ବାରିପଦା- ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଦିନିକିଆ ମୟୂରଭଞ୍ଜ ଗସ୍ତରେ ଆସି ଲଘୁଚାପ ବର୍ଷା ଯୋଗୁଁ ମୟୂରଭଞ୍ଜରେ ହୋଇଥିବା କ୍ଷୟକ୍ଷତି ଏବଂ କେଉଁ କାରଣ ଯୋଗୁଁ କାନ୍ଥ ପଡି ୬ଜଣ ନୀରିହ ଜୀବନ ଚାଲିଗଲା ସେ ସମ୍ବନ୍ଧରେ ଅନୁଧ୍ୟାନ କରିଥିଲେ ।ପ୍ରଥମେ ଶ୍ରୀ ମହାନ୍ତି କପ୍ତିପଦା ଠାରେ ପହଁଚିଲା ପରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଦ୍ବାରା ସ୍ବାଗତ କରାଯାଇଥିଲା।ତତପରେ ସେ ଉଦଳା ନିର୍ବାଚନ ମଣ୍ଡଳୀ ମଝିଗାଡିଆ ପଞ୍ଚାୟତର ଭେଜିଡ଼ିହା ଗାଁରେ ବର୍ଷା ପାଣିରେ କାନ୍ଥ ଭୁଶୁଡ଼ି ପ୍ରାଣହାନି ହୋଇଥିବା ପରିବାର ସଦସ୍ୟଙ୍କୁ ଭେଟିବା ସହ ଗୋପବନ୍ଧୁନଗର ବ୍ଲକ ଜୟପୁର ପଞ୍ଚାୟତର ରାଈଡାହି ଠାରେ ବର୍ଷା ପାଣି ଦ୍ଵାରା କାନ୍ଥ ପଡ଼ି ଦୁଇ ଅଜ୍ଞାନ ଶିଶୁ ମୃତ୍ୟୁ କରିଥିବା ପରିବାରକୁ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ସମବେଦନା ଜଣାଇଥିଲେ।ଏହି ଅନୁଧ୍ୟାନ ସମୟରେ ରାଜ୍ୟ ସଭାପତି ସମୀର ମହାନ୍ତି ଙ୍କ ସହ ମୁଖପାତ୍ର ଠାକୁର ରଞ୍ଜିତ ଦାସ, ପଛୁଆ ବର୍ଗ ସଭାପତି ସୁରଥ ବିଶ୍ଵାଳ, ବିଧାୟକ ଭାସ୍କର ମଢ଼େଇ, ପ୍ରକାଶ ସୋରେନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣ ଚନ୍ଦ୍ର ମହାପାତ୍ର, ନିହାର ରଞ୍ଜନ ମୋଦୀ, ସୁଜାତା ମୁର୍ମୁ, ପ୍ରମିଳା ପଣ୍ଡା ଉପସ୍ଥିତ ଥିଲେ।ଏହି ଅବସରରେ ବୁଧବାର ସନ୍ଧ୍ୟାରେ ବାରିପଦା ସର୍କିଟ୍ ହାଉସ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ରାଜ୍ୟ ସରକାରଙ୍କ ଉପରେ ଗର୍ଜିବା ସହ ସରକାରଙ୍କ ଜିରୋ କାଜୁଆଲ୍ଟି ଉପରେ ଆଙ୍ଗୁଳି ଉଠାଇଥିଲେ।ଏବଂ ସରକାରଙ୍କ ଜିରୋ କାଜୁଆଲ୍ଟି ମିଶନ୍ ସମ୍ପୂର୍ଣ୍ଣ ଫେଲ୍ ମାରିଛି ବୋଲି ମତ ରଖିଥିଲେ । ମୟୂରଭଞ୍ଜ ଜିଲ୍ଲାରେ କାନ୍ଥ ପଡି ସର୍ବାଧିକ ମୃତ୍ୟୁ ହୋଇଥିବାବେଳେ ଏହାକୁ ନେଇ ରାଜ୍ୟସରକାର ଓ ମୟୂରଭଞ୍ଜ ଜିଲ୍ଲାପ୍ରଶାସନର ଦକ୍ଷତା ଉପରେ ପ୍ରଶ୍ନ ଉଠାଇଥିଲେ । ଆବାସ ଯୋଜନାରେ ସରକାରଙ୍କ ଅନିୟମିତତା ଓ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବାଦ୍ ପଡିଥିବାରୁ ଆଜି ନୀରିହ ଲୋକଙ୍କ ଜୀବନ ଚାଲିଗଲା । ଲଗାଣ ବର୍ଷାର ମୁକାବିଲା ପାଇଁ ରାଜ୍ୟସରକାର ଅଥବା ଜିଲ୍ଲାପ୍ରଶାସନ ଠିକ୍ ଭାବରେ ପ୍ରସ୍ତୁତ ନଥିବାରୁ ଏପରି ଘଟଣା ଘଟିଗଲା ବୋଲି ମତ ରଖିଥିଲେ । ଆଗାମୀ ଦିନରେ ଏହି ଘଟଣାକୁ ନେଇ ବିଜେପି ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ୍ଙ୍କ ସହ ବିଜେପି ବିଧାୟକ ଭାସ୍କର ମଢେଇ, ପ୍ରକାଶ ସୋରେନ୍, ଡାଃ ବୁଢାନ୍ ମୁର୍ମୁ, ସନାତନ ବିଜୁଳି ଓ ବରିଷ୍ଠ ବିଜେପି ନେତା କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସହ ବିଜେପି ନେତୃବୃନ୍ଦ ମାନେ ଉପସ୍ଥିତ ଥିଲେ ।