନେକ ଗୀତ ଲେଖିଛି । ଅନେକ ବହି ମୋର ଛପା ହୋଇଛି । ମୋର ‘ବୃକ୍ଷ -ପକ୍ଷୀ ସମ୍ବାଦ’ ବହିଟି ଯେଉଁମାନେ ପାଠ କରିଛନ୍ତି , ସେମାନେ ରଘୁଭାଇଙ୍କ ସ୍ୱହସ୍ତ ଲିଖିତ ମୁଖବନ୍ଧରୁ ତାଙ୍କ ମହନୀୟତା ଓ ଅବର୍ତମାନରେ ତାଙ୍କ ଭଳି ଜଣେ ମହାନ ଗୁରୁସତାଙ୍କୁ କେବଳ ପ୍ରଣାମ କରିବା ବ୍ୟତୀତ ଆଉ କ’ଣ ବା କରାଯାଇପାରେ ।
ଆବାଲ୍ୟରୁ ଦାରିଦ୍ର୍ୟର କଷାଘାତରୁରେ ନିପୀଡିତ ରଘୁଭାଇ ଖ୍ୟାତିସମ୍ପନ୍ନ ଗାୟକ ରତ୍ନାକର ରଘୁନାଥ ନାଥ ଶର୍ମାରେ ପରିଣତ ହେବା ପାଇଁ ସଂଘର୍ଷର ଅନେକ ଅଲଙ୍ଘ୍ୟ ପ୍ରାଚୀରକୁ ଅତିକ୍ରମ କରିବାକୁ ପଡିଛି ତାଙ୍କୁ । ସ୍ୱଧ୍ୟାୟ ଓ ଆତ୍ମଚିନ୍ତନ ତଙ୍କୁ ଏ ପ୍ରତିଷ୍ଠା ଦେଇଥିଲା । ଚିର ବନ୍ୟା ପ୍ରପୀଡିତ ବରୀ ଅଂଚଳରେ ସେ ସମୟରେ ଜୀବନ ଜୀଇବା କେତେ ଅସହଜ ଥିଲା, ଏବେ ତାହା କଳ୍ପାନାତୀତ ଅନଗ୍ରସର ଶିକ୍ଷା ଦୀକ୍ଷା , ଖାଦ୍ୟ ପେୟ ଦୁଷ୍ଣାପ୍ୟ, ଅଗମ୍ୟ ରାସ୍ତା ଘାଟଏଭଳି ଏକ ବିଛିନ୍ନାଂଚଳରେ ଇଶ୍ୱରଙ୍କ କୃପା ଏବଇ ମାତା ସାରଦାଙ୍କ କରୁଣାରୁ ରଘୁଭାଇ ଏଡାଳ ସେଡାଳ ଧରି ଶେଷରେ ଲକ୍ଷ୍ମୀପୁର ପହଁଂଚି ପାରିଥିଲେ । ଯାତ୍ରା ଦଳରେ ଗୋଟିପୁଅ ନାଚ, ପେଟପୋଷିବା ପାଇଁ ଚାଟଶାଳୀରେ ଶିକ୍ଷକତା, କୃଷ୍ଣକଣ୍ଠଙ୍କ ଠାରୁ ବେହେଲା ଶିକ୍ଷା ଏବଂ ସବା ସେଷରେ ପାଲାକାର ରୂପେ ପ୍ରତିଷ୍ଠା, ଏ କ’ଣ କମ୍ ବଡ ନାଟକରେ ନାୟକର ଦିଗ୍ବିଜୟର ଜୟଯାତ୍ରା ।
ସାହିତ୍ୟର ପ୍ରଚାର ଓ ପରିବେଶ ସଚେତନତା କାର୍ଯ୍ୟକ୍ରମରେ ମୁଁ ସାଇକେଲରେ ବୁଲି ବୁଲି ଓଡିଶାର ଅନେକ ଜିଲ୍ଲା ଛୁଇଁଛି । ସେ ସବୁ ସ୍ଥାନରେ ଗାୟକ ରତ୍ନାକର ରଘୁନାଥ ନାଥଶର୍ମାଙ୍କୁ ପାଇଛି । ଖାଲି ଓଡିଶା କିମ୍ବା ଓଡିଶାର ପାଲାମଣ୍ଡପ ନୁହେଁ , ପଶ୍ଚିମବଙ୍ଗ, ଝାଡଖଣ୍ଡ, ଛତିଶଗଡ, ଆନ୍ଦ୍ରପ୍ରଦେଶରଅନେକ ପାଲାମଣ୍ଡପରେ ରଘୁଭାଇ ସାତଦିନ ଆବଶ୍ୟକସ୍ଥଳେ ତାଠାରୁ ଅଧିକ ଦିନ ମଧ୍ୟ ବାଦି ପାଲା ପରିବେଷଣ କରି ନିଜକୁ ସ୍ୱରର ଲାଳିତ୍ୟ ପାଇଁ ପ୍ରତିଷ୍ଠିତ କରି ପାରିଥିଲେ । ତାଙ୍କ ଭଳି ଉତମ ଗାୟନଶେଳୀ ଅନ୍ୟ ଓଡିଆ ଗାୟକଙ୍କର ନଥିଲା । ଯେମିତି ଯାତ୍ରା ଜଗତରେ ବିଖ୍ୟାତ ଆମ ଅଂଚଳର ଯାତ୍ରା-ରାଜା ବେଣୁ ଓଝାଙ୍କ ହସ ।
ତାଙ୍କ ସହ ମୋର ବ୍ୟକ୍ତିଗତ୬୦ ବର୍ଷର ସମ୍ପର୍କ । ଗୁରୁ-ଶିଷ୍ୟ, ଭାଇ-ଭାଇ, ପଥପ୍ରଦର୍ଶକ, ସମାଲୋଚକ । ମୋର ପ୍ରତ୍ୟେକ ବହି ସେ ପାଠ କରିଛନ୍ତି ଓ ସମାଲୋଚକଙ୍କର ଦୃଷ୍ଟିରେ ମୋର ଭୁଲ-ଠିକ୍ ନିର୍ଣ୍ଣୟ କରି ସୁଧାରିବାକୁ ମୋତେ ବାରମ୍ବାର ନିର୍ଦ୍ଦେଶ ଦେଇଛନ୍ତି । ସେ ସମ୍ପର୍କରେ ଶେଷ ମୁହୂର୍ତ ପର୍ଯ୍ୟନ୍ତ କେବେ ସାମାନ୍ୟ ଟିକେ ଫାଟ ସୃଷ୍ଟି ହୋଇନାହିଁ । ଏଥିପାଇଁ କରୁଣାମୟ ପ୍ରଭୁଙ୍କୁ ବାରମ୍ବାର ସକୃତଜ୍ଞ ପ୍ରଣାମ ଜଣାଉଛି । ସ୍ୱାର୍ତ ହିଁ ସମ୍ପର୍କକୁ ନିମ୍ନାଭିମୁଖୀ କରିଦିଏ । ସ୍ୱାଭିମାନୀ ରଘୁଭାଇ ସ୍ୱାର୍ଥକୁ ଚିରଦିନ ପାଇଁ ମନରେ ବସା ବାନ୍ଧିବାକୁ ଦେଇନଥିଲେ । ଆଜିର ଏକାଦଶାହ ତିଥିରେ ତାଙ୍କ ଭଳି ଜଣେ ମହାନ ଅମର ଆତ୍ମା ପ୍ରତି ସମ୍ମାନର ସହ ସଶ୍ରଦ୍ଧ ପ୍ରଣାମ ଜଣାଉଛି । ତାଙ୍କର ସୁଯୋଗ୍ୟ ଉତରାଧିକାରୀ ସନ୍ତାନଗଣ ତାଙ୍କ ସୁଗୁଣର ପରିବାହକ ହୁଅନ୍ତୁ, ଏତିକି ମାତ୍ର ପରମାତ୍ମଙ୍କ ନିକଟରେ ମୋର ନିବେଦନ ।