ବୁଗୁଡ଼ା- ସଂପ୍ରତି ସ୍ଥାନୀୟ ଅବକାରୀ ବିଭାଗର ଅହେତୁକ ଉଦାସୀନତା ଯୋଗୁଁ ବୁଗୁଡ଼ା ଗଞ୍ଜେଇ ବ୍ଯାପାରର ପେଣ୍ଠସ୍ଥଳୀ ପାଲଟିଛି । ଦୈନିକ ଚୋରାରେ ଅଜସ୍ର ପରିମାଣର ଗଞ୍ଜେଇ ଏଠାକୁ ଆସୁଛି ଏବଂ ଏଠାରୁ ବିଭିନ୍ନ ସ୍ଥାନକୁ ଚାଲାଣ ହେଉଛି । ଏଥିରେ ଭଦ୍ରମୁଖା ତଳେ ରହିଥିବା ବ୍ଯକ୍ତିମାନେ ଲିପ୍ତ ରହିଛନ୍ତି । ବୁଗୁଡ଼ା ଅଞ୍ଚଳରେ କିଏ ଚିତା ତିଲକ କାଟି ତ ଆଉ କିଏ କେଉଁ ଏକ ସଂସ୍ଥାର ପରିଚୟ ପତ୍ରଟିଏ ଧରି ନିର୍ଭୟରେ ଗଞ୍ଜେଇ ବେପାର ଚଳାଇ ଆସୁଥିବା ନେଇ ସାଧାରଣରେ ଆଲୋଚନା ହେଉଥିବା ବେଳେ ଅବକାରୀ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ରହିଛି । ବୁଗୁଡ଼ା ସହରର ବିଭିନ୍ନ ଦୋକାନରେ ବହୁଳ ମାତ୍ରାରେ ଗଞ୍ଜେଇ ସିଗାରେଟ ବିକ୍ରି ହେଉଛି ଏବଂ କଲେଜ ଛାତ୍ରଙ୍କ ସମେତ ଯୁବ ଗୋଷ୍ଠୀ ଏହାର ଶିକାର ହୋଇଆସୁଥିବା ବେଳେ ସ୍ଥାନୀୟ ଅବକାରୀ ପ୍ରଶାସନ ସ୍ଥାଣୁ ପାଲଟିଥିବା ନେଇ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି । ଦୀର୍ଘ ବର୍ଷର ବ୍ଯବଧାନରେ ଗତ ବର୍ଷ ନଭେମ୍ବର ୮ ତାରିଖ ରାତିରେ ବୁଗୁଡ଼ା ରଘୁନାଥ ସାହିର ଜନୈକ ପରିବା ବେପାରୀଙ୍କ ଘରୁ ବହୁ ପରିମାଣର ଗଞ୍ଜେଇ ଜିଲ୍ଲା ଅବକାରୀ ଗୁଇନ୍ଦାର ଏକ ଟିମ୍ ଜବତ କରି ତାକୁ ଗିରଫ କରିଥିଲା ବେଳେ ଚଳିତ ବର୍ଷ ପୁଣି ସେହି ରଘୁନାଥ ସାହିରେ ୨୫ ବର୍ଷରୁ ଉର୍ଦ୍ଧ୍ବ କାଳ ଧରି ସ୍ଥାନୀୟ ବାବୁମାନଙ୍କୁ ଅନୈତିକ ଉପାୟରେ ବଶୀଭୂତ କରି ନିସଙ୍କୋଚରେ ଗଞ୍ଜେଇ ବେପାର କରିଆସୁଥିବା ଦୁଇ କୁଖ୍ୟାତ ମାଫିଆ ଭାଇଙ୍କ ଘରେ ଭୁବନେଶ୍ବର ଏସଟିଏଫ ଗତ ଏପ୍ରିଲ୍ ୨୮ ତାରିଖ ରାତିରେ ଅଚାନକ ଚଢ଼ାଉ କରି ପ୍ରଚୁର ପରିମାଣର ଗଞ୍ଜେଇ ଓ ଅଫିମ ଜବତ ସହ ଦୁଇ ଭାଇଙ୍କୁ ଗିରଫ କରିଥିଲା ଏବଂ ପର ମୁହୂର୍ତ୍ତରେ ସଂପୃକ୍ତ ଦୁଇ ନିଶା ମାଫିଆ ଭାଇଙ୍କ ଶତାଧିକ କୋଟିର ସମ୍ପତ୍ତି ମଧ୍ୟରୁ ମାତ୍ର ୩ କୋଟି ଟଙ୍କାର ସମ୍ପତ୍ତି ବ୍ଯାଜାପ୍ତ କରିଥିଲା । ଏଥି ପୂର୍ବରୁ ଗତ ୨୦୨୦ ମସିହା ଡିସେମ୍ବର ୩ ତାରିଖ ସନ୍ଧ୍ୟାରେ ବାଲିପଦର ଫାଣ୍ଡି ଅଞ୍ଚଳର କଳମ୍ବ ଛକରେ ଓଡଗାଁ ଥାନା ଅଞ୍ଚଳର ଦୁଇ ବେପାରୀଙ୍କ ଠାରୁ ୩୧୪କି.ଗ୍ରା ୬୦୦ ଗ୍ରାମ୍ ଗଞ୍ଜେଇ ଜବତ ସହ ସେ ଦୁହିଁଙ୍କୁ ପୋଲିସ ଗିରଫ କରିଥିଲା ।