ପୁରୁଷୋତ୍ତମପୁର- ଗଞ୍ଜାମ ଜିଲାର ଇଷ୍ଟ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଅନ୍ନଯଜ୍ଞ ଲାଗି ଦାନ କରିଥିବା ଗ୍ରୋସେରୀ ସାମଗ୍ରୀରେ ହେରଫେର ହୋଇଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏନେଇ ସ୍ଥାନୀୟ ଜନସାଧାରଣ ଦାୟିତ୍ୱରେ ଥିବା ପୁରୁଷୋତ୍ତମପୁର ବିଡିଓ ବିଜୟ କୁମାର ବେହେରାଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି।
ମେ ୨୦ରୁ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ଶେଷ ହୋଇ ୨ମାସରୁ ଊର୍ଦ୍ଧ୍ୱ ଦିନ ବିତି ଯାଇଥିବା ବେଳେ ବଳକା ସାମଗ୍ରୀର ହିସାବ କେଉଁ ଉଦ୍ଦେଶ୍ୟରେ ଦିଆଯାଇ ନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାପରେ ବିଡିଓ ତରବରିଆ ଭାବେ ମଙ୍ଗଳବାର ୩ ଲକ୍ଷ ୩୦ହଜାର ୨୪୦ ଟଙ୍କା ମନ୍ଦିର ଅନ୍ନଯଜ୍ଞ ଆକାଉଣ୍ଟରେ ଜମା କରିଛନ୍ତି। ଏହାର ରସିଦକୁ ନେଇ ବିଡିଓ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ବିଡିଓଙ୍କ ଏହି ପୋଷ୍ଟକୁ ନେଇ ବିଭିନ୍ନ ବ୍ୟକ୍ତି ବିଭିନ୍ନ ପ୍ରକାର ସମାଲୋଚନା ଜନକ ମନ୍ତବ୍ୟ ଦେଇଛନ୍ତି। ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଶୁଭ୍ରାଂଶୁ ଶେଖର ସାବତ ପ୍ରତିକ୍ରିୟା ପ୍ରକାଶ କରି ସୋସିଆଲ ମିଡିଆରେ ବିଡିଓଙ୍କୁ ଜବାବ ମାଗିଛନ୍ତି। ଆଜି ପର୍ଯ୍ୟନ୍ତ କିପରି ଟଙ୍କା ଆଦାୟ ହୋଇପାରୁ ନ ଥିବା ବେଳେ ଘଟଣା ଭାଇରାଲ ହେବା ପରେ ଗୋଟିଏ ଦିନରେ କିଭଳି ଟଙ୍କା ବ୍ୟାଙ୍କରେ ଡିପୋଜିଟ କରାଗଲା। ବିଳମ୍ବରେ ଟଙ୍କା ବାନ୍ଧିବା ଯୋଗୁ ମା’ ତାରାତାରିଣୀଙ୍କ ଏହି ଟଙ୍କାର ଯେଉଁ ଇଣ୍ଟରେଷ୍ଟ ନଷ୍ଟ ହେଲା ତାହା ବିଡିଓ ବହନ କରିବେ କି’ ବୋଲି ପ୍ରଶ୍ନ କରିଛନ୍ତି। ଏହାକୁ ନେଇ ବିଡିଓ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଆହୁରି ବଳକା ଟଙ୍କା ମିଳିନାହିଁ। ସବୁ ଟଙ୍କା ମିଳିବା ପରେ ଏକାଥରକେ ବ୍ୟାଙ୍କରେ ଡିପୋଜିଟ ପାଇଁ ରଖାଯାଇଥିଲା। କୋଣସି ପ୍ରକାରର ହେରଫେର ହୋଇ ନ ଥିବା ସେ କହିଛନ୍ତି।