ବାଲିଆପାଳ ୨୭/୬ ଦକ୍ଷିଣ ବାଲିଆପାଳରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର ଅଂଚଳ କୁ ସୋମବାର ବନ୍ଦର କତୃପକ୍ଷ ଙ୍କ ସହିତ ବାଲିଆପାଳ ତହସିଲଦାର ଦୀପକ କୁମାର ଦାଶ, ବସ୍ତା ଏସ ଡି ପି ଓ ଜଳନ୍ଧର ଜାଲି, ବାଲିଆପାଳ ଥାନା ଆଇ ଆଇ ସି ପର୍ଶୁରାମ ସାହୁ ପଶିବାକୁ ଉଦ୍ୟମ କରି ଭିଟାମାଟିର ସୁରକ୍ଷା କମିଟିର ସଦସ୍ୟ ଙ୍କ ସହିତ ସ୍ଥାନୀୟ ଲୋକଙ୍କ ଜୋରଦାର ବିରୋଧରେ ଡଗରା ବଡ ଗୁମୁଟି ଛକ ରେ ଥିବା ଭିଟାମାଟି ସୁରକ୍ଷା ଗେଟ ପାଖରୁ ଫେରିଛି ।
ନୂତନ ଜିଲ୍ଲାପାଳ ଦତ୍ତାତ୍ରେୟ ଭି ସିନ୍ଧେ ଗତ ୨୧ ତାରିଖରେ ବାଲିଆପାଳ ଗସ୍ତରେ ଆସି ଚଉମୁଖ କଙ୍କଡାପାଳ ଠାରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର ଅଞ୍ଚଳ ବୁଲି ଦେଖିଥିଲେ।ମାତ୍ର ସେଦିନ ନୁତନ ଜିଲ୍ଲାପାଳଙ୍କୁ କୌଣସି ବିରୋଧ କରାଯାଇ ନ ଥିଲା।ଯାହାଫଳରେ ବନ୍ଦର ବିରୋଧୀ ଆନ୍ଦୋଳନ ଶିଥିଳ ହୋଇଥିବା ଖବର କେତେକ ଗଣ ମାଧ୍ୟମରେ ପ୍ରକାଶ ପାଇବା ପରେ ବନ୍ଦର ବିରୋଧୀ ଭିଟା ମାଟି ସୁରକ୍ଷା କମିଟି ସଦସ୍ୟ ମାନେ ପୁଣି ବିରୋଧୀ ଆନ୍ଦୋଳନର ପ୍ରଭାବ ଦେଖାଇ ଜାଗ୍ରତ ଥିବାର ପ୍ରମାଣ ଦେଇଛନ୍ତି।ଯାହା ଫଳରେ ବନ୍ଦର କର୍ତ୍ତୃପକ୍ଷ ପ୍ରସ୍ତାବିତ ଅଞ୍ଚଳକୁ ଯାଇ ନପାରି ନିରାଶ ହୋଇ ଫେରିଛନ୍ତି।ପ୍ରକାଶ ଥାଉକି ଦକ୍ଷିଣ ବାଲିଆପାଳ ଅଞ୍ଚଳର ଚଉମୁଖ କଙ୍କଡ଼ାପାଳ ଠାରେ ପ୍ରସ୍ତାବିତ ବନ୍ଦର ଓ ସମୁଦ୍ର କୂଳିଆ ଡଗରା, ବେତଗଡ଼ିଆ,ଅଳାଡିହା,ନୁଆଗାଁ, ଜମ୍ଭୀରାଇ ଆଦି ପଞ୍ଚାୟତର କେତେକ ଗ୍ରାମକୁ ନେଇ ପେଟ୍ରୋକେମିକାଲ୍ ପ୍ଲାଣ୍ଟ କରିବାର ସରକାର ପ୍ରସ୍ତାବ ରଖିବା ପରେ ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ବ୍ୟାପକ ବିରୋଧ କରାଯାଇ ଲଗାତାର ଭାବରେ ଜନ ଆନ୍ଦୋଳନ ଜାରି ରଖିଛନ୍ତି।
ବାଲିଆପାଳ ପଟରୁ ଯିବା ମୁଖ୍ୟ ରାସ୍ତା ଡଗରା ବଡଗୁମୁଟି ଛକରେ ଛ ପଞ୍ଚାୟତ ର ଲୋକ ମୁଖ୍ୟ ପ୍ରବେଶ ଦ୍ବାରକୁ ବନ୍ଦ କରାଯାଇ ଏଠାରେ ଗେଟ କରି ପ୍ରହରା ଦେଉଛନ୍ତି।
ସୋମବାର ବନ୍ଦର କର୍ତ୍ତୃପକ୍ଷ ପ୍ରସ୍ତାବିତ ବନ୍ଦର ଅଞ୍ଚଳ ଭିତରକୁ ଯିବା ବେଳେ ଶହ ଶହ ମହିଳା ଓ ପୁରୁଷ ମାନେ ଉପସ୍ଥିତ ହୋଇ ଗେଟ ଭିରକୁ ଛାଡି ନଥିଲେ।ସେମାନେ ବନ୍ଦର ବିରୋଧୀ ନାରା ବାଜି କରି ଟାଟା କମ୍ପାନୀ ଫେରିଯାଅ,ମରିବୁ ପଛେ ଭିଟା ମାଟି ଛାଡିବୁ ନାହିଁ ଆଦି ସ୍ଲୋଗାନ ଦେଇ ତୀଵ୍ର ବିରୋଧ କରିଥିଲେ।ଯାହା ଫଳରେ ସମସ୍ତଙ୍କୁ ନିରାଶ ହୋଇ ଫେରିବାକୁ ପଡିଛି।