ନର୍କକୁଣ୍ଡ ପାଲଟିଛି ବୁଗୁଡ଼ା ବସଷ୍ଟାଣ୍ଡ ପରିସର , ଯଥାଶୀଘ୍ର ପ୍ରତିକାର ଦାବି 

ବୁଗୁଡ଼ା- ଶୌଚାଳୟ ପାଲଟିଛି ଦୁର୍ଗନ୍ଧର କାରଣ l ଯାତ୍ରୀମାନଙ୍କ ସୁବିଧା ପାଇଁ ବସଷ୍ଟାଣ୍ଡ ସମ୍ମୁଖରେ ନିର୍ମାଣ ହୋଇଥିବା ସୁଲଭ ଶୌଚାଳୟ ଏବେ ଯାତ୍ରୀମାନଙ୍କ ଅସୁବିଧାର ମୁଖ୍ୟ କାରଣ ସାଜିଛି l ଶୌଚାଳୟରେ ଝାଡା, ପରିସ୍ରା ପରେ ସେହି ଆବର୍ଜନା ଡ୍ରେନ କିମ୍ବା ଟାଙ୍କିକୁ ଯିବା ପରିବର୍ତ୍ତେ ବସଷ୍ଟାଣ୍ଡ ଭିତରକୁ ପଶୁଥିବାରୁ  ବୁଗୁଡ଼ା ବସଷ୍ଟାଣ୍ଡ ପରିସର ଏବେ ନର୍କକୁଣ୍ଡରେ ପରିଣତ ହେବା ସହ ଦୁର୍ଗନ୍ଧରେ ନାକ ଫାଟି ପଡୁଛି l ଅନ୍ୟପକ୍ଷରେ  ବସଷ୍ଟାଣ୍ଡ ପରିସରରେ ଏନ୍ଏସି ପକ୍ଷରୁ ନିର୍ମିତ ପରିସ୍ରାଗାରରେ ଜଳର ସୁବିଧା ନଥିବା ହେତୁ ତାହା ବ୍ୟବହାରରେ ଆସୁନି ଫଳରେ ଯାତ୍ରୀମାନେ ସେହି ଶୌଚାଳୟର ପଛପଟେ ଝାଡା,ପରିସ୍ରା କରୁଛନ୍ତି l  ସେହି ମଳ ଓ ପରିସ୍ରା ପାଣି  ବୋହିଯାଇ ଶୌଚାଳୟରୁ ବାହାରୁ ଥିବା ମଇଳା ସହ  ମିଶୁଛି ।  ଶୌଚାଳୟରୁ ନିର୍ଗତ ଦୁର୍ଗନ୍ଧ ଜଳ ଓ ଯାତ୍ରୀଙ୍କ ପରିସ୍ରା ଜଳର ସମିଶ୍ରଣ ବସଷ୍ଟାଣ୍ଡ ପରିସରକୁ ନର୍କକୁଣ୍ଡରେ ପରିଣତ କରିଛି lଫଳରେ ଯାତ୍ରୀ ଦୁର୍ଗନ୍ଧରେ ଅଣନିଶ୍ବାସୀ ହୋଇପଡୁଛନ୍ତି । ପ୍ରତିଦିନ ଶହ ଶହ ଯାତ୍ରୀ ବସଷ୍ଟାଣ୍ଡକୁ ଆସୁଥିବା ବେଳେ ସେହି ପୋଚକା ପାଣି କୁଦି ଚକଡି ଯିବାକୁ ବାଧ୍ୟ ହେଉଛନ୍ତି l ସ୍ବଚ୍ଛତାର ଡିଣ୍ଡିମ ପିଟୁଥିବା ଏନ୍ଏସି ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏହାର ପ୍ରତିକାର ବ୍ଯବସ୍ଥା ତୁରନ୍ତ କରିବା ପାଇଁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.