ଆଉ ଛଉ ଆଖଡ଼ା ରେ ଶୁଭିବନି ବାବାଜୀ ଙ୍କ ବଂଶୀ ସ୍ୱର

ବାରିପଦା- ବଂଶୀକୁ ଏକା କରି ସବୁଦିନ ପାଇଁ ଚାଲିଗଲେ ବାବାଜୀ। ଚୈତ୍ରପର୍ବ ଆଖଡ଼ା ରେ ଶୁଭିବନି ଆଉ ବାବାଜୀ ଙ୍କ ବଂଶୀ ସ୍ୱର।ମୟୂରଭଞ୍ଜ ହରାଇଲା ତାର ଜଣେ ବରିଷ୍ଠ  କଳାକାରକୁ।ଆଜି ମୟୂରଭଞ୍ଜ ଛଉର ବିଶିଷ୍ଠ ବଂଶୀ ବାଦକ ତଥା ଜିଲ୍ଲା ପ୍ରଶାସନ ଦ୍ୱାରା ପୁରସ୍କୃତ ବାବାଜୀ ଦାସ ୯୪ ବର୍ଷରେ ତାଙ୍କ ତେନ୍ତୁଳିଡିଙ୍ଗା ସ୍ଥିତ ବାସଭବନ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।୧୯୭୦ ମସିହାରେ ଉତ୍ତର ସାହି ଛଉନୃତ୍ୟ ପ୍ରତିଷ୍ଠାନରେ ପ୍ରଥମେ ଯୋଗ ଦେଇଥିଲେ ବଂଶୀ ବାଦକ ଭାବେ, ଦୁଇବର୍ଷ ପରେ ୧୯୭୨ ମସିହା ରେ ସେ ଦକ୍ଷିଣ ସାହି ଛଉ ନୃତ୍ୟ ମନ୍ଦିର କୁ ଚାଲି ଆସିଥିଲେ ଏବଂ ୨୦୨୨ ପର୍ଯ୍ୟନ୍ତ ଦକ୍ଷିଣ ସାହିର କଳାକାର ଭାବେ କାର୍ଯ୍ୟରତ ଥିଲେ। ନୃତ୍ୟ ନିଶିଥ ମିଳନ, ମାୟା ଶବରୀ, କିରାତ ଅର୍ଜୁନ, ବଂଶୀ ଚୋରି, ବାଉଲ କୃଷ୍ଣ, ମେଘମୟୂରୀ ଏମିତି ଅନେକ ନୃତ୍ୟରେ ସେ ତାଙ୍କର ବଂଶୀ ବାଦନରେ ଦର୍ଶକଙ୍କୁ ବିମୋହିତ କରିଛନ୍ତି।ଦକ୍ଷିଣସାହି ଛଉନୃତ୍ୟ ମନ୍ଦିର ର ସେ ଥିଲେ ଜଣେ ବରିଷ୍ଠ ଅତିପ୍ରିୟ କଳାକାର।ସେଥିଲେ ଜଣେ ସ୍ନେହୀ, ସରଳ ଏବଂ ଛଉ ନୃତ୍ୟକୁ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଭଲପାଉଥିବା  ବିରଳ ମଣିଷଟିଏ।ଯାହାଙ୍କ ବଂଶୀ ସ୍ୱରର ତାଳେ ତାଳେ ଝୁମି ଉଠୁଥିଲା ଚୈତ୍ରପର୍ବ,ଝୁମି ଉଠୁଥିଲା ଛଉ ନୃତ୍ୟାଙ୍ଗନା ମାନଙ୍କ ପାଦ।ବାର୍ଦ୍ଧକ୍ୟ ଜନିତ କଷ୍ଟକୁ ଭୃକ୍ଷେପ ନକରି ୨୦୨୨ ଚୈତ୍ରପର୍ବରେ ରାତିସାରା ମଞ୍ଚ ଧାରରେ ଠିଆ ହୋଇ ବଂଶୀ ବଜାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ରେ ପକାଇଥିଲା।ବଂଶୀ ବାଦକ ବାବାଜୀ ଙ୍କ ବଂଶୀ ସ୍ୱରକୁ ଖାଲି ଦକ୍ଷିଣସାହି କାହିଁକି ମୟୁରଭଞ୍ଜର ପ୍ରତ୍ୟେକ କଳାକାର  ସବୁଦିନ ମନେପକାଉ ଥିବେ।ତାଙ୍କ ବଂଶୀସ୍ୱର ସବୁଦିନ ପ୍ରତ୍ୟକଟି ମୟୁର୍ଭଞ୍ଜିଆ ଙ୍କ ହୃଦୟରେ  ସ୍ମୁତି ହୋଇ ରହିବ।ରାଜ୍ୟ ତଥା ରାଜ୍ୟ ବାହାରେ ଅନେକ ସ୍ଥାନରେ ସେ ଛଉନୃତ୍ୟ ଦଳ ସହ ଯାଇ ନିଜର ପ୍ରତିଭା ପ୍ରଦର୍ଶନ କରି ସୁନାମ ଅର୍ଜନ କରିଥିଲେ।ବାବାଜୀ ଙ୍କ ମୃତ୍ୟୁ ଖବର ପାଇବା ପରେ ସାରା ଅଞ୍ଚଳ ସହିତ ଛଉ କଳାକାର ଜଗତରେ ଶୋକର ଛାୟା ଖେଳି ଯାଇଛି। ମୃତ୍ୟୁ ସମୟରେ ତାଙ୍କ ପୁଅ, ପୁଅବୋହୁ,  ଝିଅ, ନାତି ନାତୁଣୀ ପାଖରେ ଉପସ୍ଥିତ ଥିଲେ।ବଂଶୀ ବାଦକ ବାବାଜୀ ଜୀବନର ଶେଷ ନିଶ୍ୱାସ ତ୍ୟାଗ କରିବା ସମୟରେ ମଧ୍ୟ ୟୁଟୁବ ରୁ ଛଉ ନୃତ୍ୟ ଦେଖୁ ଦେଖୁ ପ୍ରାଣ ଯାଇଥିବା କଥା କହିଛନ୍ତି ଝିଅ ସରୋଜିନୀ।ବାସ୍ତବ ରେ ବାବାଜୀ ଙ୍କ ଭଳି ଜଣେ ସ୍ନେହୀ,ସରଳ, ପ୍ରତିଭାଶାଳୀ କଳାକାରଙ୍କୁ  ହରାଇ ବାରିପଦାବାସୀ ଆଜି ମର୍ମାହତ। ସମଗ୍ର ମୟୁରଭଞ୍ଜ ଛଉ ନୃତ୍ୟ ପାଇଁ ଏହା ଏକ ଅପୂରଣୀୟ କ୍ଷତି। ସମସ୍ତ ମୟୁରର୍ଭଞ୍ଜିଆ, ଛଉ କଳାପ୍ରେମୀ, ଏବଂ ନନ୍ଦିନୀ ଖବରକାଗଜ ପରିବାର ତରଫରୁ ବାବାଜୀଙ୍କ ଅମର ଆତ୍ମାର ସଦଗତି କାମନା କରି ଭଗବାନଙ୍କ ପାଖରେ ପ୍ରାର୍ଥନା କରାଯାଇଛି।

Leave A Reply

Your email address will not be published.