ଧାମନଗର-ଧାମନଗର ବନ୍ୟା ଅଞ୍ଚଳ ଲୋକଙ୍କ ଦୁଖଃ ହେଉଛି ବୈତରଣୀ ଓ ଗେଙ୍ଗୁଟିର ଏସକେଫ। ଧାମନଗରରେ ବିଗତ ୧୫ ଦିନ ମଧ୍ୟରେ ଦୁଇ ଦୁଇ ଥର ବନ୍ୟା ହୋଇଥିବା ବେଳେ ପୁଣି ଘୂର୍ଣ୍ଣିବଳୟ ପାଇଁ ବର୍ଷା ହେତୁ ପାଣି ଘେରରେ ଏଯାଏ ଫସିଥିବା ଲୋକେ ଆତଙ୍କିତ। ବୈତରଣୀରେ ଜଳସ୍ତର କମ୍ ହେତୁ ବନ୍ୟା କମିଥିବା ବେଳେ ମନୁଷ୍ୟ ଓ ଗୃହପାଳିତ ପଶୁ ମାନଙ୍କର ଦୁଃଖ ଦୁର୍ଦ୍ଦଶା ବଢ଼ିଛି। ଏବେ ପୁଣି ସମ୍ଭାବ୍ୟ ବର୍ଷା ପାଇଁ ପାଣିପାଗ ବିଭାଗର ୟେଲୋ ୱାର୍ଣିଂ ଜାରି ଯୋଗୁଁ ଭୟଭୀତ ଅଛନ୍ତି ତଳିଆ ଅଞ୍ଚଳବାସୀ । ଧାମନଗର ଅଞ୍ଚଳର ବିଗତ କିଛି ବର୍ଷ ହେବ ବୈତରଣୀ ନଦୀର ୨ ଟି ଓ ଗେଙ୍ଗୁଟି ନଦୀର ୩ ଟି ଏସ୍କେଫ ପାଇଁ କୁତ୍ରିମ ବନ୍ୟା ସୃଷ୍ଟି ହେଉଛି। ନଦୀର ଉପର ମୁଣ୍ଡରେ ବର୍ଷା ଅଧିକ ହେଲେ ଜଳପତ୍ତନ ବୃଦ୍ଧି ପାଇ ମଲ୍ଲିମାହାରା ଓ ଗୌରାଙ୍ଗପୁର୍ ଏସ୍କେଫ ଦେଇ ବନ୍ୟାଜଳ ଧାମନଗର ଅଞ୍ଚଳର ଗାଁ ଗଣ୍ଡା ଏବଂ ଜମିବାଡ଼ିକୁ ପ୍ଲାବିତ କରି ଦାରୁଣ ଦୁଃଖ ଦେଇଥାଏ। ସେହିପରି ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ କଣ୍ଟୀ ଘାଇ ଦେଇ ବର୍ଦ୍ଧିତ ବନ୍ୟାଜଳ ଆସି ଗେଙ୍ଗୁଟି ନଦୀର କନକେଇ, ଗାଇଛନ୍ଦା ଓ ମଠମାହାରା ଦେଇ ଧାମନଗର ଅଞ୍ଚଳ ଜଳମଗ୍ନ ହୁଏ। ବିଗତ କିଛିବର୍ଷ ହେବ ବନ୍ୟା ପୀଡିତ ଅଞ୍ଚଳବାସୀ ଏସ୍କେଫ ଗୁଡ଼ିକୁ ବନ୍ଦ ଅବା ଉଚ୍ଚା କରିବା ପାଇଁ ବାରମ୍ବାର ଦାବି କରୁଥିଲେ ମଧ୍ୟ ସରକାରୀ ଅଧିକାରୀ ଓ ଜନପ୍ରତିନିଧି ସେମାନଙ୍କ ନେଉଟିଆ କିଆରୀ ନଷ୍ଟ ହେବା ଆଶଙ୍କାରେ ତତ୍ପର ହେଉ ନାହାନ୍ତି। ବାରମ୍ବାର ପ୍ରତିକାର ଆଳରେ ମରାମତି ଅର୍ଥ ହରଲୁଟ କରୁଛନ୍ତି। ନିକଟରେ ୭୫ ଲକ୍ଷ ବ୍ୟୟବରାଦ ରେ ନିର୍ମିତ ମଲ୍ଲିମାହାରା ଏସ୍କେଫ ନିମ୍ନମାନର କାମ ହେତୁ ଚଳିତ ବନ୍ୟାରେ ଧୋଇଯାଇଛି। ସେହିପରି କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ନଦୀବନ୍ଧରେ ଘଳିଆ ପଡୁଛି। ସାମାନ୍ୟ ବର୍ଷାରେ ବନ୍ୟା ଦୁର୍ଦ୍ଦଶା ଭୋଗୁଥିବା ଅଞ୍ଚଳବାସୀ ଏହାର ସ୍ଥାୟୀ ପ୍ରତିକାର ଦାବି କରିଛନ୍ତି। ତେବେ ଚଳିତ ବନ୍ୟାରେ ଧାମନଗର ବ୍ଲକର ୨୬ ପଞ୍ଚାୟତ ୧୦୫ ରାଜସ୍ବ ଗ୍ରାମର ୧ ଲକ୍ଷ ୨୫ ହଜାର ୭୯୫ ଜଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୪୮ ଟି ଗ୍ରାମର ୧୧ ହଜାର ୩୧୯ ଜଣ ଅଧିକ ପ୍ରଭାବିତ ହୋଇଛନ୍ତି ବୋଲି ବିଡ଼ିଓ ଦୁର୍ଗାଚରଣ ମୁର୍ମୁ ସୂଚନା ଦେଇଛନ୍ତି। ବନ୍ୟା ଯୋଗୁ ୬୨୦୨ ହେକ୍ଟର ଚାଷ ଜମି କ୍ଷତଗ୍ରସ୍ତ ହୋଇଛି।ସେହିପରି ଧାମନଗର ବ୍ଲକର ୪୪ ଟି ଗ୍ରାମର ବଡ଼ ପ୍ରାଣୀଙ୍କ ପାଇଁ ୧୭,୬୯୯ ଓ ଛୋଟ ପ୍ରାଣୀଙ୍କ ପାଇଁ ୫,୧୫୩ ମେଟ୍ରିକ୍ ଟନ୍ ଗୋଖାଦ୍ୟ ଯୋଗାଇ ଦିଆଯାଇଥିବା ବେଳେ ୨ ଟି ଭ୍ରାମ୍ୟମାଣ ଯାନ ଦ୍ଵାରା ପ୍ରାଣୀ ମାନଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଛି ବୋଲି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଶୁଭେନ୍ଦୁ କୁମାର ମିଶ୍ର ସୂଚନା ଦେଇଛନ୍ତି।