ବୁଗୁଡ଼ା ବ୍ଲକ ମନରେଗାରେ ପୁଣି ଦୁର୍ନୀତିର ଗନ୍ଧ

ଅଙ୍ଗନବାଡି କର୍ମୀ ଓ ହେଲ୍ପର ସାଜିଛନ୍ତି ଶ୍ରମିକ, ହାତେଇଛନ୍ତି ମିଥ୍ଯା ପାରିଶ୍ରମିକ 

ବୁଗୁଡ଼ା – ନିଶ୍ଚିତ କର୍ମ ଯୋଗାଣ ଯୋଜନାରେ ଏକ ନମ୍ବର ସ୍ଥାନ ଅଧିକାର କରିଥିବା ଗଞ୍ଜାମ ଜିଲ୍ଲାରେ ପୁଣି ଦୁର୍ନୀତି ଅଭିଯୋଗ l ଏହି ଯୋଜନାରେ ମାଟି ମୁଠେ ବି ନପକାଇ ଲକ୍ଷାଧିକ ଟଙ୍କା ଉଠାଯାଇଥିବା ବେଳେ ଅଙ୍ଗନବାଡି କର୍ମୀ ଓ ହେଲ୍ପରଙ୍କୁ ମଧ୍ୟ ଶ୍ରମିକ ସଜେଇ ସେମାନଙ୍କ ଆକାଉଣ୍ଟକୁ ହଜାର ହଜାର ଟଙ୍କା ଛଡା ଯାଇଥିବା ଅଭିଯୋଗ ହୋଇଛି l ଏମିତି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଲିପଦର ପଞ୍ଚାୟତରୁ l ଏହି ପଞ୍ଚାୟତ ଅଧିନସ୍ଥ ସଦାଶିବପୁର ଗ୍ରାମର ବଳଢିଆ ବନ୍ଧ ନିକଟରେ ଗ୍ରାମୀଣ ପାର୍କ ନିର୍ମାଣ ପାଇଁ ପଞ୍ଚାୟତ ସମିତି ପାଣ୍ଠିରୁ ମନରେଗା ଯୋଜନାରେ ପ୍ରାୟ ୬ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି l ଏବର୍ଷ ଗତ ଜୁନ ୬ ତାରିଖରୁ କାର୍ଯ୍ୟ ଆରମ୍ଭ ହୋଇଥିବା କାଗଜ ପତ୍ରରେ ଦର୍ଶା ଯାଇଛି l ତେବେ ସେଠାରେ ଆଜି ପର୍ଯ୍ୟନ୍ତ ମାଟି ମୁଠାଏ ବି ପକା ଯାଇନି କି କାର୍ଯ୍ୟ ଫଳକ ଲଗା ଯାଇନଥିବା ବେଳେ ମାଷ୍ଟର ରୋଲରେ ଗତ ଜୁନ ୬ ତାରିଖ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ସମୁଦାୟ ୨୮ ଜଣ ଶ୍ରମିକଙ୍କୁ ନିୟୋଜିତ କରାଯାଇ ୭୯୮ ଶ୍ରମ ଦିବସ ସୃଷ୍ଟି କରାଯାଇଛି l ପ୍ରଥମେ ଜୁନ ୨୨ ତାରିଖରେ ୨୮ ଜଣ ଶ୍ରମିକଙ୍କୁ ପ୍ରଥମ କିସ୍ତିରେ ପ୍ରତି ଶ୍ରମିକଙ୍କୁ ଦିନକୁ ୨୦୧ ଟଙ୍କା ହିସାବରେ ୧୪ ଦିନ କାମ କରିଥିବା ଦର୍ଶାଇ ଜଣକୁ ୨୮୧୪ ଟଙ୍କା ହିସାବରେ ୮୧ ହଜାର ୬୬ ଟଙ୍କା ଏବଂ ଜୁଲାଇ ୮ତାରିଖରେ ପୁଣି ସେହି ୨୮ ଜଣ ଶ୍ରମିକଙ୍କୁ ଦ୍ଵିତୀୟ କିସ୍ତିରେ ପ୍ରତି ଶ୍ରମିକଙ୍କୁ ଦିନକୁ ୨୦୨ ଟଙ୍କା ହିସାବରେ ୧୪ ଦିନ କାମ କରିଥିବା ଦର୍ଶାଇ ଜଣକୁ ୨୮୨୮ ଟଙ୍କା ହିସାବରେ ୭୯ ହଜାର ୧୮୪ ଟଙ୍କା ଏମିତି ୧ ଲକ୍ଷ ୬୦ ହଜାର ୭୯୦ ଟଙ୍କା ୨୮ ଜଣ ଆକାଉଣ୍ଟକୁ ଛଡା ଯାଇଥିବା  ଦର୍ଶା ଯାଇଛି l ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏହି ୨୮ ଜଣଙ୍କ ମଧ୍ୟରେ ଅଛନ୍ତି  ସେହି ଗ୍ରାମର ଅଙ୍ଗନବାଡି କର୍ମୀ ଓ ହେଲ୍ପର l ଏମାନଙ୍କୁ  ଶ୍ରମିକ ଦର୍ଶାଇ ତାଙ୍କ ଆକାଉଣ୍ଟଙ୍କୁ ଟଙ୍କା ଛଡା ଯାଇଛି l ଯେଉଁ ୨୮ ଜଣ ଶ୍ରମିକ କାମ କରିଥିବା ଦର୍ଶାଯାଇଛି ସମସ୍ତେ  ବ୍ରାହ୍ମଣ ଜାତିର ପୁରୁଷ ଓ ମହିଳା  l  ସେମାନେ କେବେ କାମ କରିବାକୁ ଯାଉନଥିବା ଏମିତିକି ବ୍ରାହ୍ମଣ ଶାସନରେ ମହିଳାମାନେ ପାଣି ଆଣିବାକୁ ମଧ୍ୟ କେବେ ଦାଣ୍ଡକୁ ବାହାରୁ ନଥିବା ବେଳେ ସେମାନେ କେମିତି ଶ୍ରମିକ ହେଲେ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଭାତ ହାଣ୍ଡିରୁ ଗୋଟିଏ ଚିପିଲା ଭଳି ଏହା ଏକ ଉଦାହରଣ ମାତ୍ର । ତେବେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ଆହୁରି ଅନେକ ତଥ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.