ଜଳ ନିଷ୍କାସନ ସମସ୍ୟାକୁ ନେଇ ଜନଶୁଣାଣୀରେ ଜିଲ୍ଲାପାଳଙ୍କୁ ଜଳେଶ୍ଵର କଂଗ୍ରେସର ଦାବିପତ୍ର

ଜଳେଶ୍ବର,- ଜଳ ନିଷ୍କାସନ ସମସ୍ୟାର ସମାଧାନ ପାଇଁ ଆଜି ଜଳେଶ୍ୱର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ଦେବା ସହିତ ଏହାର ସମାଧାନ ପାଇଁ ତାଙ୍କ ସହିତ ଆଲୋଚନା କରିଛନ୍ତି ଦଳର ନେତା ତଥା ରାଜ୍ୟ ପ୍ରବକ୍ତା ଶ୍ରୀ ସୁଦର୍ଶନ ଦାସ।
ଜଳ ବନ୍ଦୀ ଜଳେଶ୍ୱରର ଅନେକ ପଞ୍ଚାୟତ ଓ ମ୍ୟୁନିସିପାଲଟି ର ଏକ ପ୍ରମୁଖ ସମସ୍ୟା । ବ୍ଲକର ସମ୍ପତିଆ, ନମ୍ପୋ, ଖାଲିନା, ଖୁଲୁଡ଼ା, ବର୍ତ୍ତନା, ପଶ୍ଚିମବାଡ଼, ବାଇଗଣବାଡ଼ିଆ, ଝାଡପିମ୍ପଳ ଆଦି ଗ୍ରାମ ପଞ୍ଚାୟତର ଲୋକ ମାନେ ବର୍ଷା ଦିନରେ ନାହିଁ ନ ଥିବା ସମସ୍ୟା ର ସମ୍ମୁଖୀନ ହୁଅନ୍ତି। ଚଳିତ ବର୍ଷ ଲଗାଣ ବର୍ଷା ଯୋଗୁଁ ଲୋକଙ୍କ ଚାଷ ଉଜୁଡ଼ି ଯାଇଛି ଓ ଅନେକ ଘରେ ପାଣି ପଶିଛି। ଏହି ସବୁ ଅଞ୍ଚଳରେ ଜନ ଜୀବନ ପ୍ରଭାବିତ ହୋଇଛି।ଜଳେଶ୍ବର ମ୍ୟୁନିସିପାଲଟି ର ମଧ୍ୟ ତଦୃପ ଅଵସ୍ଥା ହୋଇଛି। ଏହାର ମୂଳ ସମସ୍ୟା ହେଲା ବର୍ଷା ଦିନେ ଏହି ଅଞ୍ଚଳର ବର୍ଷା ପାଣି ତଥା ପଶ୍ଚିମବଙ୍ଗ ପଟରୁ ଆସୁଥିବା ବଳକା ପାଣି  ନିଷ୍କାସନ ହୋଇ ନ ପାରିବା । ଯେଉଁ ନାଳ ଗୁଡ଼ିକ ଏହି ବଳକା ପାଣିକୁ ନିଷ୍କାସନ କରିବାରେ ସହାୟକ ହୁଏ, ସେହି ନାଳ ବା ଖାଳ ଗୁଡ଼ିକ ବର୍ତ୍ତମାନ ପୋତି ହୋଇ ଯାଇଛି। ଅନାବନା ଘାସ ଓ ଦଳ ମଧ୍ୟ ପାଣି ର ପଥ ଓଗାଳୁଛି। ଫଳରେ ପାଣି ସୁବର୍ଣ୍ଣରେଖା ବା ସମୁଦ୍ର କୁ ନିଷ୍କାସିତ ହୋଇ ପାରୁନାହିଁ । ଏହାର ସମାଧାନ ପାଇଁ ଜିଲ୍ଲାପାଳ ଙ୍କ ପାଖରେ ତିନୋଟି ଦାବି କଂଗ୍ରେସ ରଖିଛି । ଜଳ ନିଷ୍କାସନ ର ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରି ଦୀର୍ଘ ମିଆଦୀ ପଦକ୍ଷେପ ନେବା, ନାଳ ଓ ଖାଳ ଗୁଡ଼ିକ ପୁନରୁଦ୍ଧାର କରିବା ଓ ଏନ୍ ଆର୍ ଜି ଏସ ଯୋଜନା କୁ ବ୍ୟବହାର କରି ଲୋକଙ୍କ ସଂପୃକ୍ତି ରେ ସମସ୍ୟାର ସମାଧାନ ପ୍ରଭୃତି ଦାବି ଗୁଡିକରେ ଅନ୍ତର୍ଭୁକ୍ତ ଅଟେ। ତୁରନ୍ତ ଏହା ଉପରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ପ୍ରତିସୃତି ଦେଇଛନ୍ତି ବୋଲି କଂଗ୍ରେସ ଦଳ ପକ୍ଷରୁ କୁହାଯାଇଛି। ଶ୍ରୀ ଦାସଙ୍କ ସହିତ ବ୍ଲକ ସଭାପତି ରାଜୀବ ପରିଡ଼ା, କିସାନ କଂଗ୍ରେସ ସଭାପତି ସୁଦାମ ପାତ୍ର, ପୂର୍ବତନ ସରପଂଚ ପଦ୍ମଲୋଚନ ବେହେରା, ଯୁବ ନେତା ଗୋପାଳ କୃଷ୍ଣ ଜେନା, ସୁଶାନ୍ତ ସେଠି, ଟାଉନ କଂଗ୍ରେସ ର ପୂର୍ବତନ ସଭାପତି ରିୟାଜ୍ ଖାଁ, ପୂର୍ବତନ କାଉନସିଲର ଜଗଦୀଶ ନନ୍ଦୀ, ସପନ ପାତ୍ର ପ୍ରମୁଖ ଆଜି ଏହି ଦାବି ପତ୍ର ଦେବା ବେଳେ ଉପସ୍ଥିତ ଥିଲେ। ଏହି ଜଳ ନିଷ୍କାସନ ସମସ୍ୟାର ସମାଧାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କୁ ଉହ୍ଲାଇବ ବୋଲି କଂଗ୍ରେସ ନେତା ଶ୍ରୀ ଦାସ ଚେତାବନୀ ଦେଇଛନ୍ତି। 

Leave A Reply

Your email address will not be published.