ବୁଗୁଡା – ଦିବ୍ଯାଙ୍ଗ ବ୍ଯକ୍ତିମାନଙ୍କୁ ସହାୟତା ଉପକରଣ ଓ ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୁଲ୍ୟରେ ବୁଗୁଡ଼ା ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଅଭିଯାନ ଚିହ୍ନଟ ଶିବିର ସ୍ଥାନୀୟ ପିପୁଲ୍ସ କଲେଜ ପରିସରରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଉକ୍ତ ଶିବିରକୁ ଉଦଘାଟନ କରିଥିବା ବେଳେ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ ଏହାର ସୁପରିଚାଳନା ଦାୟିତ୍ବ ନିର୍ବାହ କରିଥିଲେ । ଉକ୍ତ ଶିବିରଟି ଭିନ୍ନକ୍ଷମ ବ୍ଯକ୍ତିମାନଙ୍କୁ ବସ୍ ଓ ଟ୍ରେନ୍ ପାସ୍ , ରାସନ୍ କାର୍ଡ , ବିଭିନ୍ନ ପ୍ରକାର ଭତ୍ତା , ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ , ଡିଆରଆଇ ଲୋନ୍ , କୃଷି ଉପକରଣ , ଆୟ ଓ ବାସିନ୍ଦା ପ୍ରମାଣ ପତ୍ର ଆଦି ଯୋଗାଇ ଦେବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଥିଲା ବେଳେ ଏ ଅବସରରେ ୧୬୦ ଜଣ ବ୍ଯକ୍ତିଙ୍କ ନାମ ପଞ୍ଜିକୃତ ହୋଇଥିଲା ଏବଂ ୧୨୭ ଜଣ ହିତାଧିକାରୀଙ୍କୁ ବିଭିନ୍ନ ଉପକରଣ ଯୋଗାଇ ଦିଆଯାଇଥିଲା । ସ୍ଥାନୀୟ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରିଣୀ ସୁପ୍ରିୟା ତ୍ରିପାଠୀଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ ଶିବିରର ସୁପରିଚାଳନା ପାଇଁ ୨୧ଟି କେନ୍ଦ୍ର ଖୋଲାଯାଇ ଭିନ୍ନକ୍ଷମ ବ୍ଯକ୍ତିଙ୍କ ଅଭିଯୋଗ ଗ୍ରହଣ ସହ କରାଯାଇଥିଲା ବେଳେ ବ୍ଲକରେ କାର୍ଯ୍ୟରତ କାର୍ଯ୍ଯନିର୍ବାହୀ ଅଧିକାରୀ , ଗ୍ରାମ ରୋଜଗାର ସାଥି , ଯୋଗାଣ ସହାୟକ , ଅଙ୍ଗନୱାଡି କର୍ମୀ ଏବଂ ଅନ୍ୟ କର୍ମଚାରୀମାନଙ୍କ ସମେତ ବିଭିନ୍ନ ପଞ୍ଚାୟତର ଲୋକ ପ୍ରତିନିଧିମାନେ ଏଥିରେ ସକ୍ରିୟ ସହଯୋଗ କରିଥିଲେ ।