ଅସ୍ତରଙ୍ଗ- ଅସ୍ତରଙ୍ଗ ବଜାରରେ ପ୍ରସ୍ଥାବିତ ଠିପି ଖୋଲା ମଦ ଦୋକାନ ଖୋଲାଯିବା ପାଇଁ ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।ଆଗରୁ ଅସ୍ତରଙ୍ଗ ମୁଖ୍ୟ ବଜାରରେ ଏକ ଠିପି ବନ୍ଦ ସରକାରୀ ମଦ ଦୋକାନ ନୂତନ ଭାବେ ଖୋଲା ଯାଇଛି।ଏହି ଠିପି ଖୋଲା ମଦ ଦୋକାନ ଖୋଲା ନ ଯିବାକୁ ଓ ବଜାରର ମୁଖ୍ୟ ରାସ୍ତା ପାର୍ଶ୍ଵରେ ଥିବା ମଦ ଦୋକାନକୁ ସ୍ଥାନାନ୍ତରିତ କରିବା ଦାବିରେ ଏକ ପ୍ରତିବାଦ ଶୋଭାଯାତ୍ରା କରାଯାଇଥିଲା। ସ୍ଥାନୀୟ ତହସିଲଦାର ରାଜଲଷ୍ମୀ ନାୟକଙ୍କୁ ରାଜ୍ୟ ସରକାର ଓ ଅବକାରୀ ବିଭାଗ କମିଶନରଙ୍କ ଉଦ୍ଧେଶ୍ୟରେ ଏକ ଦାବୀ ପତ୍ର ଦେଇଥିଲେ।ସମାଜସେବି ଦୁଷ୍ମନ୍ତ କୁମାର ପରିଡାଙ୍କ ନେତୃତ୍ବରେ ମଦ ମୁକ୍ତି ମହିଳା ସଙ୍ଗଠନ ପକ୍ଷରୁ ଏକ ଶୋଭାଯାତ୍ରା ବଜାର ପରିକ୍ରମା କରି କୁହୁଡି ସ୍ଥିତ ମହାତ୍ମା ଗାନ୍ଧୀ ସ୍ମୃତି ପୀଠକୁ ଯାଇଥିଲେ।ସରକାର ରାଜସ୍ୱ ବୃଦ୍ଧି ନିମନ୍ତେ ରାଜ୍ୟ ସାରା ଠିପି ଖୋଲା ଓ ଠିପ ବନ୍ଦ ମଦ ଦୋକାନ ଖୋଲିବା ପାଇଁ ବିଭିନ୍ନ ସମୟରେ ବିଜ୍ଞପ୍ତି ପ୍ରକାଶ ପାଇଛି।ବିଭିନ୍ନ ସ୍ଥାନରେ ମଦ ମୃତ୍ୟୁ ଆଶଙ୍କାରେ ପ୍ରସ୍ଥାବିତ ମଦ ଦୋକାନକୁ ବିରୋଧ କରବା ସହିତ ରାସ୍ତା ରୋକ, ପୋଡାଜଳା କରାଯାଉଥିଲେ ମଧ୍ୟ ସରକାର ମଦ ଦୋକାନ ଖୋଲିବାରେ ସଫଳ ହେଉଛନ୍ତି।ଅନ୍ୟ ପକ୍ଷରେ ମହିଳା ସଙ୍ଗଠନ,ସ୍ୱେଚ୍ଛାସେବୀ ସଂଗଠନ, ଛାତ୍ର ସଙ୍ଗଠନ ଓ ବିଭିନ୍ନ ଛାମୁଆ ସଙ୍ଗଠନ ପକ୍ଷରୁ ମଦ ବିରୋଧୀ ଆନ୍ଦୋଳନ ତୀବ୍ରତର ହେଉଥିଲେ ମଧ୍ୟ ସରକାରଙ୍କ ଉପରେ କୌଣସି ପ୍ରଭାବ ପଡୁଥିବାର ଦେଖିବାକୁ ମିଳେ ନାହିଁ।ଅସ୍ତରଙ୍ଗରେ ମଧ୍ୟ ବିଭିନ୍ନ ସମୟରେ ମଦ ବିରୋଧୀ ଆନ୍ଦୋଳନ କରାଯାଇଛି।କିନ୍ତୁ ଆନ୍ଦୋଳନର କୌଣସି ପ୍ରକାର ପ୍ରଭାବ ପଡିନି।ଆନ୍ଦୋଳନ କାରୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଆନ୍ଦୋଳନକୁ ପ୍ରଶାସନ ଚତୁରତାର ସହିତ ପ୍ରତ୍ୟାହୃତ କରିବାରେ ସଫଳ ହୋଇଛି କିନ୍ତୁ ଆନ୍ଦୋଳନକାରୀ ମାନେ ବିଫଳତାର ଶିକାର ହୋଇଛନ୍ତି।ଦୁଷ୍ମନ୍ତ କୁମାର ପରିଡା,ପଣ୍ଡିତ କାଳନ୍ଦୀ ଚରଣ ଛାଟୋଇ, ଭୋଳନାଥ ବେହେରା,ସତ୍ୟବ୍ରତ ଲେଙ୍କା, ଲଷ୍ମୀପ୍ରିୟା ବସ୍ତିଆ,ଜୟନ୍ତୀ ଛାଟୋଇ, କୁନି ଲତା ନାୟକ, ଉଷାରାଣୀ ବସ୍ତିଆ,ମିଳନ କୁମାର ପ୍ରମୁଖ ସରକାର ତଥା ସ୍ଥାନୀୟ ପ୍ରଶାସନକୁ କଡା ଚେତାଵନୀ ଦେଇଛନ୍ତି ଯେ ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ କୌଣସି ଜନସାଧାରଣଙ୍କ ସ୍ୱାର୍ଥ ଯଡିତ ପଦକ୍ଷେପ ଗ୍ରହଣ କରାନଯାଏ ପରିସ୍ଥିତି ଭୟଙ୍କର ରୁପ ଧାରଣ କରିବ ।ଏଥିପାଇଁ ଉଭୟ ପ୍ରଶାସନ ଦାୟୀ ରହିବେ।