କୁହିକା – ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ର ପକ୍ଷରୁ ଯାଜପୁର ଓ ରସୁଲପୁର ବ୍ଲକର ସରପଞ୍ଚମାନେ ଆଜି ଏକ ସରକାରୀ ଗସ୍ତ କାର୍ଯ୍ୟକ୍ରମରେ ନଗଡ଼ା କ୍ଷେତ୍ର ପରିଦର୍ଶନରେ ଆସିଥିଲେ । ଦକ୍ଷତା ବିକାଶ ବିଭାଗ ସହକାରୀ ପ୍ରକଳ୍ପ ନିର୍ଦେଶକ(ଏପିଡି) ମଧୁମିତା ପୃଷ୍ଟିଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି ୫ ଦିନିଆ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଭୟ ବ୍ଲକର ମୋଟ୍ ୫୪ ଜଣ ସରପଞ୍ଚଙ୍କ ମଧ୍ୟରୁ ୪୫ ଜଣ ସରପଞ୍ଚ ଉପର ନଗଡ଼ା, ମଝି ନଗଡ଼ା ଓ ତଳ ନଗଡ଼ା ବୁଲି ବାସ୍ତବ ପରିସ୍ଥିତି ପରଖିଥିଲେ । ସରକାରଙ୍କ ପକ୍ଷରୁ ନଗଡ଼ା ଭଳି ଦୁର୍ଗମ ଇଲାକାରେ ସେମାନେ ବିକାଶର ସୂତ୍ର ଅନୁଧ୍ୟାନ କରିଥିଲେ । ନଗଡ଼ା ଭଳି ଉପେକ୍ଷିତ ଅଞ୍ଚଳରେ ଜନ ପ୍ରତିନିଧିଙ୍କ କର୍ତ୍ତବ୍ୟ ଓ ଦାୟିତ୍ବବୋଧ ବିଷୟରେ ଅନୁଭୂତି ଆହରଣ କରିଥିଲେ । ଜିଲ୍ଲା ମନରେଗା ସଂଯୋଜକ ଚନ୍ମୟ ସିଂ ଓ ଜିଲ୍ଲା ସମ୍ବଳ କେନ୍ଦ୍ରର ବିଭାଗୀୟ ପ୍ରଶିକ୍ଷକ ପ୍ରିୟବ୍ରତ ପତି ପଥ ପ୍ରଦର୍ଶକ ଭାବେ ଦାୟିତ୍ବ ନିର୍ବାହ କରିଥିବା ଦେଖିବାକୁ ମିଳିଥିଲା ।