ବାଲିଆପାଳ- ବାଲିଆପାଳ ବ୍ଲକର ବଳରାମପୁର ଠାରେ ନବ ନିର୍ମିତ ହେଉଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରଥମ ବର୍ଷର ଛାତ୍ର ଛାତ୍ରୀଙ୍କୁ ଶୁକ୍ରବାର ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟ ମାହାଆଡ଼ମ୍ବର ସହକାରେ ଶୁଭାରମ୍ଭ କରାଯାଇଛି।ବିଦ୍ୟାଳୟ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିବା ବେଳେ ଏବେ ଏହି ବିଦ୍ୟାଳୟ ଅସ୍ଥାୟୀ ଭାବରେ ସୁନାରୁଇ ହାଇସ୍କୁଲ ପରିସରରେ କାର୍ଯ୍ୟ ଚାଲିବ।ସେଥି ପାଇଁ ଏହି ଉତ୍ସବ ସୁନାରୁଇ ହାଇସ୍କୁଲ ପରିସରରେ ହାଇସ୍କୁଲର ପ୍ରଧାନ ଶିକ୍ଷକ ନିରଞ୍ଜନ ପ୍ରଧାନଙ୍କ ସଭାପତିତ୍ୱରେ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା।
ମୁଖ୍ୟଅତିଥି ଭାବରେ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରି ଶୁଭାରମ୍ଭ କରିଥିଲେ।ନିଜ ବକ୍ତବ୍ୟରେ ବିଧାୟକ ଶ୍ରୀ ସାହୁ କହିଥିଲେ ଯେ ଆଦର୍ଶ ବିଦ୍ୟାଳୟ ହେଉଥିବା ସ୍ଥାନରେ ଖୁବ ଶୀଘ୍ର କାର୍ଯ୍ୟ ସରିଲେ ସେଠାରେ ପିଲାମାନେ ପାଠ ପଢ଼ିବେ।ବର୍ତ୍ତମାନ କାର୍ଯ୍ୟ ସରି ନ ଥିବାରୁ ସୁନାରୁଇ ହାଇସ୍କୁଲରେ ପାଠ ପଢା ଚାଲିବ।କାରଣ ଶିକ୍ଷାବର୍ଷ ଆରମ୍ଭ ହୋଇଯାଇଥିବାରୁ ପିଲାଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ଏହି ପଦକ୍ଷେପ ନିଆଯାଇଥିବା କଥା କହିଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବାଲିଆପାଳ ବ୍ଲକ ଶିକ୍ଷାଧିକାରୀ ସୁଧାଂଶୁ ଶେଖର ଜେନା,କବି କାଳିପଦ ପଣ୍ଡା,ପୂର୍ବତନ ଜିଲ୍ଲା ପରିଷଦ ସଦଦ୍ୟ ରବିନ୍ଦ୍ର ଅଣ୍ଡିଆ,ନିତ୍ୟାନନ୍ଦ ପାଣିଗ୍ରାହୀ,ବଳରାମପୁର ସରପଞ୍ଚ ଅରୁଣ ପାଣିଗ୍ରାହୀ, ମଧୁପୁରା ସରପଞ୍ଚ ପ୍ରତିନିଧି ଲମ୍ବୋଦର ମାହାନା,ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ।ଏହି ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରୁ ପାଠାପଢ଼ା ଆରମ୍ଭ ହେବ।ସେଥିପାଇଁ ବହୁ ପୂର୍ବରୁ ପିଲାମାନେ ପ୍ରବେଶିକା ପରୀକ୍ଷା ଦେଇ ଉତ୍ତିର୍ଣ୍ଣ ହୋଇଥିଲେ।ଏହି ପିଲାମାନେ ଏଠାରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିବେ।ପ୍ରତିବର୍ଷ ଷଷ୍ଠ ଠାରୁ ପିଲାମାନେ ଏଠାରେ ପ୍ରବେଶିକା ପରିକ୍ଷା ଦେଇ ଉତ୍ତିର୍ଣ୍ଣ ହୋଇ ଭର୍ତ୍ତି ହେବେ ବୋଲି ବ୍ଲକ ଶିକ୍ଷାଧିକାରୀ ସୁଧାଂଶୁ ଶେଖର ଜେନା କହିଛନ୍ତି।
ତେବେ ବିଦ୍ୟାଳୟ ସ୍ଥାନ ନିରୂପଣକୁ କେନ୍ଦ୍ର କରି ବର୍ଷ ବର୍ଷ ସମୟ ଗଡିଯିବା ପରେ ବାଳିଆପାଳ ବ୍ଲକ ମୁଖ୍ୟାଳୟ ଠାରୁ ବହୁ ଦୂର, ଯେଉଁଠିକୁ କି ଯାତାୟାତର କୌଣସି ବ୍ୟବସ୍ଥା ନ ଥିବା ୮ କିଲୋମିଟର ଦୂର ସୁନାରୁଇ ଫୁଟବଲ ପଡିଆକୁ ନିଆଯାଇ ସେଠାରେ ବିଲଡିଂ କାର୍ଯ୍ୟ ଚାଲିଛି।ମାତ୍ର କାର୍ଯ୍ୟ ଧିମେଇ ଧିମେଇ ହେଉ ଥିବାରୁ ଦୀର୍ଘଦିନ ବିତିଯାଇଥିଲେବି କାର୍ଯ୍ୟ ସରିନାହିଁ।ଏହି ବିଦ୍ୟାଳୟ ପାଇଁ ନୂତନ ଶିକ୍ଷକ ନିଯୁକ୍ତି ମଧ୍ୟ ଦିଆ ଯାଇଛି।