ବୁଗୁଡା- ବୁଗୁଡା ବ୍ଳକ ଅନ୍ତର୍ଗତ ମତାଝରି ନିକଟସ୍ଥ ବାଘୁଆ ଜଳଭଣ୍ଡାରରୁ ଖରିଫ ଚାଷ ସକାଶେ ଦୁଇ କେନାଲ ଦେଇ ଜଳ ଛଡାଯାଇଥିବା ଜଣାପଡିଛି । ଗତ ସତ୍ପାହରେ ବୁଗୁଡା ଜଳସେଚନ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକର ନିଷ୍ପତ୍ତି ଅନୁଯାୟୀ ଜଳଭଣ୍ଡାରର ବାମ ଓ ଡାହାଣ ଉଭୟ କେନାଲ ଦେଇ ଶନିବାର ଦିନ ଏହି ଜଳ ଛଡାଯାଇଥିବା ନେଇ ସହ-କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିଷ୍ଣୁ ଚରଣ ସାହୁ ସୂଚନା ଦେଇଛନ୍ତି । ଏହା ଦ୍ୱାରା ଚାଷୀକୁଳ ମଧ୍ୟରେ ଖୁସି ପରିଲକ୍ଷିତ ହୋଇଛି । ବିଭାଗୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ ବାଘୁଆ ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୩୧୦୦ ହେକ୍ଟର ମିଟର ହୋଇଥିବା ବେଳେ ବର୍ତ୍ତମାନ ଏହି ଜଳଭଣ୍ଡାରରେ ୨୫୭୬ ହେକ୍ଟର ମିଟର ଜଳ ରହିଥିବା ଜଣାପଡିଛି । ତେବେ ଏହି ଜଳଯୋଗାଣର ଯେପରି ସୁଷମ ବଣ୍ଟନ ହୋଇପାରିବ ସେନେଇ ପାଣି ପଞ୍ଚାୟତର ସମସ୍ତ କର୍ମକର୍ତ୍ତା ଏବଂ ଚାଷୀମାନେ ଧ୍ଯାନ ଦେବା ପାଇଁ ନିବେଦନ କରାଯାଇଛି।