ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଏ ବରିଡ଼ା ପଞ୍ଚାୟତର ଦଧିବାମନ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଚିଚନ୍ ପ୍ରଧାନ ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରି ଲହୁଲୁହାଣ କରିଥିବା ଅଭିଯୋଗରେ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ଶିକ୍ଷା ବିଭାଗ।ଶିକ୍ଷକ ଚିଚନ୍ ପ୍ରଧାନ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ଅତି ଅମାନବିକ ଭାବେ ମାଡ଼ ମାରିଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ କବିସୂର୍ଯ୍ୟନଗର ବ୍ଲକ ଶିକ୍ଷା ଅଧିକାରୀଣୀ ସଂପୃକ୍ତ ବିଦ୍ୟାଳୟକୁ ଯାଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଡିଇଓକଂ ପରାମର୍ଶ ଅନୁସାରେ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି।
ସ୍ଥାନୀୟ ଶିକ୍ଷା ଅଧିକାରୀଣୀ ବିଦ୍ୟାଳୟରେ ଅନ୍ଯ ଶିକ୍ଷକ, ଛାତ୍ରଛାତ୍ରୀ ମାନଙ୍କୁ ଏନେଇ ସଂପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଛନ୍ତି। ଘଟଣା କେଉଁ ପରିସ୍ଥିତିରେ ଘଟିଲା ତାହା ଅନୁସନ୍ଧାନ କରିବା ସହ ଆହତ ଛାତ୍ରଙ୍କ ଘରେ ପହଞ୍ଚି ତାର ସ୍ବାସ୍ଥ୍ୟବସ୍ଥା ମଧ୍ୟ ବୁଝିଛନ୍ତି। ତେବେ ଅତି ବର୍ବରତା ପୂର୍ବକ କୋମଳମତି ଶିଶୁଙ୍କୁ ମାଡ଼ ମାରିଥିବା ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି। ଏନେଇ ନିଲମ୍ବିତ ହୋଇଛନ୍ତି ଶିକ୍ଷକ ଚିଚନ୍ ପ୍ରଧାନ।