ପ୍ରତିବାଦରେ କୋଦଳା ଥାନାରେ ବିଜେପିର ରଣହୁଙ୍କାର।
କୋଦଳା: ଗଞ୍ଜାମ ଜିଲ୍ଲା କୋଦଳାରେ ଦେଖିବାକୁ ମିଳିଛି ରାଜନୈତିକ ହିଂସା। ଗତକାଲି କୋଦଳା ଠାରେ ପୋଲିସ ସହାୟତା କେନ୍ଦ୍ର ଉଦଘାଟନ ହେଉଥିବା ବେଳେ ଏହାକୁ ନେଇ ଦେଖା ଦେଇଥିଲା ବିବାଦ। ଏନ୍ଏସି ଅର୍ଥରେ ଖର୍ଚ୍ଚ ହୋଇଥିବା ପୋଲିସ ସହାୟତା କେନ୍ଦ୍ର ଉଦଘାଟନ କରାଯାଇଥିବା ବେଳେ ସ୍ଥାନୀୟ ଅଧ୍ଯକ୍ଷ ଓ କାଉନସିଲରକୁଂ ଅଣଦେଖା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ତେବେ କୋଦଳା ଏନଏସି ରେ ପୋଲିସ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିବା ସତ୍ତ୍ୱେ ପୋଲିସ ଉପସ୍ଥିତିରେ ବିଜେପି ନେତାଙ୍କ ଗାଡିକୁ ପଥର ମାଡ଼ ହୋଇଥିଲା। ଏନ୍ଏସି ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖା ଅଭିଯୋଗ କରି ବିଜେପି ନେତାମାନେ ଏନେଇ ବୈଠକ କରି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାକୁ ଯୋଜନା କରୁଥିଲେ ।ତେବେ କୋଦଳା ମୁଖ୍ୟ ସଡ଼କରେ ବିଜେପିର ରାଜ୍ୟ ସଂପାଦକ ତଥା ଖଲ୍ଲିକୋଟ ର ବରିଷ୍ଠ ବିଜେପି ନେତା ଅନିଲ୍ ପଣ୍ଡାଙ୍କ ଗାଡିକୁ ପଥର ମାଡ଼ କରାଯାଇଥିଲା ।ପୋଲିସ ଉପସ୍ଥିତିରେ ପଥର ମାଡ଼ ହୋଇଥିବା ବେଳେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ଆଜି ଅଞ୍ଚଳର ଶହ ଶହ ସଂଖ୍ଯାରେ ବିଜେପି ନେତା ଓ କର୍ମୀ କୋଦଳା ଥାନା ଘେରାଉ କରିବା ସହ ଘଟଣାର ଦୃଢ ପ୍ରତିବାଦ କରିଛନ୍ତି। ୨୪ ଘଣ୍ଟା ମଧ୍ୟରେ ଦୋଷୀକୁ ଗିରଫ କରା ନଗଲେ କୋଦଳା ଥାନା ଘେରାଉ ସହ ରାଜରାସ୍ତା ଜାମ୍ କରାଯିବ ବୋଲି କହିଛନ୍ତି ବିଜେପି ନେତା ।ବିଜେପି ପକ୍ଷରୁ ଘୁମୁସର ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ପ୍ରମୋଦ କୁମାର ପଣ୍ଡା, କବିସୂର୍ଯ୍ୟନଗର ବିଧାୟକ ପ୍ରାର୍ଥୀ ରଞ୍ଜନ ପଲେଇ, କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ଖଲ୍ଲିକୋଟ ର ବରିଷ୍ଠ ବିଜେପି ନେତା ଅନିଲ୍ ପଣ୍ଡା, ଘୁମୁସର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଂପାଦକ ଜଜ୍ଞ ନାରାୟଣ ଦାସଙ୍କ ସମେତ ବହୁ ବରିଷ୍ଠ ନେତା ଓ କର୍ମୀମାନେ ଉପସ୍ଥିତ ରହି ଥାନା ଅଧିକାରୀଙ୍କୁ ଭେଟି ଦାବି ଜଣାଇଛନ୍ତି।