ଧାମନଗର – ରେଳଯାତ୍ରୀଙ୍କ ସୁବିଧା ପାଇଁ ପୂର୍ବରୁ ଭଦ୍ରକରୁ ଭୁବନେଶ୍ୱର ଏବଂ ବର୍ତ୍ତମାନ ବାଲେଶ୍ବରରୁ ଭୁବନେଶ୍ୱର ଯାଉଥିବା ଡିଏମୟୁ(DMU)/ମେମୁ (MEMU) ଟ୍ରେନରେ ଅତିରିକ୍ତ କୋଚ୍ (ବଗି) ସଂଖ୍ୟା ବୃଦ୍ଧି ସହିତ ଭଦ୍ରକ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ବାହାନାଗା ସୋର, ସବିରା, ଭଦ୍ରକ, ରାଣିତାଲ, ମାର୍କୋଣା, କେନ୍ଦୁଆପଦା, ବାଉଦପୁର, ମଞ୍ଜୁରି ରୋଡ ଓ କପାଳି ରେଲୱେ ଷ୍ଟେସନର ଉନ୍ନତି ପାଇଁ ବିଭିନ୍ନ ଦାବିକୁ ନେଇ ମାନନୀୟା ସାଂସଦଙ୍କ ଲିଖିତ ପତ୍ର ସହିତ ନୂଆଦିଲ୍ଲୀ ସଂଚାର ଭବନ ଏବଂ ରେଳ ଭବନଠାରେ କେନ୍ଦ୍ର ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ରେଲୱେ ବୋର୍ଡ଼ର ଅଧ୍ୟକ୍ଷ ଵିନୟ କୁମାର ତ୍ରିପାଠୀଙ୍କ ସହିତ ସାକ୍ଷାତ କରି ଆଲୋଚନା କଲେ ସାଂସଦ ପ୍ରତିନିଧି ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଏବଂ ଖୁବ ଶୀଘ୍ର ପର୍ଯ୍ୟାୟ କ୍ରମେ ଉକ୍ତ ଦାବୀ ଗୁଡ଼ିକ ପୁରଣ ହେବ ବୋଲି ମାନ୍ୟବର ମନ୍ତ୍ରୀ ଏବଂ ରେଳବାଇର ଅଧ୍ୟକ୍ଷ ପ୍ରତିଶ୍ରୁତି ଦେଇଥିଲେ । ଉକ୍ତ ଆଲୋଚନା ସମୟରେ ଦକ୍ଷିଣ-ପୂର୍ବ ରେଳବାଇ ଡିଭିଜନ, ଖଡଗପୁର ଉପଭୋକ୍ତା କମିଟିର ସଦସ୍ୟ ଉପେନ୍ଦ୍ର କୁମାର ପାଢ଼ୀ ଉପସ୍ଥିତ ଥିଲେ।ପ୍ରକାଶ ଥାଉକି,ଭଦ୍ରକ ରେଳ ଷ୍ଟେସନ ହେଉଛି ଚାରୋଟି ଜିଲ୍ଲା ଯଥା ଭଦ୍ରକ,କେନ୍ଦୁଝର (ହାଟ ଡିହୀ, ଆନନ୍ଦପୁର),କେନ୍ଦ୍ରପଡା ଓ ବାଲେଶ୍ଵର ଆଦି ଜିଲ୍ଲାର ମୁଖ୍ୟଷ୍ଟେସନରେ ପ୍ରତିଦିନ ହଜାର ହଜାର ଯାତ୍ରୀ, ଶ୍ରମିକ, ଭିନ୍ନକ୍ଷମ,କ୍ଷୁଦ୍ରବ୍ୟବସାୟୀ, ଛାତ୍ରଛାତ୍ରୀ, ସକାଳୁ ସକାଳୁ ଭଦ୍ରକ ରେଳ ଷ୍ଟେସନରୁ ଡିଏମୟୁ/ ମେମୁ ରେଳରେ କଟକ ଭୁବନେଶ୍ବର ଯାଇଥାନ୍ତି । ସେହିପରି ପ୍ରତିଦିନ ଶହ ଶହ ଗୁରୁତର ରୋଗୀ ଏହି ଟ୍ରେନ ଯୋଗେ କଟକ ଓ ଭୁବନେଶ୍ବରର ବିଭିନ୍ନ ମୁଖ୍ୟ ଡାକ୍ତରଖାନା ଯଥା- ଏସସିବି ଡାକ୍ତର ଖାନା, ଶିଶୁଭବନ, ରୋଟାରୀଚକ୍ଷହସ୍ପିଟାଲ, ଏମ୍ସ,, କିମ୍ସ,, ଆମ୍ରି, କେୟାର ହସ୍ପିଟାଲକୁ ଚିକିତ୍ସା ପାଇଁ ଭଦ୍ରକରୁ ଯାଇଥାନ୍ତି । ବର୍ତମାନ ଏହି ଟ୍ରେନ ବାଲେଶ୍ବରରୁ ସଂପ୍ରସାରଣ ପରେ ସ୍ୱଳ୍ପ ସଂଖ୍ୟକ ବଗିରେ ଭଦ୍ରକ ଷ୍ଟେସନରେ ପହଞ୍ଚିଲା ବେଳକୁ ସମସ୍ତ ସିଟ ପୂରଣ ହୋଇ ଯାଉଛି । ଫଳରେ ଭଦ୍ରକ ଷ୍ଟେସନରୁ ଚଢୁଥିବା ଯାତ୍ରୀ ଭିଡରେ ଛିଡା ହୋଇ ବହୁ କଷ୍ଟରେ ଯାତ୍ରା କରୁଛନ୍ତି । ଏହି ସମସ୍ୟା ବାବଦରେ ଭଦ୍ରକର ବିଭିନ୍ନ ସଂଗଠନ ପକ୍ଷରୁ ପ୍ରତି ମାସରେ ରେଳରୋକ କରାଯାଉଛି । ଏହି ସମସ୍ତ ସମସ୍ୟାକୁ ଭଦ୍ରକର ମନାନୀୟା ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳଙ୍କ ଲିଖିତ ପତ୍ର ସହ କେନ୍ଦ୍ର ରେଳମନ୍ତ୍ରୀ ଓ ରେଳବାଇ ବୋର୍ଡ଼ର ଅଧ୍ୟକ୍ଷଙ୍କ ନିକଟରେ ଦାବୀ ରଖିଛନ୍ତି ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମଣ୍ଡଳ । ଖୁଵ ଶୀଘ୍ର ଏବଂ ପର୍ଯ୍ୟାୟ କ୍ରମେ ଏହା ପୁରଣ ହେବ ବୋଲି ରେଳବାଇ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଓ ରେଳବାଇ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ପ୍ରତିଶ୍ରୁତି ଦେଇଛନ୍ତି। ମୁକ୍ତି ବାବୁଙ୍କ ଏଭଳି କାର୍ଯ୍ୟ ସାଧାରଣରେ ପ୍ରଶଂସା କରାଯାଇଛି।