ପ୍ରତିବାଦ କଲେ ମିଳୁଥାଏ ଟିସି ଦେଇ ହଷ୍ଟେଲରୁ ବାହାର କରିଦେବାର ଧମକ
ମୟୂରଭଞ୍ଜ- ମୟୂରଭଞ୍ଜ ଜିଲ୍ଲା,ଶୁଳିଆପଦା ବ୍ଲକ ଅନ୍ତର୍ଗତ କଣ୍ଟିସାହି ଗ୍ରାମପଞ୍ଚାୟତ ଅଧିନସ୍ଥ ପଥରନେସା ଆଶ୍ରମ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନାନୁସାରେ , ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧିନରେ ଥିବା ପଥରନେସା ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରଶ୍ମିତା ଜେନା,ଆଶ୍ରମ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ବହୁ ଦିନ ହେଲା ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଏପରିକି ସେମାନଙ୍କୁ ଭଲ ଭାବରେ ପେଟପୁରା ଖାଦ୍ୟ ମଧ୍ୟ ଖାଇବାକୁ ଦେଉ ନଥିଲେ।ଦିଆ ଯାଉଥିବା ଖାଦ୍ୟ ଦ୍ଵାରା ସେମାନଙ୍କର ପେଟ ନ ପୁରିବାରୁ କିଛି ପିଲାମାନେ ଗ୍ରାମ ମଧ୍ୟକୁ ପଶି ହାଣ୍ଡିଆ ପିଇବାକୁ ଯାଆନ୍ତି ବୋଲି ଗଣ ମାଧ୍ୟମ ପ୍ରତିନିଧିଙ୍କ ଆଗରେ ପ୍ରକାଶ କରିଛନ୍ତି। ୨୬୦ ଜଣ ପିଲାମାନଙ୍କ ପାଇଁ ପ୍ରଧାନ ଶିକ୍ଷୟିତ୍ରୀ,୩ ରୁ ୪ ଗୋଟି ପିଆଜ,୧୦ ରୁ ୧୨ଟି ଲଙ୍କା,୧୫ ରୁ ୧୬କୋଲି ରସୁଣ,୨ଖଣ୍ଡ ଅଦା ଓ ୧୫୦ମି.ଲି ଗ୍ରାମ ତେଲ ରୋଷେଇ ପାଇଁ ଦେଉଥିଲେ।ପିଲାମାନେ କେହି ପ୍ରତିବାଦ କଲେ ବା ଏ ବାବଦରେ କାହାକୁ ଜଣାଇଲେ ସେମାନଙ୍କୁ ଟିସି ଦେଇ ହଷ୍ଟେଲରୁ ବାହାର କରିଦେବାକୁ ଧମକ ଦେଉଥିଲେ। ପ୍ରଧାନ ଶିକ୍ଷୟତ୍ରୀଙ୍କ ଅତ୍ୟାଚାର ଅସହ୍ୟ ହୋଇ ପଡ଼ିବାରୁ ପରିଶେଷରେ ଛାତ୍ରଛାତ୍ରୀ ମାନେ ଆଜି ସକାଳ ୮ଘଟିକା ଠାରୁ ହଷ୍ଟେଲର ମୁଖ୍ୟ ଫାଟକରେ ତାଲା ପକେଇ ଥିଲେ।ଖବର ପାଇ ସ୍ଥାନୀୟ ଶୁଳିଆପଦା ପୋଲିସ,ଶୁଳିଆପଦା ତହସିଲଦାର, ଡବ୍ଳୁ. ଇ.ଓ ମାନସୀ ମାସାନ୍ତ୍ ଘଟଣାସ୍ଥଳରେ ପହଂଚି ଛାତ୍ରଛାତ୍ରୀ ମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଛାତ୍ରଛାତ୍ରୀ ମାନେ ନିଜ ଜିଦ୍ ରେ ଅଟଳ ରହିଥିଲେ।ସେମାନଙ୍କର ଗୋଟିଏ ଜିଦ୍ ଥିଲା ଯେ, ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ତୁରନ୍ତ ବଦଳି କରାଯାଉ। ଦୀର୍ଘ ୪ ଘଣ୍ଟାର ଆଲୋଚନା ପରେ କିଛି ସମାଧାନର ବାଟ ବାହାରି ନ ପାରିବାରୁ,ପରିଶେଷରେ ଛାତ୍ରଛାତ୍ରୀ ମାନେ ଦୀର୍ଘ ୩୫ କି.ମି ଦୂର ଜିଲ୍ଲାପାଳଙ୍କ ଅଫିସ ଅଭିମୁଖେ ନିଜର ଦାବି ଉପସ୍ଥାପନା କରିବାକୁ ବାଟରେ ଚାଲି ଚାଲି ପଳେଇ ଆସୁଥିବା ବେଳେ ଜିଲ୍ଲା ପ୍ରଶାସନ ସେମାନଙ୍କୁ ଅଧା ବାଟରେ ଅଟକାଇ ଦେଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ମଙ୍ଗଳ ଅଧିକାରୀ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା,ବାରିପଦାର ଅତିରିକ୍ତ ପ୍ରକଳ୍ପ ଅଧିକାରୀ,ସବଡିଭିଜନାଲ୍ ପୋଲିସ ଅଧିକାରୀ, ପିଲାମାନଙ୍କ ସହିତ ଦୀର୍ଘ ସମୟ ଧରି ଆଲୋଚନା କରିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଉକ୍ତ ହଷ୍ଟେଲରୁ ହଟେଇ ତାଙ୍କ ସ୍ଥାନରେ ନିକଟସ୍ଥ ମୂର୍ଗା ପାହାଡି ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଝରଣା ସାହୁଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଥିଲେ। ଅତିରିକ୍ତ ପ୍ରକଳ୍ପ ଅଧିକାରୀ,ସାତ ଦିନ ଭିତରେ ତଦନ୍ତ କରି ଜିଲ୍ଲାପାଳଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରିବା ପରେ ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା ଜେନାଙ୍କ ପ୍ରତି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଲା ପରେ ପିଲାମାନେ ପୁଣି ଥରେ ହଷ୍ଟେଲକୁ ଫେରିଯିବାକୁ ରାଜି ହୋଇଥିଲେ।ପରେ ଜିଲ୍ଲା ପ୍ରଶାସନ ସେମାନଙ୍କୁ ନିଜସ୍ୱ ଗାଡ଼ିରେ ହଷ୍ଟେଲରେ ଛାଡ଼ି ଦେଇଥିଲେ। ପରିତାପର କଥା ଏହି ଯେ, ଯେଉଁ ଜିଲ୍ଲାରୁ ଆଜି ଜଣେ ଆଦିବାସୀ ମହିଳା ଦେଶର ସର୍ବୋଚ୍ଚ ଆସନରେ ବିରାଜମାନ ମାତ୍ର ସେହି ଜିଲ୍ଲାର ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ପ୍ରତି ଏଭଳି ଅକଥନୀୟ ଅତ୍ୟାଚାରକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଲାଣି।